ସାଉଦି ଆରବରେ ଭୟଙ୍କର ଦୁର୍ଘଟଣା। ତେଲ ଟ୍ୟାଙ୍କର ସହ ଧକ୍କା ପରେ ଜଳିଗଲା ତୀର୍ଥଯାତ୍ରୀ ବସ୍। ବସ ନିଆଁରେ ୪୨ ଭାରତୀୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସମସ୍ତ ତୀର୍ଥଯାତ୍ରୀ ହାଇଦ୍ରାବାଦର। ମୃତକଙ୍କ ଭିତରେ ୨୦ ମହିଳା ଓ ୧୫ ପିଲା। ମକ୍କାରୁ ମଦିନା ଅଭିମୁଖେ ଯାଉଥିବା ବେଳେ ମୁଫରିହାଟ ପାଖରେ ଏଭଳି ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏ ମର୍ମନ୍ତୁଦ ଦୁର୍ଘଟଣାରେ ଅନେକ ପରିବାର ଛାରଖାର ହୋଇଯାଇଛି। ଶବକୁ କେମିତି ସାଉଦିଆରବରୁ ଭାରତକୁ ଫେରାଇ ଅଣାଯିବ, ସେ ନେଇ ଅପିଲ୍ କରିଛନ୍ତି ପୀଡ଼ିତଙ୍କ ପରିବାର। ସପ୍ତାହକ ପୂର୍ବରୁ ପ୍ରାୟ ୪୫ ତୀର୍ଥଯାତ୍ରୀଙ୍କୁ ନେଇ ବସ୍ ବାହାରିଥିଲା। ମଦିନାରୁ ୨୫ କିଲୋମିଟର ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା। ମକା ଟୁର୍ ଆଣ୍ଡ ଟ୍ରାଭେଲ୍ସ ସଂସ୍ଥା ସହ ପୀଡ଼ିତ ପରିବାର କଥା ହୋଇ ତୁରନ୍ତ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ। ସକାଳୁ ସକାଳୁ ଏ ଖବର ପାଇବା ପରେ ପରିବାର ଲୋକେ ସ୍ତବ୍ଧ ହୋଇଯାଇଛନ୍ତି। ଡ୍ରାଇଭର ଗୋଟିଏ ପିଲାକୁ ଧରି ଡେଇଁ ପଡିଥିଲେ। ସେମାନଙ୍କ ଅବସ୍ଥା କଅଣ, ତାକୁ ନେଇ ଯାଞ୍ଚ ଚାଲିଛି। ଏହି ବସ୍ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିଲା। ଏହି ଦୁର୍ଘଟଣା ରାସ୍ତାରେ ହୋଇଛି। ଦୁଇଟି ଟ୍ରାଭେଲ ଏଜେନ୍ସି ଏହି ତୀର୍ଥଯାତ୍ରୀଙ୍କୁ ନେଇ ମକା ମଦିନା ଯାଇଥିଲା। ଗୋଟିଏ ହେଲା ଅଲମୀନା ହଜ୍ ଫ୍ଲାଇ ଓ ଅନ୍ୟଟି ହେଲା ଉମରା ଟ୍ରାଭେଲ୍ସ। କେହି ବଞ୍ଚିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନି। ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ପରିବାର ଲୋକେ କହିଛନ୍ତି, ତୁରନ୍ତ ପାସପୋର୍ଟ ବ୍ୟବସ୍ଥା କରି ସେମାନଙ୍କୁ ସାଉଦି ଆରବକୁ ଯିବାକୁ ଦିଅନ୍ତୁ ସରକାର।ଜେଦାସ୍ଥିତ ଭାରତୀୟ ଦୂତାବାସ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତି। ଏହା ସହ ହେଲ୍ପଲାଇନ ନମ୍ୱର ଜାରି କରିଛନ୍ତି। ୮୦୦୨୪୪୦୦୦୩ (ଟୋଲଫ୍ରି), ୦୧୨୨୬୧୪୦୯୩, ୦୧୨୬୬୧୪୨୭୬ ଓ ହ୍ୱାଟସଅପ ନମ୍ୱର ୯୬୬୫୫୬୧୨୨୩୦୧ ଜାରି କରିଛି ଦୂତାବାସ। ତେଲେଙ୍ଗାନା ସଚିବାଳୟ ପକ୍ଷରୁ ବି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ୭୯୯୭୯୫୯୭୫୪, ୯୯୧୨୯୧୯୫୪୫। ସାଉଦି ଆରବର ସମୟ ଅନୁସାରେ ରାତି ସାଢ଼େ ଗୋଟାଏ ପାଖାପାଖି ଦୁର୍ଘଟଣା ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କଠୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏଭଳି ଘଟଣାରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଏ ଘଟଣାକୁ ନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଗଭୀର ଶୋକବ୍ୟକ୍ତ କରିବା ସହ ରିୟାଦରେ ଥିବା ଦୂତାବାସ ଓ ଜେଦାରେ ଥିବା କନସୁଲେଟ ପୀଡ଼ିତ ପରିବାରକୁ ସମସ୍ତ ସହାୟତା ଦେବାକୁ ନିର୍ଦେଶ ଦେଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଆର୍ ରେଭାନ୍ତ ରେଡ୍ଡୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଦିଲ୍ଲୀରେ ଥିବା ଦୂତାବାସ ଅଧିକାରୀଙ୍କ ସହ ତାଳମେଳ ରଖି ପୀଡ଼ିତଙ୍କ ଚିହ୍ନଟ ସହ ଅନ୍ୟ ଔପଚାରିକତାରେ ସହଯୋଗ କରିବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ରେଭାନ୍ତ। ଶବକୁ ସୁରକ୍ଷିତ ଭାବେ ଭାରତକୁ ଅଣାଯିବା ସହ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହୋଇଛି। ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓଓ୍ୱେସି କହିଛନ୍ତି, ସେ ଏ ନେଇ କେନ୍ଦ୍ର ସରକାରଙ୍କ ସହ ନିରନ୍ତର ସମ୍ପର୍କରେ ଅଛନ୍ତି। ଶବକୁ ଭାରତ ଫେରସ୍ତ ଓ ଆହତଙ୍କୁ ଉନ୍ନତ ଚିକିତ୍ସା ଲାଗି ଅନୁରୋଧ କରିଛନ୍ତି ଓୱେସି। ତେବେ ତୀର୍ଥଯାତ୍ରୀ ଯେବେ ବି ମକା ମଦିନା ଯାଆନ୍ତି, ସାଉଦି ଆରବ ସରକାର ସେମାନଙ୍କ ବୀମା କରିଥାଆନ୍ତି। ଏହି ବୀମା ସାଉଦି ଆରବ ପହଞ୍ଚିବା କ୍ଷଣି ସକ୍ରିୟ ହୁଏ। ଆଉ ଏହାର ବୈଧତା ପୁରା ୩୦ ଦିନ ରୁହେ। ଏହି ବୀମାର ସର୍ବାଧିକ କଭରେଜ୍ ୨୨ଲକ୍ଷ ଟଙ୍କା ଯାଏ ରହିଛି। ସାଉଦି ଆଇନ ଅନୁସାରେ, ହଜ୍ ଉମରାହ ଗସ୍ତ ବେଳେ କୌଣସି ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଲେ, ଅନ୍ତିମ ସଂସ୍କାର ସେଇଠାରେ ହିଁ କରାଯାଏ। କିନ୍ତୁ ବୀମାର ପୁରା ରାଶି ପରିବାରକୁ ମିଳେ। ଏହା ସହ ଭାରତ ସରକାର ବି ଆର୍ଥିକ ସହାୟତା ଯୋଗାନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now