ଭରସା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୟୁଜିସିର ନୂଆ ଗାଇଡଲାଇନକୁ ନେଇ ଆକ୍ରୋଶ ବଢ଼ିବା ପରେ ମନ୍ତ୍ରୀ କହିଛନ୍ତି, କାହା ସହ କୌଣସି ଭେଦଭାବ ହେବନି। ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ରହିଛି। ନୂଆ ନିୟମର ଉଦ୍ଦେଶ୍ୟ ହେଉଛି ନ୍ୟାୟକୁ ସୁନିଶ୍ଚିତ କରିବା। କାହାକୁ ଉତ୍ପୀଡ଼ନ କରିବା ଏହାର ଲକ୍ଷ୍ୟ ନୁହେଁ। ଭେଦଭାବର ଆଳରେ କେହି ବି ଆଇନର ଦୁରୁପଯୋଗ କରିବାର ଅଧିକାର ନାହିଁ। ୟୁଜିସି ହେଉ ଅବା ଭାରତ ସରକାର ଅବା ରାଜ୍ୟ ସରକାର। ସମସ୍ତଙ୍କର ସାମୂହିକ ଦାୟିତ୍ୱ ରହିଛି। ଆଇନକୁ ନିରପେକ୍ଷତାର ସହ ଅନୁପାଳନ କରିବା। ଯାହା ବ୍ୟବସ୍ଥା ହୋଇଛି, ତାହା ପୁରା ଭାରତୀୟ ସମ୍ୱିଧାନର ପରିଧି ଭିତରେ ଅଛି।ୟୁଜିସିର ନୂଆ ଗାଇଡଲାଇନକୁ ନେଇ ହଙ୍ଗାମା। ଜାନୁଆରୀ ୧୩ରୁ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ ଉଚ୍ଚଶିକ୍ଷାରେ ଜାତିଗତ ଭେଦଭାବ ଓ ଅସମାନତାକୁ ଲଗାମ ଲଗାଇବାକୁ ପ୍ରାଥମିକତା ଦିଆଯାଇଛି। ସେଥିଲାଗି ସମସ୍ତ ୟୁନିଭରସିଟି ଓ କଲେଜ ଇକ୍ୟୁଟି ସେଣ୍ଟର, ଇକ୍ୟୁଟି କମିଟି, ଇକ୍ୟୁଟି ସ୍କ୍ୱାର୍ଡ, ୨୪ ଘଣ୍ଟିଆ ହେଲ୍ପଲାଇନ ଓ କଡ଼ା ଅନୁଧ୍ୟାନର ବ୍ୟବସ୍ଥା କରାଯିବ। ଏହି ସମାନତା କମିଟିରେ ଏସସି, ଏସଟି,ଓବିସି ଓ ମହିଳାଙ୍କ ପ୍ରତିନିଧିତ୍ୱ ରହିବ। ଅଭିଯୋଗ ମିଳିବାର ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ୬୦ ଦିନରେ ଯାଞ୍ଚ ସମାପ୍ତ କରିବାକୁ ପଡ଼ିବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଚେତାବନୀ, ଜରିମାନା, ନିଲମ୍ୱନ ନଚେତ ବହିଷ୍କାର ଭଳି ଆକ୍ସନ ହେବ। ଯଦି କୌଣସି ସଂସ୍ଥା ଏହି ନିୟମକୁ ଅନୁପାଳନ କରିବନି, ତାହେଲେ ୟୁଜିସି ମାନ୍ୟତା ରଦ୍ଦ କରିବ ନଚେତ ପାଣ୍ଠି ଦେବା ବନ୍ଦ କରିଦେବ। କିନ୍ତୁ ଛାତ୍ରଙ୍କଠୁ ନେଇ ଶିକ୍ଷକଙ୍କ ପର୍ଯ୍ୟନ୍ତ। ଅଧିକାଂଶ ଏହି ନୂଆ ନିୟମକୁ ଏକତରଫା ଓ ଭେଦଭାବପୂର୍ଣ୍ଣ ବୋଲି ବିବେଚନା କରୁଛନ୍ତି। ପ୍ରଥମେ ସୋସିଆଲ ମିଡିଆରେ ଏହା ବିରୁଦ୍ଧରେ ୟୁଜିସି ରୋଲବ୍ୟାକ୍ ଅଭିଯାନ ଆରମ୍ଭ ହୋଇଥିଲା। ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସେପଟେ ବରେଲିର ସିଟି ମାଜିଷ୍ଟ୍ରେଟ ଅଳଙ୍କାର ଅଗ୍ନିହୋତ୍ରୀ ୟୁଜିସିର ନୂଆ ନିୟମକୁ ବିରୋଧ କରି ଚାକିରୀରୁ ଇସ୍ତଫା ଦେଇଛନ୍ତି। ଏଭଳି ନିୟମ ସାଧାରଣବର୍ଗ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିଦେବ। ସେମାନଙ୍କୁ ଆତ୍ମଘୋଷିତ ଅପରାଧୀ ସଜାଇଦେବ ବୋଲି ଆଶଙ୍କା କରି ଅଗ୍ନିହୋତ୍ରୀ ଏଭଳି ପଦକ୍ଷେପ ନେଇଛନ୍ତି। ୟୁଜିସିର ନୂଆ ନିୟମ ଜେନେରାଲ ବନାମ ଓବିସି ମୁଦ୍ଦା ଭାବେ ଛିଡ଼ା ହେଲାଣି। କାରଣ ନୂଆ ନିୟମରେ ଓବିସି ବର୍ଗଙ୍କୁ ସାମିଲ ନେଇ କଡ଼ା ବିରୋଧ ହେଉଛି।୨୦୧୨ ନିୟମରେ ଓବିସି ସାମିଲ୍ ନଥିଲେ।ନୂଆ ନିୟମରେ ଓବିସି ଛାତ୍ର ଓ କର୍ମଚାରୀଙ୍କୁ ବି ଉତ୍ପୀଡ଼ନ, ଭେଦଭାବର ଅଭିଯୋଗ ଲାଗି ଅଧିକାର ଦିଆଯାଇଛି। ୟୁଜିସିର କହିବା କଥା- ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ବିରୁଦ୍ଧରେ ହିଂସାର ସଂଖ୍ୟା ୨୦୨୦ରୁ ୨୦୨୫ ଭିତରେ ଶତପ୍ରତିଶତ ବୃଦ୍ଧି ପାଇଛି। ଏହା ବ୍ୟତୀତ ରୋହିତ ବେମୁଲା ଓ ପାୟଲ ତଡ଼ଓ୍ୱି ଭଳି ମାମଲାରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀକୁ ବି ଧ୍ୟାନ ଦେଇ ଏହି ନିୟମ କରାଯାଇଛି। ତେବେ ନିୟମରେ ଥିବା କିଛି ସେକ୍ସନକୁ ବିରୋଧ କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ପିଆଇଏଲରେ କୁହାଯାଇଛି, ସେକ୍ସନ ୩(ସି)ରେ ଅଭିବ୍ୟକ୍ତିର ସ୍ୱତନ୍ତ୍ରତା, ସମାନତା ଓ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାରକୁ ଉଲ୍ଲଂଘନ ହୋଇଛି। ଚାଷୀ ନେତା ରାକେଶ ଟିକାଏତ କହିଛନ୍ତି, ଏହି ଆକ୍ଚରୁ ଦେଶରେ ଜାତିଗତ ଉତ୍ତେଜନା ଓ ଝଗଡ଼ା ବଢ଼ିପାରେ।ଦେଶକୁ ଜାତିବାଦ, ଧର୍ମବାଦ ଓ ମକଦ୍ଦମାରେ ବାଣ୍ଟିବାକୁ ଚାହୁଁଛନ୍ତି ସରକାର। ଏଭଳି ନିଷ୍ପତ୍ତି ଜାତିଗତ ଶତୃତା ବଢ଼ାଇବ ଓ ଦେଶର ଏକତା ଲାଗି ଏହା ଠିକ୍ ନୁହେଁ। ଏହି ଆକ୍ଟ ବିରୁଦ୍ଧରେ ୟୁପିରେ ସବର୍ଣ୍ଣ ସାଂସଦଙ୍କୁ ଚୁଡ଼ି ପଠାଇଛନ୍ତି ଆନ୍ଦୋଳନକାରୀ। ରାଏବରେଲିର ବିଜେପି ଚାଷୀ ନେତା ରମେଶ ବାହାଦୂର ସିଂ ଗୋରକ୍ଷା ଦଳର ଅଧ୍ୟକ୍ଷ ମହେନ୍ଦ୍ର ପାଣ୍ଡେ ସାଧାରଣବର୍ଗର ସାଂସଦଙ୍କୁ ଚୁଡ଼ି ପଠାଇଛନ୍ତି। କୁମାର ବିଶ୍ୱାସ କହିଛନ୍ତି, ସେ ଅଭାଗା ସବର୍ଣ୍ଣ ବ୍ୟକ୍ତି ଅଟନ୍ତି। ବିରୋଧ ତେଜୁଥିଲା ବେଳେ ୟୁଜିସିର ଦିଲ୍ଲୀ ହେଡକ୍ୱାର୍ଟରରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଆମେଥିରେ ଉଚ୍ଚଜାତିର ଲୋକେ ୟୁଜିସି ଆଇନ ବିରୁଦ୍ଧରେ ଆନ୍ଦୋଳନ କରିଛନ୍ତି। ଦିଲ୍ଲୀକୁ ମାର୍ଚ୍ଚ କରିବା ସହ ଫେବୃଆରୀ ପହିଲାରେ ଭାରତ ବନ୍ଦ ଡାକରା ଦେଇଛନ୍ତି।ଆଗ୍ରାରେ ବିଜେପି ନେତା ଜଗଦୀଶ ପଚୌରୀ ୟୁଜିସି ବିରୁଦ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖି ପଠାଇଛନ୍ତି। ଜଗତଗୁରୁ ପରମହଂସ ଆଚାର୍ଯ୍ୟ ବି ଏଭଳି ଆକ୍ଟକୁ ପ୍ରତ୍ୟାହାର ଲାଗି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଆକ୍ଚ ପ୍ରତ୍ୟାହାର ନହେଲେ ହିନ୍ଦୁ ବିଭାଜନ ହେବ। ରାଷ୍ଟ୍ରବାଦ ସମାପ୍ତ ହୋଇଯିବ। ଆଇନର ଦୁରୁପଯୋଗର ଆଶଙ୍କା ରହିଛି। ନିର୍ଦୋଷ ଫସିବେ। ସେଥିଲାଗି ଇଛାମୃତ୍ୟୁ ଦାବି କରି ପିଏମଙ୍କୁ ଚିଠି ଲେଖିଛନ୍ତି ପରମହଂସ ଆଚାର୍ଯ୍ୟ। ଡିସେମ୍ୱର ୧୭, ୨୦୧୬ରେ ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭରସିଟିର ଛାତ୍ର ରୋହିତ ବେମୁଲା ଜାତିଆଣ ଉତ୍ପୀଡ଼ନରୁ ଆତ୍ମହତ୍ୟା କରିଥିଲେ। ମେ ୨୨, ୨୦୧୯ରେ ମହାରାଷ୍ଟ୍ରରେ ଦଳିତ ଡାକ୍ତର ପାୟଲ ତଡ଼ଓ୍ୱି ବି ଆତ୍ମହତ୍ୟା କରିଥିଲେ।ଅଗଷ୍ଟ, ୨୯,୨୦୧୯ରେ ରୋହିତ ଓ ପାୟଲଙ୍କ ପରିଜନ କଲେଜରେ ଜାତିଆଣ ଭେଦଭାବକୁ ରୋକିବାକୁ କଡ଼ା ଆଇନ ଆଣିବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।ଜାନୁଆରୀ ୨୦୨୫ରେ ୟୁଜିସିକୁ ନୂଆ ନିୟମ ଆଣିବାକୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।

Naxatra News is now on Whatsapp
Join and get latest news update delivered to you via whatsapp
Join Now