ଭୟାନକ ବିମାନ ଦୁର୍ଘଟଣା- ଅନେକ ପରିବାର ଛାରଖାର

ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାରଇଣ୍ଡିଆ ବିମାନ କ୍ରାସରେ ୨୪୧ଜଣଙ୍କ ମୃତ୍ୟୁ ହୋଇଛି। ସୌଭାଗ୍ୟବଶତଃ ଏକମାତ୍ର ଯାତ୍ରୀ ରମେଶ ବିଶ୍ୱାସ କୁମାର ଜୀବିତ ଅଛନ୍ତି। ଶବ ବ୍ୟବଛେଦ ଘର ଆଗ କାନ୍ଦ ବୋବାଳିରେ ଫାଟିପଡ଼ୁଛି। ଶବକୁ ଚିହ୍ନଟ ଲାଗି ଡିଏନଏ ଟେଷ୍ଟ ପାଇଁ ପରିବାର ଲୋକଙ୍କଠୁ ନମୂନା ସଂଗ୍ରହ ହେଉଛି। ଲୋକେ ପୋଷ୍ଟମର୍ଟମ ସେଣ୍ଟର ଆଗରେ ଶବକୁ ନେବାକୁ ଅପେକ୍ଷାରତ। ଯେଉଁମାନଙ୍କ ଚିହ୍ନଟ ହୋଇଛି, ସେମାନଙ୍କୁ ହସ୍ପିଟାଲ ଶବ ହସ୍ତାନ୍ତର କରିବାରେ ଲାଗିଛି। ଅନେକ ପରିବାର ଛାରଖାର ହୋଇଗଲା ଏହି ଭୟାନକ ଦୁର୍ଘଟଣାରେ। କିଏ ଝିଅକୁ, ପୁଅକୁ ତ କିଏ ବାପା ମାଆକୁ। ପୁଣି କିଏ ପୁରା ପରିବାରକୁ ହରାଇଦେଲା ଏହି ଭୟାନକ ଦୁର୍ଘଟଣାରେ। ଏଇ ଯେମିତି ରାଜସ୍ଥାନର ଏ ପରିବାର। ପତ୍ନୀ ଓ ତିନି ପିଲାଙ୍କୁ ଧରି ପ୍ରଦୀପ ଜୋଷୀ ଲଣ୍ଡନକୁ ସିଫ୍ଟ ହେଉଥିଲେ। ତାଙ୍କ ପତ୍ନୀ ଡାକ୍ତର କୋନି ବ୍ୟାସ ପେସିଫିକ ହସ୍ପିଟାଲରୁ ଇସ୍ତଫା ଦେଇ ପତି ଓ ପିଲାଙ୍କ ସହ ଲଣ୍ଡନରେ ନୂଆ ଜୀବନ ଆରମ୍ଭ କରିବାକୁ ବସିଥିଲେ ଫ୍ଲାଇଟରେ। କିନ୍ତୁ ବିମାନ କ୍ରାସରେ ପୁରା ପରିବାର ଚାଲିଗଲା। ସେପଟେ ଲଣ୍ଡନରେ ରହୁଥିବା ଡାକ୍ତର ସ୍ୱାମୀଙ୍କ ପାଖକୁ ବାହାରିଥିବା ଖୁସବୁ କୁଓ୍ୱଁର ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଖୁସବୁଙ୍କ ବିବାହ ଜାନୁଆରୀ ୧୮ରେ ହୋଇଥିଲା। ଖୁସବୁଙ୍କ ସ୍ୱାମୀ ବିପୁଲ ସିଂ ରାଜପୁରୋହିତ ଲଣ୍ଡନରେ ଡାକ୍ତର। ପରିବାରଠୁ ବିଦାୟ ନେବା ବେଳର ଭିଡିଓ ଭାଇରାଲ ହୋଇଛି। ଜେଜେମାର ଜନ୍ମଦିନ ପାଳିବାକୁ ଭାରତ ଆସିଥିଲେ ଦୁଇ ନାତୁଣୀ। ଆଉ ଲଣ୍ଡନ ଫେରିବାକୁ ବିମାନରେ ବସିଥିଲେ। ହେଲେ ବିମାନ କ୍ରାସରେ ସେମାନଙ୍କ ଜୀବନ ଦୀପ ଲିଭିଗଲା। ମଣିପୁରର ଏୟାରହୋଷ୍ଟେସ ନଗନଥୋଇ ଶର୍ମାଙ୍କ ଘର କାନ୍ଦ ବୋବାଳିରେ ଫାଟିପଡ଼ୁଛି। ନଗନ ୨୦୨୩ରେ ଏୟାରଇଣ୍ଡିଆ ଜଏନ କରିଥିଲେ। ସେପଟେ ୩ ଦିନ ଆଗରୁ ବୃଦ୍ଧ ବାପାଙ୍କୁ ଚାକିରୀ ଛାଡି ତାଙ୍କ ଯତ୍ନ ନେବେ ବୋଲି କଥା ଦେଇଥିଲେ ଏୟାର ଇଣ୍ଡିଆ ପାଇଲଟ ସୁମିତ ଶଭ୍ରଓ୍ୱାଲ। ସେ ଖୁବ ଶୀଘ୍ର ଚାକିରୀ ଛାଡ଼ିବାକୁ ଯାଉଛନ୍ତି ଓ ତାଙ୍କ ଯତ୍ନ ନେବେ ବୋଲି ବାପାଙ୍କୁ କହିଥିଲେ ସୁମିତ। ୮୮ ବର୍ଷୀୟ ବାପା ମୁମ୍ୱାଇର ପଓ୍ୱଇ ଅଞ୍ଚଳରେ ଏକୁଟିଆ ରହୁଥିଲେ। ଆଉ ପୁଅର ପରଲୋକ ଖବର ପାଇ ଭାଙ୍ଗିପଡ଼ିଛନ୍ତି ବୁଢ଼ା ବାପା। ସେପଟେ ବିଜେ ମେଡିକାଲ କଲେଜ ହଷ୍ଟେଲରୁ ପିଲାମାନଙ୍କୁ ନେବା ପାଇଁ ଅଭିଭାବକ ଭିଡ଼ ଲଗାଇଛନ୍ତି। କାରଣ ବିମାନ କ୍ରାସ ପରେ ବଏଜ ହଷ୍ଟେଲ ଉପରେ ପଡ଼ିଥିଲା। ଆଉ ହଷ୍ଟେଲ ପୁରା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଅନେକ ଡାକ୍ତରୀ ଛାତ୍ର ମୃତ୍ୟୁବରଣ କରିବା ସହ ଅନେକ ଚିକିତ୍ସାଧୀନ ଅଛନ୍ତି। ଟ୍ରାଫିକରେ ଫସିଥିବାରୁ ମିସ୍ କରିଦେଇଥିଲେ ଫ୍ଲାଇଟ୍। ମାତ୍ର ୧୦ ମିନିଟ୍ ହାତରେ ଥିଲେ, ସେ ଫ୍ଲାଇଟରେ ଚଢ଼ିପାରିଥାଆନ୍ତେ। କିନ୍ତୁ ଟ୍ରାଫିକ ଭିଡ଼ରେ ଫସିଯିବାରୁ ଏୟାରଇଣ୍ଡିଆ ବିମାନ ମିସ୍ କରିଦେଲେ। ଆଉ ବସିଥିଲେ ସେ ବି ଆଉ ଦୁନିଆରେ ନଥାଆନ୍ତେ ବୋଲି କହିଛନ୍ତି ଭୂମି ଚୌହ୍ୱାନ। ଅହମଦାବାଦରୁ ଲଣ୍ଡନ ଯାଉଥିବା ବିମାନରେ ସେ ଟିକଟ କରିଥିଲେ।  ଭୂମିକା ଚେକ୍ଇନ ଗେଟରେ ପହଞ୍ଚିସାରିଥିଲେ। ଫ୍ଲାଇଟ ସମୟ ଥିଲେ ଗୋଟାଏ ୧୦ ମିନିଟରେ। ଟ୍ରାଫିକ ଜାମରେ ଫସିଯିବାରୁ ସେ ବିମାନବନ୍ଦରରେ ୧୨ଟା ୨୦ରେ ପହଞ୍ଚିଥିଲେ। କିନ୍ତୁ ଏୟାରଇଣ୍ଡିଆ ୧୨ଟା ୧୦ ସୁଦ୍ଧା ଚେକଇନ, ସିକ୍ୟୁରିଟି ଚେକ୍ ସବୁ କ୍ଲୋଜ କରିଦେଇଥିଲେ। କେବଳ ୧୦ ମିନିଟ ବିଳମ୍ୱ ହୋଇଛି। ତାଙ୍କୁ ଫ୍ଲାଇଟରେ ଯିବାକୁ ଦିଆଯାଉ ବୋଲି ଅନୁରୋଧ କରିଥିଲେ ଭୂମି। ଇମିଗ୍ରେସନ ପ୍ରକ୍ରିୟା ଯାହା ସାରିବାର ଥିବ, ସେ ୧୦ ମିନିଟରେ କ୍ଲିଅର କରିଦେବେ। କିନ୍ତୁ ଏୟାରଇଣ୍ଡିଆର ୩ ଜଣ ବରିଷ୍ଠ ଅଧିକାରୀ କହିଥିଲେ, ତାଙ୍କର ୧୦ ମିନିଟ ବିଳମ୍ୱ ଲାଗି ଫ୍ଲାଇଟ୍ ଆହୁରି ୧୫ ମିନିଟ ବିଳମ୍ୱରେ ଉଡ଼ାଣ ଭରିବାକୁ ପଡ଼ିବ। ଆଉ ବାଧ୍ୟ ହୋଇ ଭୂମି ଘରକୁ ଫେରିବାକୁ ପଡ଼ିଥିଲା। ଭୂମି ବିମାନବନ୍ଦରରୁ ଘରକୁ ଫେରିବା ବାଟରେ ହିଁ ବିମାନ ଦୁର୍ଘଟଣା ଖବର ପାଇଥିଲେ। ସେ ଏ ଖବର ପାଇ ଭାଙ୍ଗିପଡ଼ିଥିଲେ। ତ ଅନ୍ୟ ପଟେ ଭଗବାନଙ୍କୁ ଏଥିଲାଗି କୃତଜ୍ଞତା ଜ୍ଞାପନ କରିଥିଲେ। ସେ ଅଳ୍ପକେ ବର୍ତ୍ତିଗଲେ। ଘଟଣାସ୍ଥଳରେ ଡିଜିଟାଲ ଭିଡିଓ ରେକର୍ଡର ବା ଡିଭିଆର ଜବତ କରିଛି ଏଟିଏସ। ଫରେନସିକ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିଛି। ଏନଡିଆରଏଫ ଟିମ୍ ବି ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି। ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରତିଟି ପରିବାରର ଦୁଃଖ ସମସ୍ତଙ୍କୁ ବ୍ୟଥିତ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *