ଉତ୍ତରାଖଣ୍ଡ ଚମୋଲିର ସୁଡ଼ଙ୍ଗ ଭିତରେ ବଡ଼ ଦୁର୍ଘଟଣା। ଦୁଇଟି ଟ୍ରେନ ଭିତରେ ଧକ୍କାରୁ ଶହେରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନ୍ଧକାର ସୁଡ଼ଙ୍ଗ ଭିତରେ ଦୁର୍ଘଟଣା ହୋଇଥିଲା। ମଙ୍ଗଳବାର ରାତି ସାଢ଼େ ୯ଟାର ଘଟଣା। ଲୋକୋ ଟ୍ରେନରେ ୧୦୯ ଅଧିକାରୀ ଓ ଶ୍ରମିକ ଥିଲେ। ଯେଉଁମାନେ ନିଜ ସିଫ୍ଟ ପୁରା କରି ଫେରୁଥିଲେ। ବିଷ୍ଣୁଗାଡ଼ ପିପଲକୋଟି ଜଳବିଦ୍ୟୁତ ପରିଯୋଜନାର ସୁଡ଼ଙ୍ଗରେ ଶ୍ରମିକ ଓ ଅଧିକାରୀଙ୍କୁ ନେଇ ଯାଉଥିବା ଲୋକୋ ଟ୍ରେନ୍ ସହ ସାମଗ୍ରୀ ପରିବହନ କରୁଥିବା ଟ୍ରେନ ଧକ୍କା ହୋଇଥିଲା। ଟକ୍କର ପରେ କୋଚ୍ ଲାଇନରୁ ଓଲଟିପଡ଼ିଥିଲା।ସମସ୍ତଙ୍କୁ ଉଦ୍ଧାର କରିବାକୁ ରାତିତମାମ ଚାଲିଥିଲା ରେସକ୍ୟୁ ଅପରେସନ। ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ରହିଛି। ୪୨ ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୧୭ ଜଣଙ୍କୁ ବିବେକାନନ୍ଦ ହସ୍ପିଟାଲକୁ ରେଫର କରାଯାଇଛି। ୫ଜଣଙ୍କ ଶରୀରରେ ଫ୍ରାକଚର ହୋଇଛି। ୬୬ ଜଣ ଆହତଙ୍କୁ ପ୍ରାଥମିକ ଉପଚାର ପରେ ଛୁଟି ଦିଆଯାଇଛି। ସମସ୍ତ ଆହତଙ୍କୁ ଉନ୍ନତମାନର ଚିକିତ୍ସା ଉପଲବ୍ଧ ସହ ଆବଶ୍ୟକସ୍ଥଳେ ବଡ଼ ହସ୍ପିଟାଲକୁ ରେଫର କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ଆହତ ହୋଇଥିବା ଶ୍ରମିକ ବିହାର, ଓଡ଼ିଶା ଓ ଝାଡ଼ଖଣ୍ଡର। ମୋଟ୍ ୪୪୪ ମେଗାଓ୍ୱାଟ୍ କ୍ଷମତା ବିଶିଷ୍ଟ ଏହି ଜଳ ବିଦ୍ୟୁତ୍ ପରିଯୋଜନା ଅଳକାନନ୍ଦା ନଦୀ ଉପରେ ହେଲଙ୍ଗ ଓ ପିପଲକାଟି ଭିତରେ ତିଆରି ଚାଲିଛି। ପରିଯୋଜନାରେ ୪ଟି ଟର୍ବାଇନ ଜରିଆରେ ୧୧୧ ମେଗାଓ୍ୱାଟ୍ ବିଜୁଳି ଉତ୍ପାଦନ ହେବ। ଏହାକୁ ଆସନ୍ତା ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଟାର୍ଗେଟ ରହିଛି। ଏଭଳି ଦୁର୍ଘଟଣାରେ ଭାରତୀୟ ରେଲଓ୍ୱେର କୌଣସି ସମ୍ପର୍କ ନାହିଁ। ଉତ୍ତରାଖଣ୍ଡ ସରକାର ସ୍ପଷ୍ଟ କରିଛନ୍ତି, ପ୍ରୋଜେକ୍ଟ ଲାଗି ସ୍ଥାନୀୟସ୍ତରରେ ଏହି ପରିବହନ ବ୍ୟବସ୍ଥାର ପ୍ରୟୋଗ ହୁଏ। ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। କାହା ଅବହେଳାରୁ ଏଭଳି ଅଘଟଣ ଘଟିଲା ଓ କିଏ ଦାୟୀ, ତାହାର ଛାନଭିନ ଆରମ୍ଭ ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now