ଆମେରିକାର ଲୁଇସଭିଲରେ କାର୍ଗୋ ବିମାନ କ୍ରାସରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଗୁରୁତର ଅଛନ୍ତି। ନିଆଁର ପ୍ରଭାବରେ ୮ କିଲୋମିଟର ଯାଏଁ ଲୋକେ ଘରୁ ନ ବାହାରିବାକୁ ପ୍ରଶାସନ ନିର୍ଦେଶ ଦେଇଛି। ଆମେରିକାର କେଣ୍ଟକି ରାଜ୍ୟରେ ଏହି ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଫେଡେରାଲ ଆଭିଏସନ ଅଥୋରିଟି ଅନୁସାରେ ୟୁପିଏସ କମ୍ପାନୀର ଫ୍ଲାଇଟ୍ ୨୯୭୬ ମହମ୍ମଦ ଅଲି ଇଣ୍ଟରନାସନାଲ ଏୟାରପୋର୍ଟରୁ ହୋନୁଲୁଲୁର ଡେନିଏଲ ଇନୌୟେ ଏୟାରପୋର୍ଟକୁ ଉଡ଼ାଣ ଭରୁଥିଲା। କିନ୍ତୁ ଉଡ଼ାଣ ଭରିବାର କିଛି ମୂହୂର୍ତ୍ତ ଭିତରେ ଏହା କ୍ରାସ କରିଯାଇଥିଲା। ଏୟାରପୋର୍ଟର ଦକ୍ଷିଣ ଭାଗରେ ବିମାନକ୍ରାସରୁ ଭୟଙ୍କର ନିଆଁ ବ୍ୟାପିଥିଲା। ସୋସିଆଲ ମିଡିଆରେ ଏହାର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ପୁଲିସ ଓ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମରେ ଲାଗିଥିଲେ। ବିମାନବନ୍ଦରକୁ ଅସ୍ଥାୟୀ ଭାବେ ତୁରନ୍ତ ବନ୍ଦ କରିଦିଆଯାଇଛି। କେଣ୍ଟକି ଗଭର୍ଣ୍ଣର ଏଣ୍ଡି ବେସେର କହିଛନ୍ତି, ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ବିମାନରେ ପ୍ରାୟ ୨୫ହଜାର ଗାଲୋନ ବା ୯୫ହଜାର ଲିଟର ଜେଟ୍ ଫୁଏଲ ଭରିଥିଲା। ଆଉ ବିଲଡିଂ ଉପରେ କ୍ରାସ୍ ହେବାରୁ ସେଥିଲାଗି ନିଆଁ ପ୍ରବଳ ମାତ୍ରାରେ ବ୍ୟାପିଯାଇଥିଲା। ଏହି ବିମାନ ମ୍ୟାକଡୋନାଲ୍ଡ ଡଗଲସର ଏମଡି-୧୧ ମଡେଲ ଥିଲା। ଏହି ମଡେଲ ପୂର୍ବରୁ ୧୯୯୦ରେ ଏକ ଯାତ୍ରୀ ବିମାନ ଭାବେ ଶୁଭାରମ୍ଭ ହୋଇଥିଲା। କିନ୍ତୁ ଇନ୍ଧନରେ ଦର ବୃଦ୍ଧି ପାଉଥିବା ଦେଖି ଏହାକୁ କାର୍ଗୋ ବିମାନରେ ବଦଳି ଦିଆଯାଇଥିଲା। ଏହି ବିମାନ ୨.୮ଲକ୍ଷ କିଲୋର ଓଜନ ସାମଗ୍ରୀ ପରିବହନ କରିବାର କ୍ଷମତା ରହିଛି। ଏଥିରେ ୩୮ହଜାର ଗ୍ୟାଲୋନ ଅର୍ଥାତ୍ ପ୍ରାୟ ୧.୪୪ଲକ୍ଷ ଲିଟର ଯାଏଁ ଇନ୍ଧନ ଭରି ହେବ। ଏହି ଏୟାରପୋର୍ଟ ୟୁପିଏସ କମ୍ପାନୀର ମେନ ସେଣ୍ଟର ଅଟେ। ଯେଉଁଠି ୧୨ହଜାରରୁ ଅଧିକ କର୍ମଚାରୀ ଦୈନିକ ୨୦ଲକ୍ଷ ପାର୍ସଲ ସମ୍ଭାଳନ୍ତି। ଏହି ସେଣ୍ଟର ୫୦ଲକ୍ଷ ବର୍ଗଫୁଟ ଏରିଆରେ ପରିବ୍ୟାପ୍ତ। ଏହି ଏୟାରପୋର୍ଟ ୟୁପିଏସ ଓ୍ୱାର୍ଲଡପୋର୍ଟ ନାଁରେ ଜଣା। ଫେଡେରାଲ ଆଭିଏସନ ଅଥୋରିଟି (ଏଫଏଏ) ଓ ନାସନାଲ ଟ୍ରାନ୍ସପୋର୍ଟେସନ ସେଫଟି ବୋର୍ଡ ବା ଏନଟିଏସବି ମିଳିତ ଭାବେ ଏହି ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରିଛି। ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଯେଉଁଠି ଜଣେ ଟ୍ରକ୍ ଡ୍ରାଇଭର ପ୍ଲେନ କ୍ରାସ ହେଉଥିବା ଦେଖୁଛି। ଆଉ କ୍ରାସ୍ ପରେ ତୁରନ୍ତ ଗାଡ଼ି ଛାଡ଼ି ଚାଲିଯାଉଛି। ଏହି ଭିଡ଼ିଓ ସହ ଦୁର୍ଘଟଣାର କିଛି ସମ୍ପର୍କ ଅଛି କି ନାହିଁ, ତାକୁ ବି ତଦନ୍ତ ପରିସରଭୁକ୍ତ କରିପାରେ ତଦନ୍ତ ଏଜେନ୍ସି।

Naxatra News is now on Whatsapp
Join and get latest news update delivered to you via whatsapp
Join Now