ତାଙ୍କର ଲକି ନମ୍ୱର ଥିଲା ୧୨୦୬। କାରଣ ଏହାକୁ ନିଜର ଲକି ନମ୍ୱର ମାନୁଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ। ଆଉ ୧୨-୦୬ରେ ହିଁ ସେ ବିମାନ ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ। ଏଭଳି ଦୁଃଖଦ ଘଟଣା ସେତେବେଳେ ହୋଇଛି, ଯେତେବେଳେ ସେ ନିଜ ପତ୍ନୀ ଓ ଝିଅକୁ ଭେଟିବାକୁ ଲଣ୍ଡନ ବାହାରିଥିଲେ। ଅହମଦାବାଦ-ଲଣ୍ଡନ ଫ୍ଲାଇଟ କ୍ରାସରେ ବିଜୟଙ୍କ ଅକାଳ ବିୟୋଗ ଘଟିଛି। ବିଜୟଙ୍କ ଜୀବନରେ ଏହା କେବଳ ଗୋଟିଏ ଅଙ୍କ ନଥିଲା। ବରଂ ଭରସାର ପ୍ରତୀକ ଥିଲା। ଏହି ନମ୍ୱରକୁ ସେ ନିଜର ପ୍ରତିଟି ଗାଡ଼ିରେ ରଖୁଥିଲେ। ସେ ସ୍କୁଟି ହେଉ ଅବା କାର୍। ବିଜୟଙ୍କ ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ କହିବା କଥା, ଏହି ନମ୍ୱରକୁ ସେ ସୌଭାଗ୍ୟ ରୂପରେ ଦେଖୁଥିଲେ। କିନ୍ତୁ ଶେଷରେ ଏହି ଲକି ନମ୍ୱର ତାଙ୍କ ଲାଗି ଅନଲକି ସାଜିଲା। ୧୨.୦୬.୨୦୨୫ରେ ହିଁ ବିମାନ ଦୁର୍ଘଟଣା ତାଙ୍କ ଜୀବନ ନେଇଗଲା। ଏୟାର ଇଣ୍ଡିଆରେ ସିଟ ନମ୍ୱର ଥିଲା 2D । ପଞ୍ଜାବ ବିଜେପି ଅଧ୍ୟକ୍ଷ ସୁନୀଲ ଝାକଡ଼ କହିଛନ୍ତି, ପୂର୍ବରୁ ଜୁନ୍ ୫ରେ ବିଜୟ ଲଣ୍ଡନ ଯାତ୍ରା କରିବାର ଥିଲା। କିନ୍ତୁ ଲୁଧିଆନା ଓ୍ୱେଷ୍ଟ ଉପନିର୍ବାଚନରେ ପ୍ରଚାର ଲାଗି ସେ ଏହି ତାରିଖକୁ ଟାଳିଦେଇଥିଲେ। ଯାହା ଜୁନ୍ ୧୯ରେ ହେବ। ସେଥିଲାଗି ଲଣ୍ଡନ ଗସ୍ତ ଜୁନ୍ ୧୨ରେ କରିବେ ବୋଲି ସ୍ଥିର କରିଥିଲେ। ୬୮ ବର୍ଷୀୟ ବିଜୟ ରୁପାଣୀ ମିଆଁମାରରେ ଏକ ଜୈନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମିଆଁମାରରେ ରାଜନୈତିକ ଅସ୍ଥିରତା କାରଣରୁ ତାଙ୍କ ପରିବାର ୧୯୬୦ରୁ ରାଜକୋଟ ଚାଲିଆସିଥିଲେ। ସେ ୨୦୧୬ରୁ ୨୦୨୧ ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଆଉ ଶେଷରେ ବିଜୟଙ୍କ ପ୍ରିୟ ଅଙ୍କ ୧୨୦୬ ଏବେ ଏମିତି ଏକ ତାରିଖ ହୋଇଗଲା। ଯାହାକୁ ନା ବିଜୟଙ୍କ ପରିବାର, ସମର୍ଥକ ନା ଗୁଜରାଟବାସୀ କଦାପି ଭୁଲିପାରିବେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now