ବିଲଡର-ବ୍ୟାଙ୍କ ଭିତରେ ମଧୁଚନ୍ଦ୍ରିକାରୁ ଫ୍ଲାଟ୍ କ୍ରେତା ଅସୁବିଧାରେ ପଡ଼ୁଛନ୍ତି। ଘରର ଦଖଲ ପାଉନାହାନ୍ତି। ସେପଟେ ଇଏମଆଇ ଭରିବାକୁ ବ୍ୟାଙ୍କ ବାଧ୍ୟ କରୁଛି। ଗୋଟିଏ ପଟେ ଡେଭେଲପରର ଅବହେଳା ତ ଅନ୍ୟ ପଟେ ବ୍ୟାଙ୍କର ଜୁଲୁମ। ଏହାକୁ ନେଇ ଅନେକ କ୍ରେତା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ ସୁପ୍ରିମକୋର୍ଟ ଏ ଘଟଣାରେ ସିବିଆଇକୁ ମାମଲା ରୁଜୁ କରିବାକୁ ନିର୍ଦେଶ ଦେବା ସହ ଏହାର ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଏନ.କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ ଏଭଳି ନିର୍ଦେଶ ଦେଇଛନ୍ତି। ସୁପରଟେକ୍ ଲିମିଟେଡ୍ କମ୍ପାନୀ ଦିଲ୍ଲୀ ଏନସିଆର ଭିତରେ ଏଭଳି କାରନାମା କରୁଥିବାର ଅଭିଯୋଗ ହୋଇଥିଲା। ସେପଟେ ଦିଲ୍ଲୀ ଏନସିଆର ବାହାରେ ବି ଏମିତି କେତେ ବିଲଡର ବ୍ୟାଙ୍କ ସହ ମଧୁଚନ୍ଦ୍ରିକା କରି ହିତାଧିକାରୀଙ୍କୁ ଶୋଷଣ କରୁଛନ୍ତି, ତାହାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଦିଲ୍ଲୀ-ଏନସିଆର, ମୁମ୍ୱାଇ, କୋଲକାତା, ଚଣ୍ଡୀଗଡ଼ ଓ ମୋହାଲିରେ ଥିବା ରିଅଲଇଷ୍ଟେଟ୍ ପ୍ରୋଜେକ୍ଟରେ ବିଲଡର ଓ ବ୍ୟାଙ୍କ ଭିତରେ ମିଲିଭଗତର ଯାଞ୍ଚ ଲାଗି ସିବିଆଇକୁ ନିର୍ଦେଶ ଦେଇଛନ୍ତି ଅଦାଲତ। ଘର କ୍ରେତା ଏହା ବି ଅଭିଯୋଗ କରିଥିଲେ ଯେ, ଯେତେବେଳେ ବିଲଡର ଖିଲାଫି କରୁଥିବାରୁ ସେମାନେ ଟଙ୍କା ଦେବାକୁ ପଛାନ୍ତି। ସେତେବେଳେ ବ୍ୟାଙ୍କ ରିକଭରି ପ୍ରୋସିଡିଂ କରି ଲୋକଙ୍କୁ ହଇରାଣରେ ପକାଉଛି। କୋର୍ଟ ଆରମ୍ଭରୁ ୭ଟି ମାମଲାର ଯାଞ୍ଚ ଲାଗି କହିବା ସହ ଏହା ପାଇଁ ଏସଆଇଟି ଗଠନ ଲାଗି ନିର୍ଦେଶ ଦେଇଛନ୍ତି। ସବା ଆଗରେ ରାଡାରରେ ରହିଛି ସୁପରଟେକ ବିଲଡର। ସୁପରଟେକ୍ ଦେଶତମାମ ୨୧ରୁ ଅଧିକ ପ୍ରୋଜେକ୍ଟ ରହିଛି ଓ ଏଥିରେ ୧୯ଟି ଆର୍ଥିକ ସଂସ୍ଥା ଜଡ଼ିତ ରହିଛି। କୋର୍ଟଙ୍କ କହିବା କଥା, ହଜାର ହଜାର କ୍ରେତା ପ୍ରକଳ୍ପର ପ୍ରତିଶୃତି ଉପରେ ଭରସା କରି ଇଏମଆଇ ଦେବା ଆରମ୍ଭ କରିଥିଲେ। କିନ୍ତୁ ଏ ଯାଏଁ ସେମାନଙ୍କୁ ଘର ମିଳିଲାନି। ଦଖଲ ପାଇନଥିବା କ୍ରେତାଙ୍କ ଉପରେ ବ୍ୟାଙ୍କ ବି ଇଏମଆଇ ଅସୁଲି ଜାରି ରଖିଛି। ଆଉ କ୍ରେତାଙ୍କ ଉପରେ ଆଇନଗତ କାର୍ଯାନୁଷ୍ଠାନର ଭୟ ଦେଖାଉଛି। ଅଧିକନ୍ତୁ ଋଣ ବ୍ୟାଙ୍କ, ବିଲଡର ଓ କ୍ରେତାଙ୍କ ଭିତରେ ତ୍ରିପାକ୍ଷିକ ବୁଝାମଣା ଜରିଆରେ ମଞ୍ଜୁରୀ ଦିଆଯାଏ। ନ୍ୟାୟାଳୟ ୧୨ଶହରୁ ଅଧିକ ଘର ସହ ଜଡ଼ିତ ୧୭୦ରୁ ଅଧିକ ମାମଲାର ଶୁଣାଣୀ ଅବସରରେ ଆର୍ଥିକ ଅନିୟମିତତାରେ ଧୋକାଦାରି ହୋଇନି। ବରଂ ପ୍ରଶାସନିକ ବିଫଳତା ଅଟେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now