ପରଲୋକରେ ଭାରତ କୁମାର..

ଆଉ ନାହାନ୍ତି ଭାରତ କୁମାର। ବଲିଉଡର ପ୍ରଖ୍ୟାତ ଅଭିନେତା ତଥା ଫିଲ୍ମ ନିର୍ଦେଶକ ମନୋଜ କୁମାରଙ୍କ ୮୭ ବର୍ଷରେ ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ମୁମ୍ୱାଇର କୋକିଳାବେନ୍ ଧିରୁଭାଇ ଅମ୍ୱାନୀ ହସ୍ପିଟାଲରେ ଶୁକ୍ରବାର ଭୋର୍ ୪ଟା ୩ରେ ତାଙ୍କର ନିଧନ ଘଟିଛି। ମାୟୋକାର୍ଡିଆଲ ଇନଫେକ୍ସନ ସହ ଦୀର୍ଘ ଦିନ ଧରି ଲିଭର ସିରୋସିସ ରୋଗ ସହ ଜୁଝୁଥିଲେ ମନୋଜ। ମନୋଜଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ମନୋଜଙ୍କ ଦେଶଭକ୍ତିର ଭାବନା ପୀଢ଼ି ପରେ ପୀଢ଼ିକୁ ପ୍ରେରିତ କରିବ। ଦେଶଭକ୍ତି ଫିଲ୍ମ ପାଇଁ ବେଶ୍ ନାଁ କମାଇଥିବା ମନୋଜ ଭାରତ କୁମାର ଭାବେ ସମସ୍ତଙ୍କର ଆଦୃତ ଥିଲେ। ପଦ୍ମଶ୍ରୀ ଓ ଦାଦା ସାହେବ ଫାଲକେ ପୁରଷ୍କାରରେ ସମ୍ମାନିତ ହେବା ସହ ଅନେକ ସମ୍ମାନର ଅଧିକାରୀ ଥିଲେ ଭାରତ କୁମାର। ଶନିବାର ମନୋଜଙ୍କ ଅନ୍ତିମସଂସ୍କାର ମୁମ୍ୱାଇର ଓ୍ୱିଲେ ପାର୍ଲେ ଶ୍ମଶାନରେ ସମ୍ପନ୍ନ କରାଯିବ। ନିଜ ଫିଲ୍ମ ଜରିଆରେ ସମସ୍ତଙ୍କ ମନରେ ଦେଶଭକ୍ତିର ଭାବାନ ଜାଗ୍ରତ କରିଥିଲେ ମନୋଜ। ଦେଶଭକ୍ତି ଫିଲ୍ମ ତିଆରି କରିବାରେ ବଲିଉଡର ପ୍ରଥମ ଅଭିନେତା ଥିଲେ ମନୋଜ। ଭାରତୀୟ ସିନେମା ଓ କଳା କ୍ଷେତ୍ରରେ ଯୋଗଦାନ ଲାଗି ୧୯୯୨ରେ ପଦ୍ମଶ୍ରୀ ଓ ୨୦୧୫ରେ ସିନେମା ଜଗତର ସର୍ବୋଚ୍ଚ ପୁରଷ୍କାର ଦାଦା ସାହେବ ଫାଲକେ ପୁରଷ୍କାରରେ ସମ୍ମାନିତ ହୋଇଥିଲେ। ୧୯୫୭ରେ ଫେସନ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ମନୋଜ। ଏହି ଫିଲ୍ମର ୧୯ ବର୍ଷ ବୟସରେ ୮୦-୯୦ ବର୍ଷର ଭିକାରୀର ଛୋଟ ଭୂମିକାରେ ଅଭିନୟ କରିଥିଲେ। ମନୋଜଙ୍କ ପ୍ରଥମ ଦେଶଭକ୍ତି ଫିଲ୍ମ ଥିଲା ଶହୀଦ୍। ସ୍ୱତନ୍ତ୍ର ସେନାନୀ ଭଗତ ସିଂଙ୍କ ଜୀବନି ଉପରେ ଆଧାରିତ ଥିଲା। ୧୯୬୭ରେ ତାଙ୍କ ଦ୍ୱାରା ନିର୍ଦେଶିତ ପ୍ରଥମ ଫିଲ୍ମ ଉପକାରର ମେରେ ଦେଶ କି ଧରତି ଗୀତ ବ୍ଲକବଷ୍ଟର ହିଟ୍ ହୋଇଥିଲା। ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ନାସନାଲ ଆଓ୍ୱାର୍ଡ ପାଇଥିଲା ଉପକାର। ମନୋଜ ସାତ ଥର ଫିଲ୍ମଫେୟାର ପୁରଷ୍କାର ପାଇଛନ୍ତି। ଉପକାର ପାଇଁ ୧୯୬୮ରେ ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ନିର୍ଦେଶକ, ଶ୍ରେଷ୍ଠ କାହାଣୀ ଓ ଶ୍ରେଷ୍ଠ ସଂଳାପ ଅନ୍ତର୍ଭୁକ୍ତ ଥିଲା। ମନୋଜଙ୍କ ହିଟ୍ ଫିଲ୍ମ ହେଲା ଶହୀଦ, ଉପକାର, ପୂରବ ଓୌର ପଶ୍ଚିମ, ରୋଟି କପଡ଼ା ଔର ମକାନ, କ୍ରାନ୍ତି। ମନୋଜଙ୍କ ଅଭିନୀତ ଶେଷ ଫିଲ୍ମ ଥିଲା ମୈଦାନ-ଏ-ଜଙ୍ଗ୍ ଓ ୧୯୯୯ରେ ଜୟହିନ୍ଦ୍ ନାମକ ଫିଲ୍ଣ ଥିଲା ତାଙ୍କର ଶେଷ ନିର୍ଦେଶିତ ଫିଲ୍ମ। ଫିଲ୍ମ ଉଦ୍ୟୋଗରୁ ବାହାରି ମନୋଜ ରାଜନୀତିରେ ବି ପାଦ ଥାପିଥିଲେ। ୨୦୦୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ୍ ହୋଇଥିଲେ। ୨୪ ଜୁଲାଇ ୧୯୩୭ରେ ଜନ୍ମିତ ମନୋଜ କୁମାରଙ୍କ ଅସଲ ନାଁ ହରିକିଶନ ଗିରି ଗୋସ୍ୱାମୀ। ଭାରତ କା ରେହନେ ଓ୍ୱାଲା ହୁଁ, ଭାରତ କି ବାତ୍‌ ସୁନାତା ହୁଁ। ଏହି ପଂକ୍ତି ଯେତେବେଳେ ବି ମନେ ପଡ଼ିବ। ସେତେବେଳେ ଭାରତ କୁମାରଙ୍କ ଚେହେରା ସାମ୍ନାକୁ ଆସିବ। ମନୋଜଙ୍କ ପରଲୋକରେ ଗୋଟିଏ ଯୁଗର ଅବସାନ ହେଲା କହିଲେ ଭୁଲ୍ ହେବନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *