ମନଇଛା ବଢ଼ାଇପାରିବନି ବେଞ୍ଚମାର୍କ ଭାଲୁଏସନ..

ମନଇଛା ବେଞ୍ଚମାର୍କ ଭାଲୁଏସନ ବଢ଼ିପାରିବନି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସୁଥିବା ଜିଲ୍ଲାସ୍ତରୀୟ ଭାଲୁଏସନ କମିଟି ନିଜ ମୁତାବକ ଯେତିକି ଚାହିଁବ, ସେତିକି ବେଞ୍ଚମାର୍କ ବଢ଼ାଇପାରିବନି। ଅତି କମରେ ଦୁଇ ବର୍ଷରେ ଥରେ ୧୦ ପ୍ରତିଶତ ବଢ଼ାଇପାରିବେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସବ-ରେଜିଷ୍ଟ୍ରାର ଅଫିସରେ ଅହେତୁକ ମାତ୍ରାରେ ବର୍ଦ୍ଧିତ ବେଞ୍ଚମାର୍କ ବିରୁଦ୍ଧରେ ହାଇକୋର୍ଟରେ ପଡ଼ିଥିଲା ୭୩ଟି ରିଟ୍ ପିଟିସନ। ଶେଷରେ ହାଇକୋର୍ଟ ଏହାର ଶୁଣାଣୀ କରି ଆବେଦନକାରୀଙ୍କ ତର୍କକୁ ଯୁକ୍ତିଯୁକ୍ତ ଦର୍ଶାଇଛନ୍ତି। ୨୦୨୪-୨୬ ଆର୍ଥିକ ବର୍ଷ ପାଇଁ ଜିଲ୍ଲାପାଳ ଧାର୍ଯ୍ୟ କରିଥିବା ବେଞ୍ଚମାର୍କ ବିରୁଦ୍ଧରେ ଏତେ ଗୁଡ଼ିଏ ପିଟିସନ ପଡ଼ିଥିଲା। ପିଟିସନରେ ଦର୍ଶାଯାଇଥିଲା ଯେ, ଜାନୁଆରୀ ୨୭, ୨୦୨୨ରେ ଯେତେବେଳେ ଜିଲ୍ଲାସ୍ତରୀୟ ଭାଲୁଏସନ କମିଟି ଏକ ରିଜୋଲୁସନ କରି ଜିଲ୍ଲାର ବିଭିନ୍ନ ସବ-ଡିଭିଜନ ଓ ତହସିଲ ଏରିଆରେ ବେଞ୍ଚମାର୍କ ଭାଲୁଏସନକୁ ଶହେ ପ୍ରତିଶତରୁ ଉର୍ଦ୍ଧ୍ୱ ବଢ଼ାଇଦେଇଥିଲା। କିନ୍ତୁ ଏଥିଲାଗି କୌଣସି ବିଧିବଦ୍ଧ ପ୍ରକ୍ରିୟାର ଅନୁପାଳନ ହୋଇଥିଲା। ଓଡିଶା ଷ୍ଟାମ୍ପ ରୁଲ୍ସ ୧୯୫୨ କହୁଛି, ରୁଲ ୩୭ ଦ୍ୱାରା ଗଠିତ ଜିଲ୍ଲାସ୍ତରୀୟ ଭାଲୁଏସନ କମିଟି ପ୍ରତି ଦୁଇ ବର୍ଷରେ ବେଞ୍ଚମାର୍କ ଭାଲୁଏସନକୁ ରିଭାଇଜ୍ କରେ। ପୂର୍ବ ବର୍ଷର ବେଞ୍ଚମାର୍କ ଭାଲୁଏସନକୁ ଦେଖି ଏହା ସ୍ଥିର ହୁଏ। ତେବେ ଜିଲ୍ଲା ଭାଲୁଏସନ କମିଟିର ଅଧ୍ୟକ୍ଷ ଥିବା ଜିଲ୍ଲାପାଳ ରୁଲ ୪୪ରେ ଚାହିଁଲେ, ସ୍ଥିତି ଦେଖି ଏହି ବେଞ୍ଚମାର୍କ ଭାଲୁଏସନକୁ ବଢ଼ାଇପାରିବେ। ତା ପୁଣି ୧୦ ପ୍ରତିଶତ ବଢ଼ାଇପାରିବେ। ଯଦି ଜିଲ୍ଲାସ୍ତରୀୟ ଭାଲୁଏସନ କମିଟି ପରବର୍ତ୍ତୀ ଦୁଇ ବର୍ଷ ପାଇଁ ବେଞ୍ଚମାର୍କ ଭାଲୁଏସନ ସ୍ଥିର କରିବାରେ ଫେଲ୍ ମାରେ। ସେଥିଲାଗି ଓଡ଼ିଶା ଷ୍ଟାମ୍ପ ରୁଲ୍ସ ୧୯୫୨ରେ ଥିବା ରୁଲ୍ସ ୪୦ ଓ ୪୧ କେବେ ବି ଜିଲ୍ଲାସ୍ତରୀୟ ବେଞ୍ଚମାର୍କ ଭାଲୁଏସନ କମିଟିକୁ କ୍ଷମତା ଦେଇନି ଯେ, ଜିଲ୍ଲାପାଳ ଯେଉଁ ବାଟରେ ଭାଲୁଏସନ ପ୍ରତିଶତ ବୃଦ୍ଧି କରିବେ, କମିଟି ବି ସେମିତି ବଢ଼ାଇଦେବ। ଜିଲ୍ଲାସ୍ତରୀୟ ଭାଲୁଏସନ କମିଟି ବା ଡିଏଲଭିସି କେବଳ ଆଇନ ଅନୁସାରେ ରିଭିଜନ କରି କେବଳ ବେଞ୍ଚମାର୍କ ଭାଲୁଏସନ ଧାର୍ଯ୍ୟ କରିପାରିବ। ସେଥିଲାଗି ଆକ୍ଟକୁ ମନଇଛା ତର୍ଜମା କରି ବର୍ଦ୍ଧିତ ବେଞ୍ଚମାର୍କ ଭାଲୁଏସନକୁ ଲୋକଙ୍କ ଉପରେ ଲଦି ପାରିବେନି କର୍ତ୍ତୃପକ୍ଷ। ନିର୍ଦ୍ଦିଷ୍ଟ ଆକ୍ଟ ଆଧାରରେ ନିର୍ଦ୍ଦିଷ୍ଟ ପ୍ରୋସିଡ୍ୟୋରକୁ ଅନୁପାଳନ ବେଳେ କର୍ତ୍ତୃପକ୍ଷ ସଚେତନ ହେବା ଜରୁରୀ। ଏ କଥା ନିଜ ରାୟରେ ସ୍ପଷ୍ଟ କରିଦେଇଛନ୍ତି ହାଇକୋର୍ଟ। ସେଥିଲାଗି ଡିଏଲଭିସି ଓ ଏସଡିଭିସି ବା ସବ-ଡିଭିଜନାଲ ବେଞ୍ଚମାର୍କ ଭାଲୁଏସନ କମିଟିର ବର୍ଦ୍ଧିତ ବେଞ୍ଚମାର୍କକୁ ରଦ୍ଦ କରିଦେଇଛନ୍ତି ଅଦାଲତ। ଏହା ସହ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି, ଓଡ଼ିଶା ଷ୍ଟାମ୍ପ ରୁଲ୍ସ ୧୯୫୨ରେ ରୁଲ ୩୭ରେ ଥିବା ସଂଶୋଧିତ ବେଞ୍ଚମାର୍କ ଭାଲୁଏସନକୁ ଅନୁପାଳନ କର। ୨୦୨୪-୨୬ ଆର୍ଥିକ ବର୍ଷ ଲାଗି ପୁରା ଜିଲ୍ଲାରେ ବେଞ୍ଚାମାର୍କ ଭାଲୁଏସନକୁ ଧାର୍ଯ୍ୟ କରିବାର ପ୍ରକ୍ରିୟା ଯେତେ ସମ୍ଭବ ଜଲଦି ସାର। ସର୍ବାଧିକ ୩ ମାସ ଭିତରେ ସଂଶୋଧିତ ବେଞ୍ଚମାର୍କ ଭାଲୁଏସନ କେତେ ହେବ, ଏ ପ୍ରକ୍ରିୟା ସାର। ଏହା ସହ କୋର୍ଟ କହିଛନ୍ତି, ପୂର୍ବ ବର୍ଷ ଯେତିକି ଭାଲୁଏସନ ଥିଲା, ସେଥିରେ ୧୦ ପ୍ରତିଶତ ବୃଦ୍ଧି କରିପାରନ୍ତି ଜିଲ୍ଲାପାଳ। ୨୦୨୨-୨୪ରେ ବେଞ୍ଚମାର୍କ ଭାଲୁଏସନ ଯେତିକି ଥିଲା, ତାକୁ ତୁଳନା କରି ୧୦ ପ୍ରତିଶତ ବୃଦ୍ଧି ଲାଗି ସପ୍ତାହକ ଭିତରେ ସ୍ଥିର କରିବେ ଜିଲ୍ଲାପାଳ। ଯଦି ସପ୍ତାହ ଭିତରେ ଜିଲ୍ଲାପାଳ ଏହାକୁ ସ୍ଥିର କରିବେନି ବା ଜିଲ୍ଲାପାଳଙ୍କଠୁ ଏ ସନ୍ଦର୍ଭରେ ଜିଲ୍ଲା ରେଜିଷ୍ଟ୍ରାର ବା ସବ-ରେଜିଷ୍ଟ୍ରାରଙ୍କୁ କୌଣସି ଅବଗତ କରାଯିବନି। ତା ହେଲେ ସବ-ରେଜିଷ୍ଟ୍ରାରମାନେ ୨୦୨୨-୨୪ ଆର୍ଥିକ ବର୍ଷରେ ଧାର୍ଯ୍ୟ ହୋଇଥିବା ବେଞ୍ଚମାର୍କ ଅନୁସାରେ ଜମି ପଞ୍ଜୀକରଣ କରିବେ। ସଂଶୋଧିତ ବା ଫ୍ରେସ୍ ଅନୁମୋଦିତ ବେଞ୍ଚମାର୍କ ଭାଲୁଏସନ ନ ପହଞ୍ଚିବା ଯାଏ ପୂର୍ବ ବର୍ଷର ଭାଲୁଏସନ ଭିତ୍ତିରେ ରେଜିଷ୍ଟ୍ରେସନ ହେବ। ଗଲା ୨୨ ତାରିଖରେ ଜଷ୍ଟିସ ଏ.ସି.ବେହେରାଙ୍କ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅଗଷ୍ଟ ପହିଲାରେ ଏହାର ଶୁଣାଣୀ ହୋଇଥିଲା।ମନଇଛା ଲୋକଙ୍କ ଉପରେ ବେଞ୍ଚମାର୍କ ଭାଲୁଏସନ ଲଦି ଅତ୍ୟଧିକ ଷ୍ଟାମ୍ପଡ୍ୟୁଟି ଆଦାୟ କରୁଥିବା ଭାଲୁଏସନ କମିଟିକୁ ଅଦାଲତଙ୍କ ଏହି ରାୟ ବଡ଼ ଝଟକା ଦେଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *