କଳା ଓ ସଂସ୍କୃତି

ରସଗୋଲା କ୍ଲଷ୍ଟର ନିର୍ମାଣ କେବଳ ଘୋଷଣା

ଆଜି ରସଗୋଲା ଦିବସ। ଘର ବାହାର ସବୁଠି ରସଗୋଲାର ଚାହିଦା। ସୋସିଆଲ ମିଡିଆରେ ମଧ୍ୟ ଛାଇ ରହିଛି ରସଗୋଲା ଦିବସର ବାର୍ତ୍ତା ଓ ଭଳିକି ଭଳି ରସଗୋଲାର ଚିତ୍ର। ଶ୍ରୀଜଗନ୍ନାଥ ସଂସ୍କୃତି ଅନୁଯାୟୀ ନିଳାଦ୍ରୀ ବିଜେ ଦିନରେ ନୀଳ ପାଟ ଶାଢି ସହ ରସଗୋଲା ଦେଇ ଅଭିମାନିନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବାର ବିଧି ରହିଛି । ଏହି ପରମ୍ପରା ଓଡିଆଙ୍କ ଅସ୍ମିତା ସହ ଜଡିତ। କିନ୍ତୁ ଦୀର୍ଘ ଦିନର ଅବହେଳା ଯୋଗୁ ତଥ୍ୟପ୍ରମାଣ ଥାଇ ମଧ୍ୟ ପଡୋଶୀ ରାଜ୍ୟ ପଶଷ୍ଚିମବଙ୍ଗ ସହ ରସଗୋଲା କାହାର ସେ ଲଢେଇ ଚାଲିଥିଲା। ଅବଶ୍ୟ ଆଇନକାନୁନର ଲଢେଇ ପରେ ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ମିଳିଛି । କିନ୍ତୁ ସ୍ବୀକୃତି ପାଇବା ପରର ଉଦ୍ୟମ ଏବେ ବି ପ୍ରଶ୍ନ ଘେରରେ ।

ଶ୍ରଜଗନ୍ନାଥ ସଂସ୍କୃତିର ଦାୟାଦ ହିସାବରେ ପ୍ରଭୁଙ୍କ ସମସ୍ତ ମାନବୀୟ ଲୀଳାଖେଳା ଆମ ଜୀବନକୁ ମଧ୍ୟ ପ୍ରଭାବିତ କରେ ।ଆମ ଠାକୁର କ’ଣ ପିନ୍ଧନ୍ତି,କ’ଣ ଖାଇବାକୁ ଭଲ ପାଆନ୍ତି, ଠାକୁରଙ୍କ ପରିବାରରେ ମତାନ୍ତର ମନାନ୍ତର ହେଲେ କେମିତି ପ୍ରଭୁ ଆମର ସମାଧାନ କରନ୍ତି ସେ ସବୁ ଆମକୁ ଉତ୍ସାହିତ କରେ । ବିଧି ମୁତାବକ ନୀଳାଦ୍ରି ବିଜେରେ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଭେଟି ଦେଇ ମାନଭଞ୍ଜନ କରିବେ। ତା ପରେ ଯାଇଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ଦେବେ ମା’। ଏହି ଅବସରରେ ପ୍ରତି ଓଡ଼ିଆ ପାଳିଛି ରସଗୋଲା ଦିବସ। ଘରେ ଘରେ ଇଷ୍ଟଙ୍କ ନିକଟରେ ରସଗୋଲା ଭେଟି ଦେଇ ପରମ୍ପରା ଆଗକୁ ବଢାଇଛନ୍ତି । ବହୁ ପୁରୁଣା ଓ ପୁରାଣ କାଳରୁ ହିଁ ରସଗୋଲାର ଚଳଣି ଉତ୍କଳରେ ଅଛି ତାକୁ ପୁଣି ଥରେ ବିଶ୍ବକୁ ଦେଖାଇଛି ଓଡ଼ିଆ ।

ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡିତ ଏହି ମିଠାର ସୃଷ୍ଟି ଓଡିଶାରେ ହୋଇଛି ଓ ଯେବେଠାରୁ ରଥ ଯାତ୍ରା ହୋଇଛି ସେବେଠାରୁ ରସଗୋଲା ପ୍ରଚଳନ ରହିଛି ନିଳାଦ୍ରୀ ବିଜେ ସମୟରେ। ରଥଯାତ୍ରାର ପ୍ରାଆରମ୍ଭ କେବେ ଠାରୁ ହୋଇଛି ତାକୁ ନେଇ ଭିନ୍ନ ଭିନ୍ନ ମତ ରହିଥିବା ବେଳେ ଐତିହାସିକଙ୍କ ମତରେ ୧୨୩୦ ଶ୍ରଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭିମଦେବଙ୍କ ସମୟରୁ ରଥଯାତ୍ରା ହୋଇ ଆସୁଛି।  ରଥଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମହାପ୍ରଭୁ ଜନ୍ମବେଦୀକୁ ଯାତ୍ରା କରନ୍ତି ।ଏବଂ ଏକୁଟିଆ ଶ୍ରୀମନ୍ଦିରେ ରହିଯାଆନ୍ତି ମାଲକ୍ଷ୍ମୀ। ତେଣୁ ମତାନ୍ତର ମନାନ୍ତର ଓ ଦାମ୍ପତ୍ୟ କଳହ ତୁଟାଇବା ପାଇଁ ଭାବଗ୍ରାହୀ ରସଗୋଲା ଭେଟି ଦେଇଥିଲେ ।ଫଳରେ ଅଭିମାନିନୀଙ୍କ ପ୍ରଭୁଙ୍କ କ୍ଷମା କରିଦେଇଥିଲେ ।ସେହି କାଳରୁ ରସଗୋଲାର ପ୍ରଚଳନ ରହିଆସିଛି ।

ଏତେ ପ୍ରାଚୀନ ଇତିହାସ ଥିବା ସତ୍ତ୍ବେ ରସଗୋଲା କାହାର ସେ ବିବାଦ ମୁଣ୍ଡ ଟେକିବା ଅନେକ ପ୍ରଶ୍ନ ଛିଡ଼ା କରିଥିଲା । କ୍ଷମତା ଚୌକୀରେ ଦଳ ବଦଳିଛି କିନ୍ତୁ ରସଗୋଲା ଆମର ଓ ସେଥିପାଇଁ ଆବଶ୍ୟକ ଦସ୍ତାବିଜ୍ ଦେବା କଥାକୁ ବର୍ଷ ବର୍ଷର ଅଣଦେଖା କରିବା ମହଙ୍ଗା ପଡ଼ିଥିଲା । ଫଳରେ ରସଗୋଲା କାହାର ବିବାଦରେ ପଡୋଶୀ ରାଜ୍ୟର ଯୁକ୍ତିକୁ ବଡ଼ ଓ ଆମ ମତକୁ ଗୌଣ କରାଯାଇଥିଲା । ତେବେ ରସଗୋଲାର ଜିଓଗ୍ରାଫିକାଲ ଇଣ୍ଡିକେସନ ଆସିବା ବେଳକୁ ପଶ୍ଚିମ ବଙ୍ଗ ଏହାକୁ ନିଜର ବୋଲି ଦାବି କରିବା ସହ ଜିଆଇ ଟ୍ୟାଗ ମିଳିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା । ବହୁ ବିଳମ୍ବରେ ବାଦବିବାଦ ପରେ ଓଡିଶାର ଅସ୍ମିତା, ପରମ୍ପରା, ବିଶ୍ବାସ ଓ ଭାବଧାରା ଜାଗ୍ରତ ହେଲା ଓ ରସଗୋଲା ରଥଯାତ୍ରା ସହ ସମ୍ପର୍କିତ ଓ ସେତିକି ପ୍ରାଚୀନ ବୋଲି ତଥ୍ୟପ୍ରମାଣ ଯୋଗାଡ଼ ହେଲା । ରସଗୋଲାକୁ ନେଇ ୨୦୧୫ ଜୁଲାଇ ୩୦ରୁ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା ବଡ ଅଭିଯାନ। ପ୍ରଥମେ ଓଡ଼ିଆ ନିଜେ ସ୍ବୀକାର କରୁ ଯେ, ରସଗୋଲା ତାହାର ସେ ସଚେତନତା ସୃଷ୍ଟି ଏହାର ଉଦେଶ୍ୟ ଥିଲା ।

ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସମର୍ପିତ କିଛି ଲୋକଙ୍କ ପ୍ରଚେଷ୍ଠାରେ ଆମ ରସଗୋଲାକୁ ଜିଆଇ ଟ୍ୟାଗ ମିଳିବା ପାଇଁ ପ୍ରକ୍ରିୟା ଆରମ୍ଭ ହେଲା। ଚେନ୍ନାଇ ସ୍ଥିତ ଜିଆଇ ରେଜିଷ୍ଟ୍ରୀ ପକ୍ଷରୁ ୨୦୧୭ରେ ପଶ୍ଚିମ ବଙ୍ଗକୁ ଦିଆ ଯାଇଥିବା ଟ୍ୟାଗ ପ୍ରତ୍ୟାହାର କରି ୨୦୧୯ ଜୁଲାଇ ୨୯ରେ ଓଡିଶାକୁ ଜିଆଇ ଟ୍ୟାଗ ପ୍ରଦାନ କରିଥିଲେ।ତେବେ ସ୍ବୀକୃତି ପରେ କାମ ସରି ଯାଏନାହିଁ । ଆମ ରସଗୋଲାର ଗୁଣବତ୍ତା,ତାର ଗ୍ରହଣୀୟତା ଓ ବ୍ୟବସୟୀକ ଦିଗ ପାଇଁ ସରକାରଙ୍କୁ ଅନେକ କିଛି କରିବା ବାକି ଅଛି । ରସଗୋଲା କ୍ଲଷ୍ଟର ନିର୍ମାଣ କେବଳ ଘୋଷଣାରେ ରହିଛି । କେବଳ ସଂସ୍କୃତି ସହ ରସଗୋଲାକୁ ଯୋଡ଼ିଦେଲେ ହେବନାହିଁ ବରଂ ଯୁଗୋପଯୋଗୀ ଢଙ୍ଗରେ ସେ ଖାଦ୍ୟକୁ ବିଶ୍ବ ଦରବାରରେ ପ୍ରତିଷ୍ଠା କରିବା ରସଗୋଲା ଦିବସର ସଂକଳ୍ପ ହେବା ଆବଶ୍ୟକ ।

Related Articles

Leave a Reply

Your email address will not be published.

Back to top button