ବହୁ ପ୍ରତୀକ୍ଷାର ଘଟିଛି ଅନ୍ତ। ପାହାଡ଼ ଉପରେ ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିବା ଓଡିଶାର ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଜାମୁକଣ ପାହାଡ଼ରେ ମା ବୈଷ୍ଣୋ ଦେବୀ ବିରାଜିତ ହୋଇଛନ୍ତି। ଚଳିତ ବର୍ଷ ଫେବୁଆରୀ ୨ ତାରିଖରେ ମାଙ୍କ ମନ୍ଦିର ଓ ବିଗ୍ରହ ସ୍ଥାପନ କରାଯାଇଛି। ଏବେ ମାଙ୍କ ଦର୍ଶନ ସହ ଏବଂ ଏଠାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଭକ୍ତଙ୍କ ବେଶ ଭିଡ଼ ଜମୁଛି। ଜାମ୍ମୁ କାଶ୍ମୀରର ମା ବୈଷ୍ଣୋ ଦେବୀଙ୍କ ମନ୍ଦିରକୁ ଅନୁସରଣ କରି ସେହି ଢାଞ୍ଚା ଆଉ ନୀତିକାନ୍ତିରେ, ମାଙ୍କର ଏ ଦ୍ୱିତୀୟ ବୈଷ୍ଣୋ ଧାମ ନିର୍ମାଣ ହୋଇଛି ବୋଲି କୁହନ୍ତି ମନ୍ଦିର ପରିଚାଳନା କମିଟିର ସଭ୍ୟ। ତେବେ ଏଠାରେ ମୁଖ୍ୟ ଆକର୍ଷଣ ହେଉଛି ମାଙ୍କୁ ଦର୍ଶନ କରିବା ପାଇଁ ଏକ ଗୁମ୍ଫା ପାହାଡ଼କୁ କଟାଯାଇ ନିର୍ମାଣ କରାଯାଇଛି। ଯେଉଁ ସୁଡ଼ଙ୍ଗ ଅର୍ଥାତ ଗୁମ୍ଫାର ଲମ୍ବ ରହିଛି ୧୮0 ଫୁଟ। ଯେଉଁ ବାଟ ଦେଇ ଯିବାକୁ ପଡିଥାଏ ମା ଙ୍କୁ ଦର୍ଶନ କରିବା ପାଇଁ। ଗୋଟିଏ ପ୍ରବେଶ ଦ୍ୱାର ରହିଥିବା ବେଳେ ଆଉ ଗୋଟିଏ ପଟେ ପ୍ରସ୍ଥାନର ବାଟ ରହିଛି।
ସେପଟେ ମାଙ୍କ ଆଳତି ମଣ୍ଡପ ନିକଟରେ ୧୮ କୁଇଣ୍ଟାଲ ଓଜନର ପିତଳରେ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଯାହା ଆସୁଥିବା ଶ୍ରଦ୍ଧାଳୁଙ୍କୁ ବେଶ ଆକୃଷ୍ଟ କରୁଛି। ଦୀପ ଧୁପ ନୈବେଦ୍ୟରେ ମାଙ୍କ ଏ ବାହ୍ୟ ପ୍ରତିମୂର୍ତ୍ତିରେ ଭକ୍ତମାନେ ମାଙ୍କୁ କରିଥାନ୍ତି ପୂଜାର୍ଚ୍ଚନା। ଅନ୍ୟପଟେ ମା ଯେଉଁ ପାହାଡ଼ ଉପରେ ବିରାଜିତ ହୋଇଛନ୍ତି ଠିକ ଲାଗି କରି ରହିଛି ଅନ୍ୟ ଏକ ମନ୍ଦିର । ଯାହାଙ୍କ ନାମ ଭୈରବନାଥଙ୍କ ମନ୍ଦିର। ଯାହାଙ୍କ ଦର୍ଶନ ପାଇଲେ ଯାତ୍ରା ସଫଳ ହୋଇଥାଏ। ଏହି ପବିତ୍ର ଧାମକୁ ଆସିବାକୁ ହେଲେ ଭୁବନେଶ୍ୱରରୁ ନୟାଗଡ ଦେଇ ମାତ୍ର ନୟାଗଡ ଟାଉନରୁ ୫ କିଲୋମିଟର ମାଛିପଡା ଛକ। ଏହି ମାଛିପଡା ନିକଟ ରୁ ୯ କିଲୋମିଟର ବାଟ ଅତିକ୍ରମ କରିବାକୁ ପଡିବ। ଅନ୍ୟପଟେ ଯଦି କିଏ ଗଞ୍ଜାମ ଭଞ୍ଜନଗର ଆସିକା ରୁ ଆସୁଛନ୍ତି ବୁଗୁଡ଼ା ଦେଇ ଓଡଗାଁ ଅତିକ୍ରମ କରି ନୟାଗଡ ସହର କୁ ଯିବା ବାଟ ରେ ପଡିବ ମା ବୈଷ୍ଣୋ ଦେବୀଙ୍କ ଏହି ଭବ୍ୟ ମନ୍ଦିର। ଏଠାରେ ମଧ୍ୟ ଗାଡି ରଖିବାର ସ୍ୱତନ୍ତ୍ର ପାର୍କିଙ୍ଗର ବ୍ୟବସ୍ଥା ରହିଛି।
ଏବେ ମାଙ୍କ ମନ୍ଦିର ପ୍ରତିଷ୍ଠା ଦିନରୁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ବେଶ ଭିଡ଼ ଜମିଲାଣି। ତେବେ ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now