ମାଲେଗାଁ ବିସ୍ପୋରଣ ମାମଲା ଶୁଣାଣୀ

Spread the love

ବମ୍ୱେ: ମାଲେଗାଁ ବିସ୍ପୋରଣ ମାମଲାର ଶୁଣାଣୀରୁ ଓହରିଗଲେ ବିଚାରପତି। ମାମଲା ସମ୍ପର୍କିତ କୌଣସି ଶୁଣାଣୀରେ ଆଉ ସାମିଲ୍ ହେବେନି ବୋଲି ନିଜ ଆଡ଼ୁ ଓହରିଯାଇଛନ୍ତି ଜଷ୍ଟିସ୍ ରେବତୀ ମୋହିତେ ଡେରେ। କାରଣ ଶୁଣାଣୀ ବେଳେ ଜଣେ ସହ-ଅଭିଯୁକ୍ତ ଜଷ୍ଟିସ ଡେରେଙ୍କୁ ଅଙ୍ଗୁଳି ନିର୍ଦେଶ କରିଥିଲେ କି, ୨୦୧୧ରେ ପ୍ରସିକ୍ୟୁସନ ପକ୍ଷରୁ ମାମଲା ଲଢିଥିଲେ ଜଷ୍ଟିସ ଡେରେ। ତେବେ ପୁରା ମାମଲା କଅଣ ଥିଲା,ଆସନ୍ତୁ ଦେଖିବା ଏହି ରିପୋର୍ଟରେ।

ଶୁଣାଣୀରୁ ଓହରିଗଲେ ବିଚାରପତି। କାରଣ ଯେଉଁ ମାମଲାର ଶୁଣାଣୀ କରୁଥିଲେ, କାଠଗଡ଼ାରେ ଜଣେ ଅଭିଯୁକ୍ତ ବିଚାରପତିଙ୍କୁ ଅଙ୍ଗୁଳି ନିର୍ଦେଶ କରିଥିଲା। ମାଲେଗାଁ ବିସ୍ଫୋରଣ ମାମଲାର ଶୁଣାଣୀ କରୁଥିଲେ ବିଚାରପଚି ଜଷ୍ଟିସ ରେବତୀ ମୋହିତେ ଡେରେ। ୨୦୦୮ରେ ଏହି ବିସ୍ଫୋରଣ ହୋଇଥିଲା। ଏଥିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ପ୍ରସାଦ ପୁରୋହିତ ଓ ବିଜେପି ସାଂସଦ ପ୍ରୟାଗ ସିଂ ଠାକୁରଙ୍କ ସଂପୃକ୍ତି କଥା ଉଠିଥିଲା। କିନ୍ତୁ ଶୁଣାଣୀ କରୁଥିଲା ବେଳେ ଜଣେ ସହ-ଅଭିଯୁକ୍ତ କହିଥିଲେ କି, ଜଷ୍ଟିସ ଡେରେ ପ୍ରସିକ୍ୟୁସନ ପାଇଁ ୨୦୧୧ରେ କେସ୍ ଲଢ଼ିଥିଲେ। ଏହାକୁ ଦେଖି ଜଷ୍ଟିସ ଡେରେ ନିଜ ଆଡ଼ୁ ଏ ସମ୍ପର୍କିତ କୌଣସି ମାମଲାର ଶୁଣାଣୀ କରିବେନି ବୋଲି ସ୍ପଷ୍ଟ କରିଛନ୍ତି। ମାମଲା ଶୁଣାଣୀରୁ ଓହରିଯାଇଛନ୍ତି। ଯଦିଓ ଏନଆଇଏ ସ୍ପଷ୍ଟ କରିଥିଲା କି, ଯଦିଓ ଜଷ୍ଟିସ ଡେରେ ଏହି ମାମଲାର ଶୁଣାଣୀ ଜାରି ରଖିବେ, ସେମାନଙ୍କର କୌଣସି ଆପତ୍ତି ନାହିଁ। ଏମିତିରେ ବି ଜଷ୍ଟିସ ଡେରେ ଏହି ମାମଲାର ଟ୍ରାଏଲକୁ ତ୍ୱରାନ୍ୱିତ କରିବାକୁ ଆଗରୁ ସମାନ ଅଭିଯୁକ୍ତଙ୍କ ଆବେଦନ ଉପରେ ଅର୍ଡର ପାସ୍ କରିଥିଲେ। କିନ୍ତୁ ଶେଷ ଶୁଣାଣୀବେଳେ ଅଭିଯୁକ୍ତକୁ କୌଣସି ଆଶ୍ୱସ୍ତି ଦେଇନଥିଲେ ବିଚାରପତି ଡେରେ। ବମ୍ୱେ ହାଇକୋର୍ଟରେ ଗଲା ମାସ ଏନଆଇଏ ଦାଖଲ କରିଥିବା ରିପୋର୍ଟରେ ଦର୍ଶାଇଥିଲା କି, ୪୯୫ ସାକ୍ଷୀଙ୍କ ଭିତରୁ ଏ ଯାଏ ବି ୨୧୮ ସାକ୍ଷୀଙ୍କୁ ପଚରାଉଚୁରା ବାକି ଅଛି। ୨୧ ସାକ୍ଷୀ ନିଜ ଆଡ଼ୁ ଓହରିଯାଇଛନ୍ତି। ୩ ସାକ୍ଷୀଙ୍କୁ ଏନଆଇଏ ଡ୍ରପ୍ କରିଛି। ସେପ୍ଟେମ୍ୱର ୨୯, ୨୦୦୮ରେ ନର୍ଥ ମହାରାଷ୍ଟ୍ରର ମାଲେଗାଁ ମସଜିଦ ପାଖରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ବିସ୍ଫୋରକ ଭର୍ତ୍ତି ଏକ ଏଲଏମଏଲ ଫ୍ରିଡମ୍ ମଟରସାଇକେଲରେ  ଏହା କରାଯାଇଥିଲା। ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଶତାଧିକ ଆହତ ହୋଇଥିଲେ। ମାମଲାର ତଦନ୍ତ ଦାୟିତ୍ୱ ପ୍ରଥମେ ଏଟିଏସ ହାତକୁ ନେଇଥିଲା। ପରେ ଏହାକୁ ଏନଆଇଏ ଛାନଭିନ୍ କରିଥିଲା। ଠାକୁର ଓ ପୁରୋହିତ ଦୁହେଁ ମୁଖ୍ୟ ଅଭିଯୁକ୍ତ ଓ ଏମାନଙ୍କ ବିରୁଦ୍ଧରେ ହତ୍ୟା, ଧାର୍ମିକ ବିଦ୍ୱେଷର ମଞ୍ଜି ବୁଣିବା, ସାମାଜିକ ସଦ୍ଭାବ କ୍ଷୁର୍ଣ୍ଣ କରିବା ଆଦି ମାମଲା ରୁଜୁ କରିଥିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *