କ୍ୟାଲେଣ୍ଡର ପୃଷ୍ଠାରୁ ବିଦାୟ ନେଇଛି ବର୍ଷ ୨୦୨୪। ଆଜିଠୁ ଆରମ୍ଭ ହୋଇଛି ନୂତନ ବର୍ଷ ୨୦୨୫। ନୂଆ ଆଶା ଓ ସମ୍ଭାବନା ନେଇ ପାଦ ଥାପିଛି ବର୍ଷ ୨୦୨୫। ସବୁଠି ନୂଆବର୍ଷକୁ ଜୋରଦାର ସହକାରେ ପାଳନ କରାଯାଇଛି। ସବୁଠି ଖୁସିର ମାହୋଲ ଦେଖିବାକୁ ମିଳିଛି। ନବବର୍ଷକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ । ନୂଆବର୍ଷ ସେଲିବ୍ରେସନ ପାଇଁ ବିଭିନ୍ନ ମନ୍ଦିରଠୁ ଆରମ୍ଭ କରି ପିକନିକ୍ ସ୍ପଟ୍ ସବୁଠି ଲୋକଙ୍କ ଭିଡ ଦେଖିବାକୁ ମିଳିଛି। କେଉଁଠି ନାଚଗୀତର ଆସର ଜମୁଛି ତ କେଉଁଠି ଭୋଜିଭାତ କରି ଖୁସି ମନାଉଛନ୍ତି ଲୋକେ । ନୂଆବର୍ଷରେ ପ୍ରଭୁଙ୍କ ଆର୍ଶିବାଦ କାମନା କରାଯାଉଛି । ଲୋକେ ପରସ୍ପରକୁ ଅଭନନ୍ଦନ ଜଣାଇ ନୂଆ ରୂପରେ ନୂଆ ଆଶାରେ ନୂଆ ଜୀବନଯାତ୍ରା ଆରମ୍ଭ କରିବାକୁ ଦେଉଛନ୍ତି ପ୍ରତିଶ୍ରୁତି। ସକାଳୁ ସକାଳୁ ବିଭିନ୍ନ ଦେବାଦେବୀ ପୀଠରେ ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ଗହଳି। ରାଜଧାନୀର ପ୍ରମୁଖ ଶୈବ ପୀଠ ଲିଙ୍ଗରାଜ ମନ୍ଦିରରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ବାବା ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇଥିଲେ ଶ୍ରଦ୍ଧାଳୁ। ସେହିପରି ରାମ ମନ୍ଦିରରେ ମଧ୍ୟ ସକାଳୁ ରାତି ଯାଏଁ ଭକ୍ତ ମାନଙ୍କର ଭିଡ଼ ଜମିଥିଲା। ଅନ୍ୟପଟେ ଖଣ୍ଡଗିରି ପାହାଡ଼ ସହ ଉଦୟଗିରି ଗୁମ୍ଫାରେ ପର୍ଯ୍ୟଟକଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା। କିଏ ନିଜ ପରିବାର ସହ ତ କିଏ ସାଙ୍ଗ ସାଥୀ ମାନଙ୍କ ସହ ଆସି ବୁଲାବୁଲି କରି ମସ୍ତି କରୁଥିଲେ।
ସେପଟେ କେନ୍ଦ୍ରାପଡ଼ାର ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କୁ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଭକ୍ତଙ୍କ ଶାନ୍ତିଶୃଙ୍ଖଲାରେ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଅଛି। ନୂଆ ବର୍ଷ ରେ ମାଙ୍କୁ ଦର୍ଶନ ପାଇଁ ଘଟଗାଁ ମା ତାରିଣୀ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ସକାଳୁ ସକାଳୁ ଯଥା ରୀତିକାନ୍ତିରେ ପୂଜା ପରେ ସୁନାବେଶରେ ସଜେଇ ହୋଇଥିଲେ ମା। ବ୍ରହ୍ମପୁର ର ଆରାଧ୍ୟ ଦେବୀ ମା ବୁଢ଼ୀ ଠାକୁରାଣୀଙ୍କ ଆଶୀର୍ବାଦ କାମନା କରି ନୂଆବର୍ଷର ଶୁଭାରମ୍ଭ କରିଛନ୍ତି ଶ୍ରଦ୍ଧାଳୁ।
ସବୁଠି ଖୁସି। ସବୁଠି ଉତ୍ସାହ। ବିଭିନ୍ନ ସ୍ଥାନରେ ଲୋକେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଏକାଠି ହୋଇ ଭୋଜିଭାତ କରିବା ସହ ନାଚଗୀତରେ ମସଗୁଲ । ଇଂରାଜୀ ନବବର୍ଷରେ ବେସ ଉତ୍ସାହର ସହିତ ସମସ୍ତେ ସେଲିବ୍ରେଟ କରୁଥିବା ଦେଖିବାକୁ ମିଳିଛି । କ୍ଲବ, ପାର୍କ ପର୍ଯ୍ୟଟନ ସ୍ଥଳୀ ସବୁଠି ଲୋକେ ନବ ବର୍ଷକୁ ସ୍ୱଗତ କରି ଖୁସି ମନାଇଛନ୍ତି । ନୂଆ ଉତ୍ସାହ, ଉଦ୍ଦୀପନା ଓ ସମ୍ଭାବନାର ସମ୍ଭାର ନେଇ ଆସିଛି ନୂଆ ବର୍ଷ ସମସ୍ତଙ୍କ ପାଇଁ ନୂଆ ବର୍ଷ ଆଣି ଦେଉ ସୁଖ, ଶାନ୍ତି ଓ ସମୃଦ୍ଧି।

Naxatra News is now on Whatsapp
Join and get latest news update delivered to you via whatsapp
Join Now