ଚେକ୍‌ ବାଉନ୍ସ ମାମଲା- ରାଜପାଲଙ୍କ ଜାମିନ ଖାରଜ

ଅଭିନେତା ରାଜପାଲ ଯାଦବଙ୍କ ଜାମିନ ଖାରଜ କଲେ କୋର୍ଟ। ପ୍ରତିଶୃତି ନିର୍ବାହ କରିନଥିବାରୁ କୋର୍ଟ ରାଜପାଲଙ୍କୁ ଜାମିନ୍ ଦେଲେନି। ଚେକ ବାଉନ୍ସ ମାମଲାରେ ରାଜପାଲ ଜେଲରେ ଅଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶରେ ସରେଣ୍ଡର କରିଥିଲେ ରାଜପାଲ। ଆଜି ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ ହୋଇଥିଲା। ଜାମିନ୍ ଖାରଜ କରିଦେଇଛନ୍ତି ଅଦାଲତ। ଏହାର ପରବର୍ତ୍ତୀ ଶୁଣାଣୀ ସୋମବାରକୁ ଧାର୍ଯ୍ୟ କରିଛନ୍ତି କୋର୍ଟ। ସଜ୍ଜା ରଦ୍ଦ ଲାଗି ଆବେଦନ କରିବାରୁ କୋର୍ଟ ପଚାରିଥିଲେ ଏହାର ଆଧାର କଅଣ। ନିଜେ ରାଜପାଲ ମାନିଥିଲେ, ସେ ଟଙ୍କା ଉଧାର ନେଇଥିଲେ। ଫେରାଇବାକୁ କଥା ବି ଦେଇଥିଲେ। ଏବେ ସଜ୍ଜା ଉପରେ ରୋକ୍ ଲଗାଇବା ଦାବି ପଛରେ ଆଧାର ପଚାରିବାରୁ ରାଜପାଲଙ୍କ ଓକିଲ କହିଥିଲେ, ସେ ଏହି ମାମଲାକୁ ଆପୋଷ ବୁଝାମଣାରେ ସମାଧାନ କରିବାକୁ ଚାହାନ୍ତି। ଫିଲ୍ମରେ ୫ କୋଟି ଟଙ୍କା ଲଗାଇଥିଲେ। ଏହାକୁ ସୁଝିବାକୁ ସେ ଚାହୁଁଛନ୍ତି। ଏପର୍ଯ୍ୟନ୍ତ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସୁଝିସାରିଛନ୍ତି। ଅଦାଲତ ଏଭଳି ଯୁକ୍ତି ଶୁଣି ରାଜପାଲଙ୍କୁ ଭର୍ତ୍ସନା କରିଥିଲେ। ଅଦାଲତ କହିଥିଲେ, ସେ ବୁଝିପାରୁନାହାନ୍ତି ଏଭଳି ତର୍କ କାହିଁକି ହେଉଛି। ଟଙ୍କା ଫେରାଇବାକୁ କହି ବର୍ଷ ବର୍ଷ ଧରି ଫେରାଇଲେନି। ଗଲା ଆଦେଶକୁ ଅନୁପାଳନ ନ କରିବାରୁ ଜେଲରେ ସରେଣ୍ଡର କରିବାକୁ ପଡ଼ିଥିଲା। ରାଜପାଲଙ୍କୁ ୨୫ରୁ ୩୦ ମଉକା ଦିଆଗଲା। ଏହି ମାମଲାକୁ ପୁଣି ଥରେ କାହିଁକି ଖୋଲିବାକୁ ଚାହୁଁଛ। ଟଙ୍କା ସୁଝିବାକୁ ଡେରି କାହିଁକି ହେଉଛି, ଏକଥା କହିବାକୁ ପଡ଼ିବ। ରାଜପାଲଙ୍କ ପ୍ରତି ସହାନୁଭୂତି ଥାଇପାରେ। କିନ୍ତୁ ଆଇନ ବାଟରେ ସବୁ କଥା ଯିବ। ଯଦି ବାକି ରାଶି ପୈଠ କରିବାକୁ ପ୍ରସ୍ତୁତ, ତାହେଲେ ଶୁଣାଣୀ ଜାରି ରହିବ ବୋଲି କହିଥିଲେ ବିଚାରପତି। ରାଜପାଲଙ୍କ ଓକିଲ କହିଛନ୍ତି, କୋର୍ଟରେ ସେ ବାକି ଟଙ୍କା ଜମା କରିବାକୁ ପ୍ରସ୍ତୁତ। କିନ୍ତୁ ପରିବାରରେ ବିବାହ ଥିବାରୁ ସେ ଜାମିନ୍ ଚାହୁଁଛନ୍ତି। ରାଜପାଲଙ୍କୁ ଆର୍ଥିକ ସହାୟତା ଦେବାକୁ ସଲମାନ, ଅଜୟ ଦେବଗନ, ସୋନୁ ସୁଡ୍, ବରୁଣ ଧଓ୍ୱନ, ଗୁରମିତ ଚୋଧୁରୀ, ରାଓ ଇନ୍ଦ୍ରଜିତ ସିଂ ଯାଦବ, ମିକା ସିଂ ପ୍ରମୁଖ ଆଗେଇ ଆସିଛନ୍ତି। ନିଜ ପ୍ରଥମ ନିର୍ଦେଶିତ ଫିଲ୍ମ ଆତା ପତା ଲାପତାକୁ ୨୦୧୨ରେ ରିଲିଜ କରିଥିଲେ। ଏହି ଫିଲ୍ମରେ ଲିଡ୍ ରୋଲରେ ବି କାମ କରୁଥିଲେ ରାଜପାଲ। ଫିଲ୍ମକୁ ରାଜପାଲ ନିଜ ପତ୍ନୀ ରାଧା ଯାଦବଙ୍କ ନାଁରେ ପ୍ରଡ୍ୟୁସ୍ କରିଥିଲେ। ବକ୍ସ ଅଫିସ ରିପୋର୍ଟରେ ପ୍ରାୟ ୧୧ କୋଟିରେ ତିଆରି ଫିଲ୍ମ ଭାରତରେ କେବଳ ୩୪ଲକ୍ଷ ଟଙ୍କା ଆୟ କରିଥିଲା। ଓ୍ୱାର୍ଲଓ୍ୱାଇଡ୍ ମୋଟ୍ ୪୨ ଲକ୍ଷ ମାତ୍ର ଆଦାୟ କରିଥିଲା। ଏହି ଫିଲ୍ମ ଫ୍ଲପ୍ ହୋଇଥିଲା। ଏହି ଫିଲ୍ମ ପାଇଁ ଦିଲ୍ଲୀର ଏକ କମ୍ପାନୀ ମୁରଲୀ ପ୍ରୋଜେକ୍ଟସରୁ ୫ କୋଟି ଟଙ୍କାର ଋଣ ନେଇଥିଲେ। ଫ୍ଲପ୍ ହେବା ପରେ କରଜ ନେଇଥିବା ଟଙ୍କା ସୁଝିବାକୁ ଅସମର୍ଥ ହୋଇପଡ଼ିଥିଲେ ରାଜପାଲ। ସେ ଯେଉଁ ଚେକ୍ ଦେଇଥିଲେ, ତାହା ବାଉନ୍ସ ହୋଇଗଲା। ଏହା ପରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଥିଲା। ଆଇନଗତ ଲଢ଼େଇ ଆରମ୍ଭରୁ ହିଁ ୨୦୧୩ରେ ରାଜପାଲଙ୍କୁ ୧୦ଦିନର ସଜ୍ଜା ଶୁଣାଇଥିଲେ କୋର୍ଟ। ଏହାକୁ ନେଇ ରାଜପାଲଙ୍କୁ ଜେଲରେ ୪ଦିନ ବିତାଇବାକୁ ପଡ଼ିଥିଲା। ଦିଲ୍ଲୀର ଏକ ଅଦାଲତ ତାଙ୍କୁ ଓ  ତାଙ୍କ ପତ୍ନୀଙ୍କୁ ଚେକ୍ ବାଉନ୍ସ କେସରେ ଦୋଷୀ ସାବ୍ୟସ୍ତ କରି ୬ ମାସର ଜେଲ୍ ଦଣ୍ଡ ଦେଇଥିଲେ। ୭ଟି ଚେକ୍ ବାଉନ୍ସ ପରେ ଏପ୍ରିଲ ୨୦୧୮ରେ ବି ଏକ ମାଜିଷ୍ଟ୍ରେଟ୍ କୋର୍ଟ ରାଜପାଲ ଓ ରାଧାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିରେ ପ୍ରାୟ ୩ ମାସ ସିଭିଲ ଜେଲରେ ରହିଥିଲେ ରାଜପାଲ। ଋଣ ସୁଝିବାକୁ ଅଦାଲତଙ୍କୁ ମହଲତ ମାଗିଥିଲେ ରାଜପାଲ। କୋର୍ଟ ମହଲତ ଦେଇଥିଲେ ହେଁ, ଏହା ଅଧିକ ଦିନ କାଏମ ରହିପାରିଲାନି। ଆପୋଷ ବୁଝାମଣାରେ ବାକି ରାଶି ସୁଝିବା ସର୍ତ୍ତରେ କୋର୍ଟ ରାଜପାଲଙ୍କ ସଜ୍ଜାକୁ ସସପେଣ୍ଡ କରିଥିଲେ। ରାଜପାଲ ଅଭ୍ୟାସଗତ ଅପରାଧୀ ନୁହଁନ୍ତି କହି ସୁଧୁରିବାକୁ ସୁଯୋଗ ଦେଇଥିଲେ ଅଦାଲତ। ଜୁନ୍ ୨୦୨୪ରେ ତାଙ୍କ ସଜ୍ଜାକୁ ଅସ୍ଥାୟୀ ଭାବେ ସସପେଣ୍ଡ କରି ପ୍ରାୟ ୯ କୋଟି ଟଙ୍କା କରଜ ସୁଝିବାକୁ କହିଥିଲେ କୋର୍ଟ। ହେଲେ ରାଜପାଲ ସୁଝିପାରିନଥିଲେ। ଅକ୍ଟୋବର ୨୦୨୫ରେ ରାଜପାଲ କୋର୍ଟରେ କେବଳ ୭୫ଲକ୍ଷ ଟଙ୍କା ଜମା କରିପାରିଥିଲେ। କିନ୍ତୁ ସୁଧ ଓ ଜରିମାନାକୁ ମିଶାଇଲେ ଏହାର ପରିମାଣ ୯ କୋଟି ଥିଲା। କୋର୍ଟ ହୃଦବୋଧ କରିଥିଲେ, ସେଲିବ୍ରିଟି ଷ୍ଟାଟସର ଦୁରୁପଯୋଗ କରୁଛନ୍ତି ରାଜପାଲ। ଏ ଘଟଣାକୁ ଗମ୍ଭୀରତାର ସହ ନେଉନାହାନ୍ତି। ଏହା ପରେ ଫେବୃଆରୀ ୪, ୨୦୨୬ରେ ବାକି ଟଙ୍କା ପୈଠ କରିବାକୁ ସପ୍ତାହକର ମହଲତ ଦେଇଥିଲେ ଅଦାଲତ। ଶେଷରେ ସରେଣ୍ଡର କରିବାକୁ ଆଦେଶ ଦେଇଥିଲେ। ଜେଲ୍ ଯିବା ଆଗରୁ ରାଜପାଲ କହିଥିଲେ, ସେ କଅଣ କରିବେ। ତାଙ୍କ ପାଖରେ ଟଙ୍କା ନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *