ଇନ୍ଦୋର ହନିମୁନ ଟ୍ରାଜେଡି ଘଟଣାରେ ଖୋଳତାଡ଼ ଜାରି ଭିତରେ ୟୁପିରୁ ଆଉ ଏକ ନବଦମ୍ପତ୍ତିଙ୍କ ଖୋଜଖବର ମିଳୁନି। ରାଜା ରଘୁବଂଶୀ ହତ୍ୟାକାଣ୍ଡ ପଛରେ ପତ୍ନୀ ସୋନମ ଓ ତାଙ୍କ ପ୍ରେମିକ କେମିତି କଣ୍ଟ୍ରାକ୍ଚ କିଲର ନିୟୋଜିତ କରିଥିଲେ। ତାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଉଠିଛି। ଆଉ ଏତିକିବେଳେ ୟୁପିର ନବଦମ୍ପତ୍ତି କୌଶଳେନ୍ଦ୍ର ଓ ଅଙ୍କିତାଙ୍କ ନିଖୋଜ ଖବର ସବୁଠି ହଇଚଇ ଖେଳାଇଦେଇଛି। ପ୍ରତାପଗଡ଼ର ସିଙ୍ଗିପୁର ଅଞ୍ଚଳରୁ ଏହି ନବଦମ୍ପତ୍ତି ହନିମୁନ ପାଇଁ ସିକ୍କିମକୁ ଯାଇଥିଲେ। କୌଶଳେନ୍ଦ୍ର ଓ ଅଙ୍କିତାଙ୍କ ବିବାହ ମେ ୫ରେ ହୋଇଥିଲା। ଦୁହେଁ ହନିମୁନ ଟ୍ରିପ୍ ଲାଗି ସିକ୍କିମକୁ ମେ ୨୪ରୁ ଯାଇଥିଲେ। ହେଲେ ୧୩ ଦିନ ହେଲା ଏହି ଦମ୍ପତ୍ତିଙ୍କ ଖୋଜଖବର ମିଳୁନି। ମେ ୨୯ରେ ସିକ୍କିମ ଯାତ୍ରା ବେଳେ ତାଙ୍କ ଗାଡ଼ି ହଜାରେ ଫୁଟ ତଳେ ତିସ୍ତା ନଦୀରେ ଖସିପଡ଼ିଥିଲା। ସେବେଠୁ ଏମାନଙ୍କ ପତ୍ତା ମିଳୁନି। ଅଙ୍କିତା ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ମେଡିସିନି ବିଭାଗରେ କାମ କରୁଥିଲେ। କୌଶଳେନ୍ଦ୍ର ଦିଲ୍ଲୀରେ ରହି ସିଭିଲ ସର୍ଭିସ ପରୀକ୍ଷା ଲାଗି ପ୍ରସ୍ତୁତି ଚଳାଇଥିଲେ। ପରିବାର ଲୋକେ ପ୍ରଶାସନକୁ ଗୁହାରି କରିଛନ୍ତି ଏମାନଙ୍କୁ ଖୋଜିବାକୁ। ଏମିତିରେ ୧୩ ଦିନ ହେଲା ତିସ୍ତା ନଦୀ ଓ ଖାଇର ଆଖପାଖରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ପୁଲିସର କହିବା କଥା, ମେ ୨୯ରେ ସିକ୍କିମର ଲାଚେନରୁ ଲାଚୁଙ୍ଗ ଫେରୁଥିଲା ବେଳେ ଗାଡ଼ି ତିସ୍ତା ନଦୀକୁ ଖସିଯାଇଥିଲା। ଏହି ଦମ୍ପତ୍ତି, ଡ୍ରାଇଭର ସମେତ ମୋଟ୍ ୯ ଜଣଙ୍କ ଏଯାଏଁ ପତ୍ତା ମିଳୁନି। ନିଖୋଜ ଥିବା ପର୍ଯ୍ୟଟକଙ୍କ ଭିତରେ ଦୁଇ ଜଣ ୟୁପିର, ଦୁଇ ଜଣ ତ୍ରିପୁରାର ଓ ଓଡ଼ିଶାର ୪ଜଣ ଥିଲେ। ସ୍ଥାନୀୟ ଡ୍ରାଇଭରଙ୍କ ବି ପତ୍ତା ମିଳିନି। ଏସଡିଆରଏଫ ଓ ଏନଡିଆରଏଫ ଟିମ୍ ନିରନ୍ତର ପ୍ରୟାସ ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ଶବ କି ଜୀବିତ ବ୍ୟକ୍ତି ଉଦ୍ଧାର ହୋଇପାରିଲେନି। ଯେଉଁ ହୋଟେଲରେ ଏହି ନବଦମ୍ପତ୍ତି ରହୁଥିଲେ, ସେଠାରୁ ଏମାନଙ୍କ ବ୍ୟାଗେଜ୍ ଜବତ ହୋଇଛି। କିନ୍ତୁ ଏଯାଏଁ କୌଣସି ସ୍ପଷ୍ଟ ହୋଇନି କି, ଏହି ଦମ୍ପତ୍ତି ନଦୀରେ ବୁଡ଼ିଛନ୍ତି କି ନାହିଁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now