ବ୍ୟବସାୟୀଙ୍କ ପୁଅକୁ ଅପହରଣ କଲେ। ଆଉ ଦାଦାବଟି ନ ମିଳିବାରୁ ମାରିଦେଲେ। ଚିତ୍ରକୁଟର ବରଗଡ଼ ଅଞ୍ଚଳରେ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି। ୧୩ ବର୍ଷୀୟ ଆୟୁଷଙ୍କୁ ଅପହରଣ କରି ଅପହରଣକାରୀ ୪୦ଲକ୍ଷ ଟଙ୍କା ମାଗିଥିଲେ। ହେଲେ ଏତେ ଟଙ୍କା ନ ପାଇବାରୁ ଆୟୁଷକୁ ମର୍ଡର କରିଦେଲେ। ଆୟୁଷର ଶବକୁ ଆଜି ସକାଳେ ଘରୁ କିଛି ଦୂରରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଠାବ କରାଯାଇଥିଲା। ବରଗଡ଼ ବଜାରରେ କପଡ଼ା ବେପାରୀ ଅଶୋକ କୁମାର କେସରଓ୍ୱାନିଙ୍କ ପୁଅ ଆୟୁଷ ଗୁରୁବାର ସଂଧ୍ୟା ପ୍ରାୟ ୬ଟାରେ କୋଚିଂ ଯାଇଥିଲେ। କିନ୍ତୁ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ପରିବାର ବର୍ଗ ବହୁ ଖୋଜାଖୋଜି କରିଥିଲେ। ଆଉ ରାତି ୯ଟା ବେଳେ ଅପହରଣକାରୀଙ୍କ ପାଖରୁ ଫୋନ ଆସିଥିଲା। ୪୦ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ। ଘଣ୍ଟାଏ ଭିତରେ ଏତକ ଟଙ୍କା ଦେବାକୁ ମହଲତ ଦେଇଥିଲେ। ଏଥିରେ ଘାବରେଇ ପୁଲିସକୁ ତୁରନ୍ତ ଜଣାଇଥିଲେ ପରିବାର ଲୋକ। ପୁଲିସ ସକ୍ରିୟ ହେବା ଦେଖି ଅପହରଣକାରୀ ଆୟୁଷକୁ ମାରିଦେଲେ। ସେପଟେ ଅପହରଣକାରୀଙ୍କୁ ଧରିବାକୁ ଗଲା ବେଳେ ପୁଲିସ ଏନକାଉଣ୍ଟରରେ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ଜଣଙ୍କୁ ଗିରଫ କରାଯାଇଛି। ମୃତ ଅଭିଯୁକ୍ତ ହେଲେ କଲ୍ଲୁ। ଆଉ ଗୁରୁତର ଆହତ ହୋଇଥିବା ଅପହରଣକାରୀ ଇରଫାନକୁ ପ୍ରୟାଗରାଜକୁ ରେଫର କରାଯାଇଛି। ପୁଲିସ କହିଛି, ଅଭିଯୁକ୍ତ କଲ୍ଲୁ ଓ ଇରଫାନ ଅଶୋକଙ୍କ ଘରେ ଭଡ଼ାରେ ରହୁଥିଲେ। ଡିସେମ୍ୱର ୧୦ରେ ଦୁହେଁ ଘର ଖାଲି କରିଥିଲେ। ସିସିଟିଭିରୁ ପୁଲିସ ଜାଣିବାକୁ ପାଇଥିଲା ଯେ, ପାଟିତୁଣ୍ଡ କରି ସେମାନେ ଘର ଖାଲି କରିବାକୁ ବାଧ୍ୟ ହୋଇଥିଲେ। ଆଉ ଜଣାଶୁଣାର ଫାଏଦା ଉଠାଇ ଆୟୁଷକୁ କିଡନ୍ୟାପ୍ କରିଥିଲେ। ଇରଫାନ ବାକ୍ସ ତିଆରି କରି ବିକେ। ତାହାର ହେଲପର ଥିଲା କଲ୍ଲୁ। ଆୟୁଷକୁ ବାଇକ ଶିଖାଇବା ବାହାନାରେ ଡାକି ତାକୁ ଅପହରଣ କରିନେଇଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now