ମୌନୀ ଅମାବାସ୍ୟା ଅମୃତ ସ୍ନାନ ଲାଗି ମହାକୁମ୍ଭ ମେଳାରେ ସମବେତ ଶ୍ରଦ୍ଧାଳୁଙ୍କ ଭିତରେ ଦଳାଚକଟାରୁ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ଏଭଳି ଘଟଣାରେ ଶତାଧିକ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ବୁଧବାର ବିଳମ୍ୱିତ ରାତି ସାଢ଼େ ଗୋଟାଏ ପାଖାପାଖି ଏହି ଅଘଟଣ ଘଟିଥିଲା। ଦଳାଚକଟା ଲାଗି ପ୍ରଶାସନର ଅନୁରୋଧ ରଖି ସମସ୍ତ ୧୩ଟି ଆଖଡ଼ା ମୌନୀ ଅମାବାସ୍ୟାରେ ଅମୃତ ସ୍ନାନକୁ ରଦ୍ଦ କରିଦେଇଛନ୍ତି। ଆଖଡା ପରିଷଦ ଅଧ୍ୟକ୍ଷ କହିଛନ୍ତି, ତ୍ରିବେଣୀ ସଙ୍ଗମରେ ଅତ୍ୟଧିକ ଭିଡ଼ରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଭଳି ଅଘଟଣ ବାବଦରେ ପ୍ରଧାନମନ୍ତ୍ରୀ ମୋଦି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଛନ୍ତି। ଆଖଡ଼ା ପରିଷଦ ମହାସଚିବ ଶ୍ରଦ୍ଧାଳୁଙ୍କୁ ଅପିଲ୍ କରିଛନ୍ତି ଯେ, ଯେଉଁଠି ବି ଅଛନ୍ତି, ସେହି ଜାଗାରେ ଗଙ୍ଗାରେ ସ୍ନାନ କରନ୍ତୁ। ଆଉ ତୁରନ୍ତ ଘରକୁ ଫେରିଯାଆନ୍ତୁ। ସ୍ଥିତି ନିୟନ୍ତ୍ରଣ ହେବା ଯାଏ ନିଜ କ୍ୟାମ୍ପରେ ରୁହନ୍ତୁ ବୋଲି ଅପିଲ୍ କରିଛନ୍ତି। ପ୍ରଶାସନ ଭିଆଇପିଙ୍କ ସେବା ଓ ତୁଷ୍ଟିକରଣରେ ମାତିଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ଆରୋପ ଲଦିଛନ୍ତି ମହାମଣ୍ଡଳେଶ୍ୱର ପ୍ରେମାନନ୍ଦ ପୁରୀ। କୁମ୍ଭମେଳାକୁ ସେନା ହାତରେ ଛାଡ଼ିଥିଲେ ଏଭଳି ହୋଇନଥାଆନ୍ତା। କୁମ୍ଭମେଳା କି ବ୍ୟବସ୍ଥା ସହ ପ୍ରଶାସନର କୌଣସି ଲେନଦେନ ନଥିଲା।
ଗୁଜବ କାରଣରୁ ସଙ୍ଗମ ଘାଟରେ ଦଳାଚକଟା ସ୍ଥିତି ଉପୁଜିଥିଲା। ବ୍ୟାରିକେଡ୍ ଭାଙ୍ଗିଯିବାରୁ ଅନେକ ମହିଳା ତଳେ ପଡ଼ିଯାଇଥିଲେ। ଆଉ ଭିଡ଼ ସେମାନଙ୍କୁ ଚକଟି ଚାଲିଯାଇଥିଲା। ଘଟଣା ପରେ ୭୦ରୁ ଅଧିକ ଆମ୍ୱୁଲାନ୍ସ ତଟରେ ପହଞ୍ଚି ମୃତକ ଓ ଆହତଙ୍କୁ ହସ୍ପିଟାଲ ନେଇଥିଲା। ଆମ୍ୱୁଲାନ୍ସ ଲାଗି ଗ୍ରୀନ୍ କରିଡର କରାଯାଇଥିଲା। ଅଘଟଣ ପରେ ଏନଏସଜି କମାଣ୍ଡୋ ପରିସ୍ଥିତି ସମ୍ଭାଳିଥିଲେ। ରାପିଡ ଆକ୍ସନ ଫୋର୍ସ ରେସକ୍ୟୁ ଅପରେସନରେ ଲାଗିଥିଲା। ତ୍ରିବେଣୀ ସଙ୍ଗମକୁ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ କରିଦିଆଯାଇଛି। ପ୍ରୟାଗରାଜରେ ଆଉ ଯେଭଳି ଭିଡ଼ ନ ବଢ଼େ, ସେଥିଲାଗି ପ୍ରୟାଗରାଜ ସହର ସୀମାରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି।
ମୌନୀ ଅମବାସ୍ୟାରେ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଅମୃତ ସ୍ନାନ କରିବେ ବୋଲି ଆକଳନ କରିଥିଲା ପ୍ରଶାସନ। କିନ୍ତୁ ଭୋରରୁ ଅମୃତ ସ୍ନାନ ଆଗରୁ ଏଭଳି ଅଘଟଣରୁ ଏହାକୁ ରଦ୍ଦ କରିଦିଆଯାଇଛି। ଏମିତିରେ ମହାକୁମ୍ଭରେ ଭିଆଇପିଙ୍କ ମେଳି ଲାଗି ଶ୍ରଦ୍ଧାଳୁ କେମିତି ହନ୍ତସନ୍ତ ହୋଇଛନ୍ତି, ଏହି ବିବାଦ ଥମିନଥିଲା ବେଳେ ଦଳାଚକଟାରୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଖବର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି। ଏହାକୁ ନେଇ ରାଜନୀତିକ ଆରୋପ ପ୍ରତ୍ୟାରୋପ ତେଜିଛି। ଅଖିଳେଶ ଯାଦବ କହିଛନ୍ତି, ବିଶ୍ୱସ୍ତରୀୟ ବ୍ୟବସ୍ଥାର ଏ ହେଉଛି ବାସ୍ତବ ସତ। ପ୍ରଶାସନ ବିଫଳ। ସେନାକୁ ମହାକୁମ୍ଭ ମେଳାର ସୁରକ୍ଷା ବ୍ୟବସ୍ଥା ତୁରନ୍ତ ହସ୍ତାନ୍ତର କରାଯାଉ। ଅମୃତ ସ୍ନାନର ପରମ୍ପରାକୁ ବଜାୟ ରଖିବା ସହ ସମାନ୍ତରାଳ ଭାବେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉ। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦାନ ଜ୍ଞାପନ ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ରାହୁଲ ଗାନ୍ଧୀ। ମେଳାରେ ଶ୍ରଦ୍ଧାଳୁଙ୍କୁ ଛାଡ଼ି ପ୍ରଶାସନ ଭିଆଇପିଙ୍କ ଲାଗି ବେଶୀ ତତ୍ପରରୁ ଏଭଳି ଅଘଟଣ ଘଟିଲା। ଆଗକୁ ଅନେକ ମହାସ୍ନାନ ଅଛି। ଏହାର ଯେଭଳି ପୁନରାବୃତ୍ତି ନହୁଏ, ସେଥିଲାଗି ବ୍ୟବସ୍ଥାରେ ସୁଧାର ଆଣନ୍ତୁ ସରକାର ବୋଲି ଅପିଲ୍ କରିଛନ୍ତି ରାହୁଲ ଗାନ୍ଧୀ। ଭିଆଇପି ସଂସ୍କୃତିରେ ଲଗାମ ଲାଗିବା ଜରୁରୀ। ପୀଡ଼ିତ ପରିବାରକୁ ସହଯୋଗ କରିବାକୁ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ନିବେଦନ କରିଛନ୍ତି ରାହୁଲ। ଏଆଇସିସି ଅଧ୍ୟକ୍ଷ ଖଡ଼ଗେ କହିଛନ୍ତି, ଏଭଳି ଅଧପନ୍ତରିଆ ବ୍ୟବସ୍ଥାରୁ ଅଘଟଣ ଘଟିଲା। ନିଜକୁ ଅଧିକ ବିଜ୍ଞାପିତ କରି ଶ୍ରଦ୍ଧାଳୁଙ୍କ ଜୀବନକୁ ବିପଦରେ ପକାଇଲେ ସରକାର। ଶ୍ରଦ୍ଧାଳୁଙ୍କ ରହିବା, ଖାଇବା, ଚିକିତ୍ସା ଓ ମୁଭ୍ମେଣ୍ଟର ବ୍ୟବସ୍ଥାକୁ ବିସ୍ତାର କରିବା ଜରୁରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୁଜବରେ କେହି ପଡ଼ନ୍ତୁନି। ସଂଯମତା ସହ କାମ କରନ୍ତୁ। ପ୍ରଶାସନ ସବୁ ପ୍ରକାର ସେବା, ସହଯୋଗ ଓ ସହାୟତା ଦେବାକୁ ପ୍ରସ୍ତୁତ। ଏହି ଆୟୋଜନ ସମସ୍ତଙ୍କ ଲାଗି ହୋଇଛି। କୌଣସି ବ୍ୟକ୍ତିର ନକରାତ୍ମକ ଗୁଜବ ବିପଦ ସୃଷ୍ଟି କରିପାରେ।
ଦଳାଚକଟାରୁ ଶ୍ରଦ୍ଧାଳୁଙ୍କ ଜୀବନ ଗଲା। ଅମୃତ ସ୍ନାନ ଆଗରୁ ଏଭଳି ଦୁଃଖଦ ଘଟଣା ଯୋଗୀ ସରକାରକୁ କାଠଗଡାରେ ଛିଡା କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now