ବିଚାର ବିଭାଗରେ ଭ୍ରଷ୍ଟାଚାର- ନ୍ୟାୟପାଳିକା କଅଣ ଉତ୍ତରଦାୟିତ୍ୱରୁ ବାହାରେ କି?

ନ୍ୟାୟପାଳିକା କଅଣ ସମ୍ୱିଧାନରୁ ଉର୍ଦ୍ଧ୍ୱରେ କି। ସବୁ ସଂସ୍ଥାରେ ଭ୍ରଷ୍ଟାଚାର ହେଲେ ତଦନ୍ତ ହେଉଛି। ନେତା, ଅଫିସର ଯିଏ ବି ଭ୍ରଷ୍ଟାଚାର କଲେ ସମସ୍ତେ ଜାଣୁଛନ୍ତି। ନ୍ୟାୟପାଳିକାରେ ହେଉଥିବା ଭ୍ରଷ୍ଟାଚାର ବାବଦରେ କାହିଁକି କଥା ଉଜାଗର ହେବନି। କାହିଁକି ତଦନ୍ତର ସମ୍ମୁଖୀନ ହେବେନି। ରାଜ୍ୟସଭାରେ ଆଜି ଶୂନ୍ୟକାଳରେ ଏ ମୁଦ୍ଦା ଉଠାଇଛନ୍ତି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ। ପ୍ରିୟଙ୍କା ଏ କଥା ବି ପଚାରିଛନ୍ତି, ଏନସିଇଆରଟିର ଅଷ୍ଟମ ଶ୍ରେଣୀ ବହିରେ ବିଚାର ବିଭାଗରେ ଭ୍ରଷ୍ଟାଚାର ବାବଦରେ ଥିବା ଅଧ୍ୟାୟକୁ ଲେଖିଥିବା ଶିକ୍ଷାବିତଙ୍କୁ କେଉଁ ଆଧାରରେ ବ୍ୟାନ୍ କରାଗଲା। ଗଲା ବୁଧବାର କୌଣସି ସରକାରୀ ପ୍ରକଳ୍ପରେ କାମ କରିବାକୁ ଅତିଥି ପ୍ରଫେସର ମିସେଲ ଡୈନିନୋଙ୍କ ସମେତ ୩ ଜଣଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହାକୁ ନ୍ୟାୟପାଳିକାର ସ୍ୱେଛାଚାରିତା ବୋଲି କହିଛନ୍ତି ପ୍ରିୟଙ୍କା ଚତୁର୍ବେଦୀ। ପ୍ରଫେସର ମିସେଲଙ୍କ ତତ୍ତ୍ୱାବଧାନରେ ଏହି ଅଧ୍ୟାୟରେ ଲେଖିଥିଲେ ସୁପର୍ଣ୍ଣା ଦିବାକର ଓ ଆଲୋକ ପ୍ରସନ୍ନା କୁମାର। ଅଦାଲତ କହିଥିଲେ, ଏହି ତିନି ଶିକ୍ଷାବିତ୍‌ଙ୍କ ନ୍ୟାୟପାଳିକା ଉପରେ କୌଣସି ଯଥାର୍ଥ ଜ୍ଞାନ ନାହିଁ। ଏମାନେ ଜାଣିଶୁଣି ତଥ୍ୟକୁ ଭୁଲ୍ ଉପାୟରେ ପ୍ରସ୍ତୁତ କରିଛନ୍ତି। ଯେମିତିକି ଭାରତୀୟ ନ୍ୟାୟପାଳିକା ଉପରେ ପିଲାଙ୍କ ଭିତରେ ନକରାତ୍ମକ ଛବି ରହିବ। ସେଥିଲାଗି ଏମାନଙ୍କୁ କୌଣସି ଅନ୍ୟ ପ୍ରକଳ୍ପରେ ଯୋଡ଼ା ଯିବା ଉଚିତ୍ ନୁହେଁ। ଗଲା ମାସରେ ବହି ଉପରେ ପ୍ରତିବନ୍ଧକ ଲଗାଇଦେଇଥିଲେ କୋର୍ଟ। ବଜାରରେ ବିକ୍ରି ଲାଗି କଟକଣା ଲଗାଇଥିଲେ। ଅଷ୍ଟମ ଶ୍ରେଣୀର ସାମାଜିକବିଜ୍ଞାନ ବହିରେ ନ୍ୟାୟପାଳିକାରେ ଭ୍ରଷ୍ଟାଚାର ଶୀର୍ଷକ ଏକ ଅଧ୍ୟାୟ ଥିଲା। ଫ୍ରାନ୍ସର ମୂଳ ନିବାସୀ ଭାରତୀୟ ଲେଖକ ତଥା ବିଦ୍ୱାନ ମିସେଲ ଡୈନିନୋ ଜୁନ୍ ୪, ୧୯୫୬ରେ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ। ଫ୍ରାନ୍ସରେ ୪ ବର୍ଷ ଧରି ଉଚ୍ଚ ବୈଜ୍ଞାନିକ ଶିକ୍ଷାଲାଭ ପରେ ସେ ଅସନ୍ତୁଷ୍ଟ ହୋଇ ୨୧ ବର୍ଷରେ ୧୯୭୭ରେ ଭାରତ ଫେରିଗଲେ। ତାମିଲନାଡୁର ଅରୋବିଲେରେ ରହିଥିଲେ। ନିଜକୁ ସାମୁଦାୟିକ ଜୀବନ ଓ ଆଧ୍ୟାତ୍ମିକ ଗତିବିଧିରେ ସାମିଲ୍ କରିଥିଲେ। ୧୯୮୨ରେ ଦକ୍ଷିଣ ଭାରତର ନୀଳଗିରି ପାହାଡ଼ରେ ପ୍ରକୃତି ସଂରକ୍ଷଣ ଓ ସ୍ୱତନ୍ତ୍ର ଶୋଧ ଉପରେ କାମ କରିଥିଲେ। ୨୦୦୩ରେ କୋଏମ୍ୱାଟୋରରେ ରହି ଔପଚାରିକ ଭାବେ ଭାରତର ନାଗରିକତାକୁ ଆପଣାଇଥିଲେ। ଶ୍ରୀଅରବିନ୍ଦଙ୍କ ବିଶ୍ୱ ଦୃଷ୍ଟିକୋଣରେ ନିଜକୁ ସମର୍ପିତ କରିଛନ୍ତି। ୨୦୧୧ରୁ ଗାନ୍ଧୀନଗରର ଆଇଆଇଟିରେ ଅତିଥି ପ୍ରଫେସର ଭାବେ ସେ କାର୍ଯ୍ୟରତ। ସେ ଏନସିଇଆରଟିର ସାମାଜିକ ବିଜ୍ଞାନ ପାଠ୍ୟକ୍ରମ ସମିତିର ଅଧ୍ୟକ୍ଷ ଅଟନ୍ତି। ତାଙ୍କ ମାର୍ଗଦର୍ଶନରେ ସ୍କୁଲ ପାଠ୍ୟକ୍ରମରେ ଏନସିଇଆରଟି ସଂଶୋଧନ କରିଛି। ଯେଉଁଠି ସନ୍ତୁଳିତ ବିଷୟବସ୍ତୁ ଉପରେ ଜୋର୍ ଦିଆଯାଇଛି। ଆଉ ନ୍ୟାୟପାଳିକାରେ ଭ୍ରଷ୍ଟାଚାର ବାବଦରେ ଏକ ଅଧ୍ୟାୟ କାରଣରୁ ତାଙ୍କୁ ସମସ୍ତ ସରକାରୀ ଅନୁଦାନ ପ୍ରକଳ୍ପ ଓ ସଂସ୍ଥାରୁ ହଟାଇବାକୁ ଆଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *