ଚୁନାର ଷ୍ଟେସନରେ ବଡ଼ ଅଘଟଣ। ହାଓଡ଼ା- କାଲକା ମେଲ ଟ୍ରେନ୍ ଧକ୍କାରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ରେଲଓ୍ୱେ ଟ୍ରାକ୍ ପାରି ବେଳେ ଏଭଳି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଶବ କ୍ଷତବିକ୍ଷତ ହୋଇଯିବାରୁ ଚିହ୍ନଟ କରିବା ମୁସ୍କିଲ ହୋଇପଡ଼ିଛି। ଜିଆରପି ଓ ଆରପିଏଫ ଜବାନ ଶବର ଖଣ୍ଡ ଖଣ୍ଡ ଟୁକୁଡ଼ା ଏକାଠି କରି ଶବ ବ୍ୟବଛେଦ ଲାଗି ପଠାଇଛନ୍ତି। ସୋନଭଦ୍ରରୁ ଆସୁଥିବା ଗୋମୋ -ପ୍ରୟାଗରାଜ ପାସେଞ୍ଜର ଟ୍ରେନ୍ ସକାଳ ସାଢ଼େ ୯ଟାରେ ୪ ନମ୍ୱର ପ୍ଲାଟଫର୍ମରେ ପହଞ୍ଚିଥିଲା। ଏଥିରେ ଥିବା ଶ୍ରଦ୍ଧାଳୁ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସ୍ନାନ ଉଦେଶ୍ୟରେ ଚୁନାର ଆସିଥିଲେ। ଫ୍ଲାଟଫର୍ମ ୪ରେ ଓହ୍ଲାଇ ୩ ନମ୍ୱର ପ୍ଲାଟଫର୍ମକୁ ଯିବା ପାଇଁ ରେଳଲାଇନ୍ ପାର ହେଉଥିଲେ। ଆଉ ଏତିକିବେଳେ ଥ୍ରୁ ଯାଉଥିବା କାଲକା ମେଲ୍ ସେମାନଙ୍କୁ ଧକ୍କା ଦେଇଥିଲା। ମିର୍ଜାପୁରରେ ୬ ଶ୍ରଦ୍ଧାଳୁ ଟ୍ରେନରେ କଟିଯାଇଥିଲେ। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦୁର୍ଘଟଣା ପରେ ଶବକୁ ଉଠାଇ ଟ୍ରାକ୍ କ୍ଲିଅରାନ୍ସ ପରେ ୧୦ଟା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now