ନଦୀକୁ ଖସିପଡ଼ିଲା ହେଲିକେପ୍ଟର। ନିୟନ୍ତ୍ରଣ ହରାଇ ହଡସନ ନଦୀରେ କ୍ରାସରୁ ପାଇଲଟଙ୍କ ସମେତ ସ୍ପେନର ୬ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଆମେରିକାର ନ୍ୟୁୟର୍କରେ ଏହି ଦୁର୍ଘଟଣା ଘଟିଛି। ବେଲ୍ ୨୦୬ ହେଲିକେପ୍ଟର ଡାଉନଟାଉନ ମୈନହଟନ ହେଲିପ୍ୟାଡରୁ ଉଡ଼ାଣ ଭରିଥିଲା। ଏହାର ରୁଟ୍ ଷ୍ଟାଚ୍ୟୁ ଅଫ ଲିବର୍ଟି ଉପର ଦେଇ ନ୍ୟୁଜର୍ସି ଯାଇଥାଆନ୍ତା। ଏହି ହେଲିକେପ୍ଟରରେ ସ୍ପେନର ୫ ପର୍ଯ୍ୟଟକଙ୍କ ସହ ଜଣେ ପାଇଲଟ ଥିଲେ। କିନ୍ତୁ ଉଡ଼ାଣ ଭରିବାର କିଛି ସମୟ ପରେ ହିଁ ହେଲିକେପ୍ଟର ନିୟନ୍ତ୍ରଣ ହରାଇଥିଲା। ଆଉ କିଛି ସେକେଣ୍ଡ ଭିତରେ ଦ୍ରୁତ ଗତିରେ ଚକ୍କର କାଟି ଯାଇ ହଡ଼ସନ ନଦୀରେ ପଡ଼ିଥିଲା। ଏହା ପରେ ଏମର୍ଜେନ୍ସି ଟିମ୍ ତୁରନ୍ତ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା। ସମସ୍ତ ୬ ମୃତଦେହକୁ ନଦୀରୁ ଉଦ୍ଧାର କରାଯାଇଥିଲା। ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ବେଳେ ୨ ଜଣଙ୍କୁ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକଙ୍କ ଭିତରେ ୩ଟି ଛୋଟ ପିଲା ଅଛନ୍ତି। ମୃତକ ହେଲେ ସିମେନ୍ ପ୍ରେସିଡେଣ୍ଟ ଅଗଷ୍ଟିନ୍ ଏସକୋବର। ତାଙ୍କ ପତ୍ନୀ ଓ ୩ ସନ୍ତାନ। ବେଲ୍ ୨୦୬ ଟୁରିଷ୍ଟ ଫ୍ଲାଇଟ୍ ଅଟେ। ଏହାକୁ ଜଣେ ଅନୁଭବୀ ପାଇଲଟ ଚଲାଉଥିଲେ। ଯାହାଙ୍କ ପାଖରେ ୧୨ଶହ ଘଣ୍ଟାରୁ ଅଧିକ ସମୟ ଉଡ଼ାଣର କ୍ଷମତା ଥିଲା। ତେବେ ଦୁର୍ଘଟଣା ପଛର କାରଣ ଜାଣିବାକୁ ତନାଘନା ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତରୁ ମେକାନିକାଲ ତୃଟିରୁ ପାଇଲଟ ନିୟନ୍ତ୍ରଣ ହରାଇଥିଲେ ବୋଲି କୁହାଯାଇଛି। ଦ୍ୱିତୀୟ ସମ୍ଭାବନା କାଳେ ହେଲିକେପ୍ଟରରେ କୌଣସି ବସ୍ତୁ ପିଟି ହୋଇଥିଲା କି। ନଚେତ ପାଇଲଟଙ୍କ କୌଣସି ତୃଟିରୁ ଏହା ହୋଇଛି। ଆମେରିକା ଏଭିଏସନ ଆଡମିନିଷ୍ଟ୍ରେସନ ଏହାର ଯାଞ୍ଚ ଆରମ୍ଭ କରିଦେଇଛି। ତେବେ ହଡସନ ନଦୀରେ ଏଭଳି ଘଟଣା ପ୍ରଥମ ନୁହେଁ। ୨୦୦୯ରେ ଏକ ଯାତ୍ରୀ ବିମାନ ଓ ହେଲିକେପ୍ଟରର ଟକ୍କରରୁ ୯ ଲୋକଙ୍କ ମୃତ୍ୟୁ ହୋଇଥିଲା। ୨୦୧୮ରେ ଏକ ଟୁରିଷ୍ଟ ହେଲିକେପ୍ଟର ଦୁର୍ଘଟଣାଗ୍ରସ୍ତରୁ ୫ ପର୍ଯ୍ୟଟକ ମରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now