ବଲାଙ୍ଗିର : ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ବଲାଙ୍ଗିର ପାଟଣାଗଡ ଜାତୀୟ ରାଜପଥର ମାୟା ବରାହ ଠାରେ ଆମ୍ବୁଲାନ୍ସ ଧକ୍କାରେ କାର ଭିତରେ ଚେପାରେ ସ୍ବାମୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ରାସ୍ତାରେ ଛିଡା ହୋଇଥିବା ଏହି କାର ପଛ ପଟେ ଆମ୍ବୁଲାନ୍ସ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି। ମୃତକ ଜଣକ ବଲାଙ୍ଗିର ଜିଲ୍ଲା ଭାଲୁଜୁରୀ ଗାଁର ଖୁସି ମହାନନ୍ଦ ବୋଲି ଜଣାପଡିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।
ଘଟଣା ଅନୁସାରେ, ଗତକାଲି ରାତିରେ ଭାଲୁଜୁରୀ ଗାଁର ଖୁସି ମହାନନ୍ଦ କାରରେ ଚିକିତ୍ସା ପାଇଁ ଝିଅକୁ ଚୁଡାପାଲି ଡାକ୍ତରଖାନାକୁ ଆଣୁଥିଲେ। ହେଲେ ଗାଡି ଖରାପ ହେବାରୁ ରାତି ୧୦ଟା ସମୟରେ ମାୟା ବରାହ ଠାରେ ଅଟକି ଥିଲେ। ହେଲେ ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଆମ୍ବୁଲାନ୍ସ ଆସି କାରର ପଛ ପଟେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି। ଆମ୍ବୁଲାନ୍ସ ଧକ୍କାରେ କାର ଚୁରମାର ହୋଇ ଯାଇଛି। ତା ସହ ମାଲିକ କାର ତଳେ ଚାପି ହୋଇଯାଇଥିଲେ। ବହୁ ପରିଶ୍ରମ ପରେ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା।
ତେବେ ଆଜି ସକାଳୁ ଅଞ୍ଚଳର ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ରାସ୍ତାରୋକ ଫଳରେ ଉଭୟ ପଟେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା, ହେଲେ ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସକୁ ଆଣୁଥିବା ସମୟରେ ଲୋକେ ପୋଲିସ ସହ ବଚସା ହୋଇଥିବା ଦେଖିବାକୁ ମିଳିଥିଲା। ଦାବି ପୂରଣ ନ ହେବା ଯାଏ ରାସ୍ତାରୋକ ଜାରି ରଖିବାକୁ ଅଡି ବସିଛନ୍ତି ଉତ୍ୟକ୍ତ ଲୋକେ। ରାସ୍ତା ରୋକୋ ଫଳରେ ଶହ ଶହ ଗାଡ଼ି ଉଭୟ ପଟରେ ଅଟକି ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now