କୋସିୟାରୀଙ୍କୁ ପଦ୍ମଭୂଷଣ ସମ୍ମାନ- ଆପତ୍ତି ଜାହିର କଲେ ବିରୋଧୀ

ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ଭଗତ ସିଂ କୋସିୟୋରୀଙ୍କୁ ପଦ୍ମ ଭୂଷଣ ପୁରଷ୍କାରରେ ସମ୍ମାନିତ ନେଇ କେନ୍ଦ୍ରର ନିଷ୍ପତ୍ତିକୁ ସମାଲୋଚନା କରିଛି ଶିବସେନା(ୟୁବିଟି)। ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହାଅଗାଡ଼ି ସରକାର ପତ୍ତନ ପଛରେ କୋସିୟାରୀ ହିଁ ମୁଖ୍ୟତଃ ଦାୟୀ ଥିଲେ ବୋଲି ଆରୋପ ଲଦିଛନ୍ତି ଶିବସେନା(ୟୁବିଟି) ସାଂସଦ ସଞ୍ଜୟ ରାଉତ। ସଞ୍ଜୟ କହିଛନ୍ତି, କୋସିୟାରୀ ଏମିତି କି କାମ କରିଛନ୍ତି ଯେ, ତାଙ୍କୁ ଏଭଳଇ ନାଗରିକ ସମ୍ମାନ ଦିଆଯାଉଛି। କୋସିୟାରୀ ମରାଠୀ ମାନୁଷର ଭାବନାକୁ ଆଘାତ ପହଞ୍ଚାଇଥିଲେ। ଏଭଳି ସମ୍ମାନ ଦେବାର ଅର୍ଥ ଏହା ଲୋକତନ୍ତ୍ର ଓ ସମ୍ୱିଧାନର ହତ୍ୟା ସହ ସମ୍ମାନ। ଛତ୍ରପତି ଶିବାଜୀ ମହାରାଜଙ୍କଠୁ ନେଇ ମହାତ୍ମା କୁଲେଙ୍କ ଭଳି ରାଷ୍ଟ୍ରୀୟ ନାୟକଙ୍କୁ ଅପମାନ କରିଛନ୍ତି। ଏଭଳି ବ୍ୟକ୍ତିଙ୍କୁ ସମ୍ମାନିତର ଅର୍ଥ ମରାଠୀ ଲୋକଙ୍କ ଘା ଓ ସ୍ୱାଭିମାନରେ ଲୁଣ ପକାଇବା ସଦୃଶ। ସରକାରଙ୍କ ପତ୍ତନ ପାଇଁ ବିରୋଧୀଙ୍କୁ ସହଯୋଗ କରିବା ଓ ଅବୈଧ ଉପାୟରେ ବିଜେପି ସରକାରକୁ ମହାରାଷ୍ଟ୍ରରେ ସ୍ଥାପିତ ଲାଗି ପ୍ରମୂଖ ଭୂମିକା ନେଇଥିଲେ କୋସିୟାରୀ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହ୍ୱାନ ବି କୋସିୟାରୀଙ୍କୁ ଏଭଳି ସମ୍ମାନ ନେଇ ଚକିତ ହୋଇଛନ୍ତି। ମହାରାଷ୍ଟ୍ରରେ ବିଜେପିକୁ ସରକାରରେ ଆଣିଥିବାରୁ ବୋଧହୁଏ ସମ୍ମାନିତ କରାଗଲା। ଆମ୍ ଆଦମୀ ଦଳ ମୁଖପାତ୍ର ମୁକୁନ୍ଦ କିର୍ଦତ କହିଛନ୍ତି, ଏଭଳି ବିବାଦସ୍ପଦ ବ୍ୟକ୍ତିଙ୍କୁ ସମ୍ମାନିତ କରି ସରକାର ନାଗରିକ ସମ୍ମାନର ଗାରିମାକୁ ଗୌଣ କରିଦେଲେ। ମହାରାଷ୍ଟ୍ର ଇତିହାସରେ ଏଭଳି ରାଜ୍ୟପାଳ ସେ କେବେ ଦେଖିନଥିଲେ। କୋସିୟାରିଙ୍କୁ ନେଇ ୨୦୨୨ରେ ବିବାଦ ଆରମ୍ଭ ହୋଇଥିଲା। ଯେବେ ଭଗତ ସିଂ କୋସିୟାରି କହିଥିଲେ, ଯଦି ମୁମ୍ୱାଇରୁ ଗୁଜରାଟି ଓ ରାଜସ୍ଥାନୀ ପଳାନ୍ତି। ତାହେଲେ ଟଙ୍କା ରହିବନି। ବିବାଦ ବଢ଼ିବାରୁ ଏ ମନ୍ତବ୍ୟକୁ ପ୍ରତ୍ୟାହାର କରିଥିଲେ କୋସିୟାରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *