ଜାତୀୟଦୁର୍ଘଟଣା

ମୋର୍ବି ଝୁଲାପୋଲ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧କୁ ବୃଦ୍ଧି

ଗାନ୍ଧୀନଗର: ଗୁଜରାଟ ମୋର୍ବିଠାରେ ରବିବାର ସଂଧ୍ୟାରେ ଛିଡି ପଡିଥିବା ଝୁଲା ପୋଲ ମାମଲାରେ ମୃତ୍ୟୁ ସଂଖ୍ୟା ୧୪୧କୁ ବୃଦ୍ଧିପାଇଛି। ଆଗକୁ ମଧ୍ୟ ଏହି ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ୧୭୭ ଜଣଙ୍କୁ ସୁରକ୍ଷିତ ରକ୍ଷା କରାଯାଇଛି। ୧୯ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ସଂଧ୍ୟାରେ ଏହି ଝୁଲା ପୋଲ ଉପରେ ପ୍ରାୟ ୫୦୦ ଲୋକଙ୍କ ସମାଗମ ହୋଇଥିବା ବେଳେ ପୋଲଟି ହଠାତ୍ ଛିଡି ପଡିଥିଲା।   

ଏହି ଦୁର୍ଘଟଣା ପରେ ହିଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଦ୍ଧାର କାର୍ଯ୍ୟରେ ସ୍ଥଳ, ଜଳ ଓ ବାୟୁ ସେନା ସହ ଏନଡିଆରଏଫ, ଅଗ୍ନିଶମ ବିଭାଗର କର୍ମଚାରୀ ନିୟୋଜିତ ରହିଛନ୍ତି। ରାତିରେ ମଧ୍ୟ  ଏନ୍‌ଡିଆର୍‌ଏଫ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ।

କିଛି ଦିନ ଧରି ମରାମତି ପାଇଁ ପୋଲ ବନ୍ଦ ରହିଥିଲା। ଗତ ୨୬ ତାରିଖ ପୋଲ ଖୋଲିଥିଲା। ଦୁର୍ଘଟଣା ଦିନଟି ରବିବାର ଛୁଟି ଦିନ ହେବା ସହ ଛଠ ପର୍ବ ଚାଲିଥିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏକା ସାଙ୍ଗରେ ପୋଲ ଉପରେ ଚଢିଯାଇଥିଲେ।  ପୋଲର କ୍ଷମତା ୨୦୦ରୁ ୨୫୦ ଶହ ଥିବା ବେଳେ ୫୦୦ ଲୋକ ପୋଲରେ ଚଢିବାରୁ ପୋଲର କେବୁଲ ଛିଡି ପଡିଥିଲା ଓ ଶହ ଶହ ଲୋକ ପାଣିକୁ ଓ ନଦୀ ପଠାରେ ଖସି ପଡିଥିଲେ। ନଦୀରେ ୧୫ ଫୁଟରୁ ଅଧିକ ଗଭୀରର ପାଣି ପ୍ରବାହିତ ହେବା ସହ ପାଣିରେ ସ୍ରୋତ ପ୍ରଖର ରହିଥିଲା। ଲୋକେ ଖସି ପଡିବା ବେଳେ ଉଦ୍ଧାର ପାଇଁ ଛାତି ଫଟା ଚିତ୍କାରରେ ସେହି ଅଞ୍ଚଳ ଫାଟି ପଡୁଥିଲା ଯେମିତି।

ଦୁର୍ଘଟଣା ପରେ ପରେ ସ୍ଥାନୀୟ ଲୋକେ କୂଳରେ ଓ ପାଣିରେ ପଡିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଯାଇଥିଲେ। ପରେ ତିନି ସେନାଙ୍କୁ ସାମିଲ କରାଯାଇଛି। ଏନଡିଆରଏଫ ମଧ୍ୟ ସାରା ରାତି ନଦୀରେ ଲୋକଙ୍କ ଖୋଜିବାରେ ଲାଗିଥିଲା।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର  ଲେଖାଏଁ ଅନୁକମ୍ପା ରାଶି  ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଦୁର୍ଘଟଣାର କାରଣ ଖୋଜା ଚାଲିଛି। ଯାଞ୍ଚ ପୂର୍ବରୁ ସରକାରୀ ଅନୁମତି ବିନା ପୋଲ ଖୋଲିବାକୁ ନେଇ ୯ ଜଣଙ୍କୁ ଗିରଫ କରାଯାଇଛି। କାହା ଅନୁମତିରେ ପୋଲକୁ ଖୋଲା ଯାଇଥିଲା ଓ କାହିଁକି ଏପରି ତରବରିଆ ଭାବେ ଖୋଲାଗଲା ପୋଲ ତାର ଯାଞ୍ଚ ଚାଲିଛି।

Related Articles

Leave a Reply

Your email address will not be published.

Back to top button