ଶହେ ଟଙ୍କା ଲାଞ୍ଚ- ୩୯ ବର୍ଷ ପରେ ଦୋଷମୁକ୍ତ

ଶହେ ଟଙ୍କା ଲାଞ୍ଚ ପାଇଁ ୩୯ ବର୍ଷ ଚାଲିଲା ମକଦ୍ଦମା। ଏବେ ନିର୍ଦୋଷ ସାବ୍ୟସ୍ତ ହେଲେ। ୮୩ ବର୍ଷ ବୟସରେ ନ୍ୟାୟ ମିଳିଲା। ଏତେ ବର୍ଷ ଭିତରେ ତାଙ୍କର ଜୀବନ ଓ ପିଲାଙ୍କ କ୍ୟାରିଅର ବି ବରବାଦ୍ ହୋଇଗଲା। ୮୩ ବର୍ଷୀୟ ଜାଗେଶ୍ୱର ଅଓ୍ୱଧିଆଙ୍କୁ ମିଳିଥିବା ଏହି ନ୍ୟାୟ ଅସହନୀୟ ରହିଲା। ଭାବବିହ୍ୱଳ ହୋଇ ଜାଗେଶ୍ୱର କହିଛନ୍ତି ଯେ, ଏଥିରେ ତାଙ୍କର କୌଣସି ଲାଭ ହେଲାନି। ଏହି କେସ୍ ତାଙ୍କଠୁ ସବୁ କିଛି ଛଡ଼ାଇନେଲା। ମଧ୍ୟପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମରେ ପୂର୍ବତନ ବିଲିଂ ସହାୟକ ଜାଗେଶ୍ୱର ପ୍ରସାଦଙ୍କୁ ୩୯ ବର୍ଷ ପରେ ନ୍ୟାୟ ମିଳିଛି। ୧୯୮୬ରେ ଶହେ ଟଙ୍କା ଲାଞ୍ଚ ନେବା ମାମଲାରେ ସେ ଲୋକାୟୁକ୍ତ ଜାଲରେ ପଡ଼ିଥିଲେ। ୨୦୦୪ରେ ତଳ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଏବେ ଛତିଶଗଡ଼ ହାଇକୋର୍ଟ ତାଙ୍କୁ ସମ୍ପୂର୍ଣ୍ଣ ଦୋଷମୁକ୍ତ କରିଛନ୍ତି। ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦୋଷ ବୋଲି କହିଛନ୍ତି କୋର୍ଟ। କେବଳ ଟଙ୍କା ଜବତ କରିଦେଲେ ଏହା ଜଣଙ୍କୁ ଦୋଷୀ ସଜାଇବା ପାଇଁ ପର୍ଯ୍ୟାପ୍ତ ନୁହେଁ। ଲାଞ୍ଚ ମାଗିବା ଓ ସ୍ୱଇଛାରେ ସ୍ୱୀକାର୍ଯ୍ୟ ସନ୍ଦେହର ପ୍ରମାଣ ନ ମଳିବା ଯାଏ ଜଣଙ୍କୁ ଦୋଷୀ କହିହେବନି। କିନ୍ତୁ ବୟସର ଅପରାହ୍ନରେ ପହଞ୍ଚିସାରିଥିବା ଜାଗେଶ୍ୱରଙ୍କ ଲାଗି ଏହି ଜିତ୍ ଏତେ ମାଏନା ରଖୁନି ଏବେ। ଏହି ମାମଲା ସେତେବେଳେ ଆରମ୍ଭ ହୋଇଥିଲା, ଯେବେ ଜଣେ ସହକର୍ମୀ ଅଶୋକ ବର୍ମା ଆରୋପ ଲଦିଥିଲେ ଯେ, ତତ୍କାଳୀନ ବିଲିଂ ଆସିଷ୍ଟାଣ୍ଟ ବାକି ସୁଝିବାକୁ ଶହେ ଟଙ୍କା ମାଗିଥିଲେ। ଲୋକାୟୁକ୍ତ ଟିମ୍ ଲାଞ୍ଚ ନେବା ବେଳେ ଧରିଥିଲେ। କିନ୍ତୁ ଜାଗେଶ୍ୱରଙ୍କ କହିବା କଥା, ସେ ଟଙ୍କା ଜବରଦସ୍ତି ତାଙ୍କ ପକେଟରେ ରଖାଯାଇଥିଲା। ତା ସତ୍ତ୍ୱେ ଜବତ କରାଗଲା ବୋଲି କହି ତାଙ୍କୁ ନିଲମ୍ୱିତ କରିଦିଆଗଲା। ଆଉ ଦୋଷୀ ସଜାଇଦିଆଗଲା। ପ୍ରାୟ ୪ଦଶନ୍ଧି ଅଦାଲତି ଲଢ଼େଇ ଭିତରେ ତାଙ୍କର କ୍ୟାରିଅର, ଆର୍ଥିକ ସ୍ଥିତି ଓ ପାରିବାରିକ ଜୀବନ ଧୂଳିସାତ୍ ହୋଇଗଲା। ନିଲମ୍ୱନ କାରଣରୁ ତାଙ୍କୁ ଅଧା ଦରମା ମିଳୁଥିଲା। ଏଥିରେ ପିଲାଙ୍କୁ ଭଲ ସ୍କୁଲରେ ପଢ଼ାଇପାରିଲେନି। ଝିଅଙ୍କ ବିବାହ କରିବା ମୁସ୍କିଲ ହୋଇପଡ଼ିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *