ଗୁଣ୍ଡିଚାଘାଗି ବୁଲିବା ହେଲା କାଳ : ସ୍କୁଟି ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

Spread the love

ହରିଚନ୍ଦନପୁର/ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୁଣ୍ଡିଚାଘାଗି ଜଳପ୍ରପାତ ନିକଟରେ ଥିବା ବେଲିବ୍ରିଜରେ ଭାରସାମ୍ୟ ହରାଇ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ୨ ଜଣ ଗୁରୁତର ହୋଇଛନ୍ତି।

ଖବର ମୁତାବକ, ଘଟଗାଁର ତିନି ଜଣ ସାଙ୍ଗ ସୁରେନ୍ଦ୍ର ଦଳେଇ, ଅଜୟ କୁମାର ସିଂ, ସିପନ ଦେହୁରୀ ଆଜି ବୁଲିବା ପାଇଁ ଏକ ସ୍କୁଟି ଯୋଗେ ଗୁଣ୍ଡିଚାଘାଗି ଜଳପ୍ରପାତକୁ ଯାଇଥିଲେ । ଅପରାହ୍ନ ପ୍ରାୟ ୩ଟା ସମୟରେ ଜଳପ୍ରପାତରେ ଥିବା ବେଲିବ୍ରିଜ ଉପରେ ଏପଟରୁ ଅନ୍ୟ ପଟକୁ ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ବ୍ରିଜର ସୁରକ୍ଷା ବାଡ଼ାରେ ଧକ୍କା ଦେଇଥିଲେ । ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ସାଙ୍ଗ ଗୁରୁତର ଆହତ ହୋଇଥିଲେ । ମୃତ ଯୁବକ ଜଣକ ଘଟଗାଁ ଗ୍ରାମର ସୁରେନ୍ଦ୍ର ଦଳେଇ ବୋଲି ଜଣାପଡିଛି ।

ସ୍ଥାନୀୟ ଲୋକେ ଘଟଣା ଦେଖିବା ପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ସୁରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଖବର ପାଇ ଘଟଗାଁ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *