ତିରୁପତି ମନ୍ଦିରରେ ଦଳାଚକଟାରୁ ୫ଜଣ ମହିଳାଙ୍କ ସମେତ ୬ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବୁଧବାର ରାତିରେ ଭିଡ଼ ଅସମ୍ଭାଳ ହେବାରୁ ଦଳାଚକଟା ସ୍ଥିତି ଉପୁଜିଥିଲା। ଘଟଣାରେ ତିରୁମାଳା ତିରୁପତି ଦେବସ୍ଥାନମ ବୋର୍ଡ ଅଧ୍ୟକ୍ଷ ବିଆର ନାଇଡୁଙ୍କୁ ଅଧ୍ୟକ୍ଷତାରେ ଜରୁରୀକାଳୀନ ବୈଠକ ହୋଇଥିଲା। କେଉଁ ପରିସ୍ଥିତିରେ ଏଭଳି ବିଶୃଙ୍ଖଳା ଉପୁଜିଲା ଓ ଅଘଟଣ ଘଟିଲା, ତାହାର ସମୀକ୍ଷା ହୋଇଛି। ବୈକୁଣ୍ଠ ଏକାଦଶୀ ଓ ବୈକୁଣ୍ଠ ଦ୍ୱାରଦର୍ଶନ ଉପଲକ୍ଷେ ଆଗୁଆ ଟୋକନ୍ ବଣ୍ଟନ ଲାଗି ଘୋଷଣା ହୋଇଥିଲା। ମୋଟ୍ ୯୪ଟି ଟିକଟ କାଉଣ୍ଟର ହୋଇଥିଲା। ତେବେ ଭିଡ଼କୁ କାବୁ କରିବାକୁ କୌଣସି ବ୍ୟବସ୍ଥା ନଥିଲା ବୋଲି ଜଣାପଡ଼ିଛି। ଗୋଟିଏ ଗୋଟିଏ କାଉଣ୍ଟରରେ ହଜାରେରୁ ଅଧିକ ଲୋକଙ୍କ ଭିଡ଼ ହୋଇଥିଲା। ୧ଲକ୍ଷ ୨୦ହଜାର ଟୋକନ ବାଣ୍ଟିବାକୁ ବ୍ୟବସ୍ଥା କରିଥିଲା ଟିଟିଡି। ବାର୍ଷିକ ଦର୍ଶନ ପୂର୍ବରୁ ଜାନୁଆରୀ ୧୦ରୁ ୧୯ ଯାଏ ଭଗବାନ ଭେଙ୍କଟେଶ୍ୱର ସ୍ୱାମୀଙ୍କ ନିଃଶୁଳ୍କ ଦର୍ଶନ ଲାଗି ଭକ୍ତଙ୍କୁ ୧ଲକ୍ଷ୨୦ହଜାର ଟୋକନ୍ ବାଣ୍ଟିବାର ବ୍ୟବସ୍ଥା ହୋଇଥିଲା। ୧୦ ଦିନିଆ ଉତ୍ସବ ଲାଗି ଗୁରୁବାର ଭୋର୍ ୫ଟାରୁ ଟୋକନ୍ ବଣ୍ଟାଯାଇଥାଆନ୍ତା। କିନ୍ତୁ ହଜାର ହଜାର ଶ୍ରଦ୍ଧାଳୁ ଟିଟିଡି ପକ୍ଷରୁ ହୋଇଥିବା କାଉଣ୍ଟରରେ ବୁଧବାର ସକାଳୁ ହିଁ ଭିଡ଼ ଜମାଇଥିଲେ। ସଂଧ୍ୟା ସୁଦ୍ଧା ଭିଡ଼ ବେକାବୁ ହୋଇଯାଇଥିଲା। ପରସ୍ପର ଭିତରେ ଠେଲାପେଲା ସ୍ଥିତି ଉପୁଜିଥିଲା।
ଟିଟିଡି ଅଧ୍ୟକ୍ଷ ବିଆର ନାଇଡୁଙ୍କ କହିବା କଥା, ଭିଡ଼ରେ ଅସୁସ୍ଥ ହୋଇଥିବା ଜଣେ ମହିଳାଙ୍କୁ ସହଯୋଗ କରିବାକୁ ଗେଟ୍ ଖୋଲିବା ମାତ୍ରେ ଭିଡ଼ ଏକାସାଙ୍ଗରେ ମାଡିଆସିଥିଲା। ଆଉ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଏଥିରେ ୬ଜଣଙ୍କ ମୃତ୍ୟୁ ସହ ୪୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ଭିତରୁ ୩୨ ଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଏଭଳି ଅଘଟଣକୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଆପ୍ ଆବାହକ କେଜ୍ରିଓ୍ୱାଲ ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଗୁରୁବାର ତିରୁପତି ମନ୍ଦିର ଯାଇଛନ୍ତି। ମୃତକଙ୍କ ପରିବାରକୁ ଭେଟିବା ସହ ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି। ଶ୍ରଦ୍ଧାଳୁଙ୍କର ଯେମିତି କୌଣସି ଅସୁବିଧା ନ ହୁଏ, ତାକୁ ସୁନିଶ୍ଚିତ କରିବାକୁ ଟିଟିଡି ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ପର୍ଯ୍ୟାପ୍ତ ପୁଲିସ ନିୟୋଜିତ ଲାଗି ଆଦେଶ ଦେଇଛନ୍ତି। ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନହୁଏ, ସେଥିଲାଗି ତାଗିଦ୍ କରିଛନ୍ତି ମନ୍ଦିର ପ୍ରଶାସନକୁ। ତିରୁପତି ଜିଲ୍ଲାପାଳଙ୍କ ଅଫିସରେ ୨୪ ଘଣ୍ଟିଆ ନିୟନ୍ତ୍ରଣ ରୁମ୍ ଖୋଲି ଆହତଙ୍କ ବାବଦରେ ସୂଚନା ଦେବାକୁ ବ୍ୟବସ୍ଥା ହୋଇଥିଲା। ଶୁକ୍ରବାରରୁ ଆରମ୍ଭ ବୈକୁଣ୍ଠ ଏକାଦଶୀ ଲାଗି ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ଏସ ଭେଙ୍କଟେଶ୍ୱର। ଏଭଳି ଦୁର୍ଭାଗ୍ୟଜନକ ଘଟଣା ଲାଗି ଶ୍ରଦ୍ଧାଳୁଙ୍କୁ କ୍ଷମା ମାଗିଛନ୍ତି ଟିଟିଡି ବୋର୍ଡ ସଦସ୍ୟ ଭାନୁପ୍ରକାଶ ରେଡ୍ଡୀ। ଟିଟିଡି ଇତିହାସରେ ଏମିତି ଘଟଣା କଦାପି ଘଟିନଥିଲା।
ଅନଲାଇନରେ ୧ଲକ୍ଷ ୪୦ହଜାର ଟିକେଟ୍ ଆଗୁଆ ଦିଆସରିଛି। ବୈକୁଣ୍ଠ ଦ୍ୱାରଦର୍ଶନ ପାଇଁ ମାଗଣା ପାସ୍ ପାଇବାକୁ ଅସମ୍ଭାଳ ଓ ଅନିୟନ୍ତ୍ରିତ ଭିଡ଼ ଅକାଳରେ ନେଇଗଲା ୬ଜୀବନ।
Naxatra News is now on Whatsapp
Join and get latest news update delivered to you via whatsapp
Join Now