ଭୁଷୁଡ଼ିଲା ଗମ୍ଭୀରା ପୋଲ। ଦି ଖଣ୍ଡ ହୋଇଗଲା। ଆଉ ପୋଲରୁ ମହିସାଗର ନଦୀକୁ ଖସିପଡ଼ିଲା ଗୋଟିଏ ପରେ ଗୋଟିଏ ଗାଡ଼ି। ଟ୍ରକ, ଟ୍ୟାଙ୍କର, ବୋଲେରୋ ଓ ବାଇକ୍ ଖସିପଡ଼ିଥିଲା ନଦୀ ଗର୍ଭକୁ। ୨ଟି ଟ୍ରକ୍ ସମେତ ୪ଟି ଗାଡ଼ି ଖସିପଡ଼ିବାରୁ ୯ଜଣଙ୍କ ମୃତ୍ୟୁ ହୋଇଛି। ଆଉ ଏକ ଟ୍ରକ୍ ଅଧା ଝୁଲିକି ରହିଯାଇଥିଲା। ୫ଜଣଙ୍କୁ ରେସକ୍ୟୁ କରାଯାଇଛି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ନଦୀକୁ ଖସିପଡ଼ିଥିବା ଜଣେ ମହିଳା ଉଦ୍ଧାର କରିବାକୁ ଆକୁଳ ଚିତ୍କାର ସହ ତାଙ୍କ ପିଲା ଆଉ ନାହିଁ କହି ବୁକୁଫଟା କାନ୍ଦ ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କୁ ବ୍ୟଥିତ କରୁଥିଲା। ତାଙ୍କର କିଛି ହେବନି କହି ଲୋକେ ଆଶ୍ୱସ୍ତ କରୁଥିବା ସହ ତାଙ୍କୁ ଉଦ୍ଧାରରେ ଲାଗିପଡ଼ିଥିଲେ। ଗୁଜରାଟର ଗମ୍ଭୀରା ପୋଲ ଆନନ୍ଦ ଓ ଭଦୋଦରା ଜିଲ୍ଲାକୁ ଯୋଡ଼ିଥାଏ। ଆଜି ସକାଳୁ ଏହି ପୋଲ ଭୁଷୁଡ଼ି ପଡ଼ିଥିଲା। ମଝିରୁ ଭୁଷୁଡ଼ି ପଡ଼ିବାରୁ ପୋଲ ଉପରେ ଯାତାୟତ କରୁଥିବା ଗାଡ଼ି ଗୁଡ଼ିକ ନଦୀକୁ ଖସିପଡ଼ିଥିଲା। ଏମିତିରେ ଦୀର୍ଘ ୪୦ ବର୍ଷର ପୋଲ। ଦୀର୍ଘ ଦିନ ଧରି ଏହା ଏକପ୍ରକାର ବିପଦସଙ୍କୁଳ ଅବସ୍ଥାରେ ଥିଲା। ସ୍ଥାନୀୟ ଲୋକେ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି। ପୋଲରେ ଅନେକ ଫାଟ ଥିଲା। ବାରମ୍ୱାର ଏହାର ମରାମତି ଲାଗି ଲୋକେ ଦାବି କରିଆସୁଥିଲେ। କିନ୍ତୁ ପ୍ରାୟ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ପୋଲ ପ୍ରତି ସରକାର କର୍ଣ୍ଣପାତ କରୁନଥିଲେ। ଏହି ପୋଲ ୧୯୮୬ରେ ସମ୍ପୂର୍ଣ୍ଣ ହୋଇଥିଲା। ୮୩୨ ମିଟର ଲମ୍ୱା ଓ ସାଢ଼େ ୭ମିଟର ଓସାର ପୋଲର ଉଭୟ ପାର୍ଶ୍ୱରେ ଦେଢ଼ ମିଟରର ଫୁଟପାଥ୍ ବି ଅଛି। ୩କୋଟି ୧୬ଲକ୍ଷ ଟଙ୍କାରେ ଏହା ନିର୍ମିତ ହୋଇଥିଲା। ୧୯୮୧ରେ କାମ ଆରମ୍ଭ ହୋଇଥିଲା। ପୋଲ ଭୁଷୁଡ଼ିବାରୁ ଆନନ୍ଦ-ଭଦୋଦରା- ଭାରୁଚ କରିଡର କଟଅଫ୍ ହୋଇଯାଇଛି। ମୁଜପୁର ନିକଟରେ ଏହି ପୋଲ ଭୁଷୁଡ଼ି ପଡ଼ିଥିଲା। ଏମିତିରେ ଗୁଜରାଟରେ ପ୍ରବଳ ବର୍ଷା ଜାରି ରହିଛି। ରେସକ୍ୟୁ ଅପରେସନରେ ଏନଡିଆରଏଫ ଲାଗିଥିଲା। ବ୍ରିଜ୍ ଟ୍ରାଜେଡିକୁ ନେଇ ରାଜନୀତିକ ଆରୋପ ପ୍ରତ୍ୟାରୋପ ତେଜିଛି। ବିରୋଧୀ ଦଳ ନେତା ଅମିତ ଚାଓ୍ୱଡ଼ା ଗମ୍ଭୀରା ପୋଲ ଭାଙ୍ଗିବାର ଭିଡ଼ିଓ ସେୟାର କରିଛନ୍ତି। ପ୍ରଶାସନ ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛନ୍ତି। ଏହାକୁ ନେଇ ପ୍ରଶାସନ ପାଖରେ ଲମ୍ୱା ସମୟ ଧରି ଅଭିଯୋଗ ହୋଇଛି। କିନ୍ତୁ ପ୍ରଶାସନ ଏଯାଏ କୌଣସି କାର୍ଯାନୁଷ୍ଠାନ ନେଲାନି। ଗୁଜରାଟ ସରକାର ମେଡିକାଲ ଟିମ୍ ସମେତ ଇଞ୍ଜିନିୟରିଂ ଟିମକୁ ପଠାଇଛନ୍ତି। କାହାର ଅବହେଳାରୁ ଏଭଳି ବଡ଼ ଅଘଟଣ ଘଟିଲା, ତାହାର ଯାଞ୍ଚ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବିଶେଷଜ୍ଞ ଟିମକୁ ଘଟଣାସ୍ଥଳକୁ ପଠାଇଥିଲେ। ଆଉ ପୋଲ ଭୁଷୁଡ଼ିବା ପଛର କାରଣ ଠାବ କରିବାକୁ ନିର୍ଦେଶ ଦେଇଛନ୍ତି। ଗମ୍ଭିରା ପୋଲ ଗୁଜରାଟର ପ୍ରମୁଖ ପୋଲ ଭିତରେ ଅନ୍ୟତମ। ସକାଳ ପ୍ରାୟ ସାଢ଼େ ୭ଟାରେ ଏଭଳି ଅଘଟଣ ଘଟିଥିଲା।


Naxatra News is now on Whatsapp
Join and get latest news update delivered to you via whatsapp
Join Now