୫ଶହ ଟଙ୍କାରେ ମାଲିକ.. ଭାଗ୍ୟ ବଦଳାଇଦେବ ଭାରତ ଟାକ୍ସି!

ଡ୍ରାଇଭର ନୁହେଁ, ଏବେ ଆପଣ ମାଲିକ। ଭାରତର ଟାକ୍ସି ସେକ୍ଟରରକେ ବଡ଼ ପରିବର୍ତ୍ତନ ଆସୁଛି କହି ଏଭଳି ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହା। ଫେବୃଆରୀ ୫ରେ ଦିଲ୍ଲୀରେ ଭାରତ ଟାକ୍ସି ପ୍ଲାଟଫର୍ମର ଶୁଭାରମ୍ଭ କରିଥିଲେ ଶାହା। ଏହା ଭାରତର ପ୍ରଥମ ରାଇଡ୍-ହେଲିଂ ପ୍ଲାଟଫର୍ମ ଅଟେ, ଯାହା ସହକାରୀ ମଡେଲରେ କାମ କରିବ। ଲଞ୍ଚ୍ ପରେ କ୍ୟାବ୍ ଡ୍ରାଇଭରଙ୍କ ସହ କଥାବାର୍ତା ବେଳେ ଶାହା ସ୍ପଷ୍ଟ କରିଦେଇଛନ୍ତି ଯେ, ଦଲାଲି ହଟିବ ଓ ପରିଶ୍ରମ କରୁଥିବା ବ୍ୟକ୍ତି ଫାଏଦା ପାଇବ। ଡ୍ରାଇଭରଙ୍କୁ ସମ୍ୱୋଧନ ବେଳେ ଶାହା କ୍ୟାବ୍ ଏଗ୍ରିଗେଟର କମ୍ପାନୀମାନଙ୍କୁ ବି ଟାର୍ଗେଟ କରିଛନ୍ତି। ବଡ଼ ବଡ଼ କମ୍ପାନୀଙ୍କ ଢାଞ୍ଚା ଏମିତି ହୋଇଥାଏ ଯେ, କେବଳ ଲାଭ ଉପରେ ବସିଥିବା ମାଲିକଙ୍କ ଯାଏ ସୀମିତ ରହୁଥିଲା। କିନ୍ତୁ ସଡ଼କରେ ପରିଶ୍ରମ କରୁଥିବା ଡ୍ରାଇଭରଙ୍କ ଆୟର ବଡ଼ ଭାଗ କମିଶନ ରୂପରେ କଟି ଯାଉଥିଲା। ପ୍ରାୟ ୩୦ ପ୍ରତିଶତ ଭାଗ କାଟିଦିଆଯାଏ। ସେଥିଲାଗି ଆୟର କୌଣସି ଗ୍ୟାରେଣ୍ଟି ନଥିଲା। ଭାରତ ଟାକ୍ସିରେ ଏବେ ମାଲିକ ଆଉ କେହି ନୁହେଁ, ବରିଂ ନିଜେ ଡ୍ରାଇଭର ହେବେ ବୋଲି କହିଛନ୍ତି ଶାହା। ଏହି ପ୍ଲାଟଫର୍ମରେ ଯୋଡ଼ିବାକୁ ଡ୍ରାଇଭରଙ୍କୁ କେବଳ ୫ଶହ ଟଙ୍କା ନିବେଶ କରିବାକୁ ପଡ଼ିବ। ଏହା ସହ ଡ୍ରାଇଭରଙ୍କୁ ଭରସା ଦେଇଛନ୍ତି ଯେ, ସେମାନଙ୍କ ସେବା ବଦଳରେ ତୁରନ୍ତ ଓ ଧାର୍ଯ୍ୟ ଭଡ଼ା ମିଳିଚାଲିବ। ଅର୍ଥାତ୍ ଦୈନିକ ରୋଜଗାରକୁ ନେଇ ଆଉ କୌଣସି ଅନିଶ୍ଚିତତା ରହିବନି। ଏହା ଏଭଳି ଏକ ମଡେଲ୍, ଟାକ୍ସି ଚାଳକ ଅର୍ଥାତ୍ ସାରଥୀ, କମ୍ପାନୀ ଲାଭର ମାଲିକ ବି ସାଜିବେ। ଉଦାହରଣ ଦେଇ ଶାହା କହିଛନ୍ତି, ଯଦି ୩ ବର୍ଷ ପରେ ଭାରତ ଟାକ୍ସିର ୨୫ କୋଟି ଲାଭ ହୁଏ। ଏହାର ୨୦ ପ୍ରତିଶତ ଅର୍ଥାତ୍ ୫ କୋଟି ଟଙ୍କା କମ୍ପାନୀର ଖାତାର ପୁଞ୍ଜି ଭାବେ ଯୋଡ଼ାହେବ। ବାକି ୮୦ ପ୍ରତିଶତ ଅର୍ଥ ଡ୍ରାଇଭରଙ୍କ ଭିତରେ ବାଣ୍ଟି ଦିଆଯିବ। ତେବେ ଏହି ବଣ୍ଟନର ଆଧାର ବି ସ୍ଥିରୀକୃତ ହୋଇଛି। କେଉଁ ଡ୍ରାଇଭରର ଟାକ୍ସି କେତେ କିଲୋମିଟର ଚାଲିଛି। ଯାହାର ଅଧିକ କାମ, ତାହାର ଅଧିକ ଭାଗ। କିନ୍ତୁ ଲାଭ ପାଇବାକୁ ହେଲେ ୩ ବର୍ଷ ଧୈର୍ଯ୍ୟ ରଖିବାକୁ ପଡ଼ିବ। ଏହି ସମୟ ଭିତରେ ଡ୍ରାଇଭରଙ୍କୁ ନିୟମିତ ଭଡ଼ା ମିଳିଚାଲିଥିବ। ହେଲେ ଲାଭାଂଶର ବିତରଣ ୩ ବର୍ଷ ପରେ ଆରମ୍ଭ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *