ମହାରାଷ୍ଟ୍ରରେ ବ୍ୟାପକ ଭୂସ୍ଖଳନ, ଏପର୍ଯ୍ୟନ୍ତ ୫ ମୃତ ୬୫ ଜଣ ଉଦ୍ଧାର, ୧୦୦ରୁ ଉର୍ଦ୍ଧ୍ୱ ଲୋକ ଏବେବି ମାଟି ତଳେ ଫଶିରହିଥିବା ଆଶଙ୍କା

Spread the love

ମୁମ୍ବାଇ : ବୁଧବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ଖାଲାପୁର ତହସିଲରେ ଅବସ୍ଥିତ ଇରଶାଲଗଡ ନାମକ ଏକ ଗାଁରେ ପ୍ରାୟ ୧୭ ଟି ଘର ମାଟି ତଳେ ପୋତି ହୋଇଯାଇଛି । ୧୦୦ରୁ ଉର୍ଦ୍ଧ୍ୱ ଲୋକ ଏବେ ସୁଦ୍ଧା ମାଟି ତଳେ ଫଶି ରହିଥିବା ଆଶଙ୍କା ରହିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ଗ୍ରାମବାସୀ ଏବଂ ଉଦ୍ଧାରକାରୀ ଦଳର କର୍ମଚାରୀ ଅଛନ୍ତି । ଗୁରୁବାର ସକାଳ ପର୍ଯ୍ୟନ୍ତ ୬୫ ଜଣ ଲୋକଙ୍କୁ ମାଟି ତଳୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF) ଦଳ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାସ୍ଥଳକୁ ଯିବା ବାଟରେ କାଦୁଅ ଥିବାରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି , କିନ୍ତୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳରେ ପହଞ୍ଚି ଅଧିକାରୀଙ୍କଠାରୁ ଘଟଣା ସମ୍ପର୍କରେ ସୂଚନା ନେଉଛନ୍ତି । ଏହି ଅବସରରେ ଉପସ୍ଥିତ ଥିବା ଅଭିଭାବକ ମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି ଯେ, ବୁଧବାର ରାତିରେ ପାହାଡର କିଛି ଅଂଶ ଇରଶାଲଗଡ ଗ୍ରାମ ଉପରେ ପଡିଛି। ଏହି ଘଟଣାରେ ଗାଁର ୧୭ଟି ଘର ପାହାଡର ଆବର୍ଜନା ତଳେ ସମ୍ପୂର୍ଣ୍ଣ ପୋତି ହୋଇଯାଇଥିଲା। ବିଳମ୍ବିତ ରାତିରେ ଏହି ଘଟଣାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ କଷ୍ଟସାଧ୍ୟ ହୋଇପଡିଥିଲା, କିନ୍ତୁ ଆଜି ସକାଳୁ ଏଠାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ହେଲିକପ୍ଟର ସାହାଯ୍ୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁଯାୟୀ, ବୁଧବାର ଦିନ ରାୟଗଡ ଜିଲ୍ଲାରେ ୧୬୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଇରଶାଲଗଡ ଗ୍ରାମରେ ସକାଳ ୧୧.୩୦ ରୁ ୧୨ଟା ମଧ୍ୟରେ ପ୍ରବଳ ବର୍ଷା ହେତୁ ପାହାଡର ଏକ ଅଂଶ ଭୁଶୁଡି ପଡି ଗାଁର ଘର ଉପରେ ପଡିଯାଇଥିଲା। ଏହି ଗାଁ ମୋର୍ବେ ଜଳଭଣ୍ଡାରଠାରୁ ୬ କିଲୋମିଟର ଦୂରରେ । କୁହାଯାଉଛି ଯେ ଗାଁରେ ଆଦିବାସୀମାନେ ବାସ କରନ୍ତି । ଏହି ଘଟଣା ପରେ ଗାଁରେ ଶୋକ ବ୍ୟାପିଛି ।

Leave a Reply

Your email address will not be published. Required fields are marked *