ଟ୍ରଲର-ଟ୍ରକ୍ ଧକ୍କା: ୧୩ ମୃତ

ରାୟପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମିନିଟ୍ରକ ଓ ଟ୍ରଲର ମୁହାଁମୁହିଁ ଧକ୍କାରେ ଚାଲିଗଲା ୧୩ ଜୀବନ। ଟୋଲ୍ ଗେଟ୍ ଟଙ୍କା ବଞ୍ଚାଇବାକୁ ଯାଇ ଟ୍ରଲର ଡ୍ରାଇଭର ଅଲଗା ରୁଟ୍ ଧରିଥିଲା।  କାରଣ ଟ୍ରଲରର ୩ ଫୁଟ୍ ବାହାରକୁ ବାହାରିଥିଲା ଲୁହା ଛଡ଼। ରବିବାର ବିଳମ୍ୱିତ ରାତିରେ ଦୁର୍ଘଟଣାରୁ ୧୩ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୩୦ଜଣ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ଟ୍ରକରେ ଥିବା ସମସ୍ତ ଲୋକ ଜନ୍ମଦିନ ସାରି ଘରକୁ ଫେରୁଥିଲେ। ଟ୍ରକ ଖରୋରାର ବାନା ଗାଁରୁ ଆସୁଥିଲା। କିନ୍ତୁ ବଙ୍ଗୋନିଠାରେ ରାୟପୁରରୁ ଆସୁଥିବା ଏକ ଟ୍ରଲର ଏହାକୁ ଧକ୍କା ଦେଇଥିଲା। ମୃତକଙ୍କ ଭିତରେ ୩ ପିଲା ଓ ୧୦ ମହିଳା ଅଛନ୍ତି। ଆହତଙ୍କୁ ରାୟପୁର ମେକହାରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପିଲା ଓ ମହିଳାଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଛି। ଦୁର୍ଘଟଣା ଖବର ପାଇ ପୁଲିସ ଓ ପ୍ରଶାସନ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ରେସକ୍ୟୁ ଅପରେସନ କରିଥିଲେ। ମୃତକ ହେଲେ ଚଟୋଦ ଗାଁପ ପୁନିତ ରାମ ସାହୁଙ୍କ ପରିବାର ଓ ସମ୍ପର୍କୀୟ। ଗାଁରେ ଥିବା ଏକ ଛୋଟ ପିଲାର ଜନ୍ମୋତ୍ସବରେ ସାମିଲ୍ ହୋଇ ଘରକୁ ଫେରୁଥିଲେ ଏମାନେ। ଟ୍ରଲରର ସାଇଡରୁ ବାହାରିଥିବା ଲୁହା ଛଡ଼ ସହ ମିନିଟ୍ରକର ଟକ୍କର ହୋଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମିନିଟ୍ରକ ଆଗ ଟ୍ରଲର ସାଇଡରୁ ବାହାରିଥିବା ଲୁହା ଛଡ଼ ସହ ଧକ୍କା ଖାଇଥିଲା। ଯାହା ଟ୍ରଲର ଦୁଇ ପାଖରୁ ୩ ଫୁଟ ଲେଖାଏଁ ବାହାରକୁ ବାହାରି ରହିଥିଲା। ଅନ୍ଧାର କାରଣରୁ ମିନିଟ୍ରକ ଡ୍ରାଇଭର ଏହାକୁ ଦେଖିପାରିନଥିଲେ। ଟ୍ରଲର ଡ୍ରାଇଭର ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଥିଲେ ହେଁ ପୁଲିସ ତାକୁ ଧରିଛି। ଘଟଣାର ଯାଞ୍ଚ ନିର୍ଦେଶ ଦେଇଛନ୍ତି ସରକାର। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଲାଗି କିଏ ଦାୟୀ। ତାହାର ଛାନଭିନ ଆରମ୍ଭ କରିଛି ପ୍ରଶାସନ। ସେପଟେ ସାହୁ ପରିବାରରେ ଶୋକର ଛାୟା ଖେଳିଯାଇଛି।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *