ଯୁଦ୍ଧ ପାଇଁ ସେୟାର ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ୧୨ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି ନିବେଶକ। ସେନସେକ୍ସ-ନିଫଟି ଖୋଲିବାରୁ ନେଇ ବନ୍ଦ ଯାଏଁ, ଏହି କ୍ଷତି ବଢ଼ିବାକୁ ଲାଗିଥିଲା। ମାର୍କେଟରେ ଲାର୍ଜ କ୍ୟାପରୁ ନେଇ ସ୍ମଲ କ୍ୟାପ୍, ସବୁ ସେକ୍ଟରରେ ଲାଲ ରଙ୍ଗ ଦେଖିବାକୁ ମିଳିଛି। ଅର୍ଥାତ୍ ସମସ୍ତ ସେକ୍ଟରର ଇଣ୍ଡେକ୍ସ ରେଡ୍ ଜୋନରେ ବନ୍ଦ ହୋଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ତେଲ ଯୁଦ୍ଧରେ ପରିଣତ ହେବା ପରେ ମାର୍କେଟର ଅବସ୍ଥା ଭୁଷୁଡ଼ିପଡ଼ିଛି। ବିଏସଇରେ ସେନସେକ୍ସ ପ୍ରାୟ ୨୫ଶହ ଅଙ୍କକୁ ହ୍ରାସ ପାଇ ବନ୍ଦ ହୋଇଛି। ଏନଏସଇର ନିଫଟି ୭୭୫ ଅଙ୍କରେ ଖସିଗଲା। ସେୟାର ବଜାର ଏଭଳି ବିଗିଡ଼ିଗଲା ଯେ, ନିବେଶକଙ୍କ ୧୨ଲକ୍ଷ କୋଟି ଟଙ୍କା ସ୍ୱାହା ହୋଇଗଲା। ସବୁଠୁ ଅଧିକ ହ୍ରାସ ପାଇଛି ନିଫଟି ବ୍ୟାଙ୍କ୍, ନିଫଟି ଅଟୋ, ନିଫଟି ଆଇଟି, ନିଫଟି ଏଫଏମସିଜି ଓ ପିଏସୟୁ ବ୍ୟାଙ୍କ। ନିବେଶକଙ୍କ କ୍ଷତି ଯଦି ଦେଖିବା, ବମ୍ୱେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନୀର ମାର୍କେଟ କ୍ୟାପ୍ ୪୩୮ ଲକ୍ଷ କୋଟି ଥିଲା। ଯାହା ଗୁରୁବାର ବଜାର ବନ୍ଦ ବେଳକୁ ୪୨୬ ଲକ୍ଷ କୋଟି ଟଙ୍କାରେ ସୀମିତ ରହିଗଲା। ମାର୍କେଟ କ୍ରାସ ପଛରେ ମୁଖ୍ୟତଃ ୪ଟି କାରଣ ନଜରକୁ ଆସିଛି। ଯୁଦ୍ଧ ଭିତରେ ତେଲ-ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣରୁ କ୍ରୁଡ୍ ଅଏଲ ଦର ଅହେତୁକ ବଢିଛି। ଆଜି ଅଶୋଧିତ ତେଲ ବା କ୍ରୁଡ୍ ଅଏଲ ବ୍ୟାରେଲ ପିଛା ୧୧୪ ଡଲାରରେ ପହଞ୍ଚିଛି। ନିବେଶକଙ୍କ ଭାବନା ଉପରେ ନକରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି। ଜାପାନ, କୋରିଆରୁ ନେଇ ହଂଗକଂଗ ସମେତ ଅନ୍ୟ ଏସିଆନ୍ ମାର୍କେଟ ପୁରା ଭୁଷୁଡ଼ିପଡିଛି। India VIX ରେ ଅଚାନକ ବୃଦ୍ଧି ପାଇଛି। ଯାହା ସେୟାର ମାର୍କେଟରେ ଡରର ଏକ ବଡ଼କାରଣ କୁହାଯାଉଛି। ଏହା ଗଲା ୩ ଦିନ ହେଲା ତଳକୁ ଖସିଚାଲିଥିଲା। କିନ୍ତୁ ଗୁରୁବାର ୨୨ ପ୍ରତିଶତ ଯାଏ ଚଢିଗଲା। ଭାରତୀୟ ସେୟାର ବଜାରରେ ଟଳମଳ ପଛରେ ଗ୍ଲୋବାଲ କାରଣ ସମେତ ଘରୋଇ କାରଣ ବି ରହିଛି। ଏଚଡିଏଫସି ବ୍ୟାଙ୍କର ପାର୍ଟ-ଟାଇମ୍ ଅଧ୍ୟକ୍ଷ ଅତାନୁ ଚକ୍ରବର୍ତ୍ତୀଙ୍କ ଇସ୍ତଫା ପରେ ଏଚଡିଏଫସି ବ୍ୟାଙ୍କର ସେୟାର ପୁରା ଖସିଗଲା। ଏହାର ସେୟାର ଭାଲ୍ୟୁ ୮ ପ୍ରତିଶତ ଯାଏ ଖସିଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now