ଅବହେଳାରୁ ଆକ୍ସିଡେଣ୍ଟ- ବୀମା କମ୍ପାନୀ କ୍ଷତିପୂରଣ ଦେବାକୁ ବାଧ୍ୟ ନୁହେଁ

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି। ଯେତେ ମହଙ୍ଗା ବୀମା ହୋଇଥିଲେ ବି ବୀମା ମିଳିବନି। ଯଦି ବେପରୁଆ ଭାବେ ଗାଡ଼ି ଚଳାଇ ଚାଳକଙ୍କ ମୃତ୍ୟୁ ହୋଇଥିବ। ଦ୍ରୁତ ଗତି ବା ଟ୍ରାଫିକ ନିୟମର ଉଲ୍ଲଂଘନ କାରଣରୁ ମୃତ୍ୟୁ ହେଲେ ବି କ୍ଷତିପୂରଣ ବୀମା କମ୍ପାନୀ ଦେବାକୁ ବାଧ୍ୟ ନୁହେଁ। ବୀମା କମ୍ପାନୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ବୀମାରାଶି ଦେବାକୁ ବାଧ୍ୟ ନୁହେଁ। ଯେତେବେଳେ ଦୁର୍ଘଟଣା ପୁରା ଗାଡ଼ିଚାଳକର ଭୁଲ୍ ଲାଗି ହୋଇଛି। ଏଥିରେ କୌଣସି ବାହ୍ୟକାରକ ସାମିଲ୍ ନଥିବେ। ତା ହେଲେ ବୀମା ଦାବି ମାନ୍ୟତା ପାଇବନି। ଅବହେଳାରୁ ଆକ୍ସିଡେଣ୍ଟ ହେଲେ ବୀମା କମ୍ପାନୀ ଉତ୍ତରଦାୟୀ ରହିବନି ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ପିଭି ନରସିଂହା ଓ ଜଷ୍ଟିସ ଆର. ମହାଦେବନଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଏହି ପୀଠ ମୃତକ ଏନ.ଏସ. ରବିଶଙ୍କ ପତ୍ନୀ, ପୁଅ ଓ ମାତା ପିତାଙ୍କ ଦ୍ୱାରା ଦାଏର ମାମଲାର ଶୁଣାଣୀ କରୁଥିଲେ। ଏହି ରାୟ ସଡ଼କ ସୁରକ୍ଷା ଓ ବୀମା ଦାବି ନିୟମ ସମ୍ପର୍କିତ ମହତ୍ତ୍ୱପୂର୍ଣ୍ଣ ରାୟର ନଜିରକୁ କାଏମ ରଖେ। ଜୁନ୍ ୧୮,୨୦୨୪ରେ କର୍ଣ୍ଣାଟକରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ରବିଶ। ନିଜର ଫିଏଟା ଲିନିଆ କାରରେ ମଲ୍ଲାସାନ୍ଦ୍ରା ଗାଁରୁ ଅରସିକିରେ ସହରକୁ ଯାଉଥିଲେ। କାରରେ ତାଙ୍କ ବାପା, ଭଉଣୀ ଓ ଭଣଜା ଭାଣେଜୀ ଥିଲେ। ପୁଲିସ ରେକର୍ଡ ଅନୁସାରେ ରବିଶ ଦ୍ରୁତ ଗତିରେ ଓ ଦାୟିତ୍ୱହୀନ ଭାବେ ଗାଡ଼ି ଚଲାଇଥିଲେ। ମାୟଲନାହାଲି ଗେଟ ପାଖରେ ସେ କାର ଉପରୁ ନିୟନ୍ତ୍ରଣ ହରାଇବାରୁ କାର୍ ଓଲଟି ପଡ଼ିଥିଲା। ଆଉ ରବିଶଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ରବିଶଙ୍କ ପରିବାର ୟୁନାଇଟେଡ୍ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀରୁ ୮୦ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦାବି କରିଥିଲେ। ରବିଶ ଠିକାଦାର ଥିଲେ ଓ ତାଙ୍କ ମାସିକ ଆୟ୩ ଲକ୍ଷ ଟଙ୍କା ଥିଲା ବୋଲି ପରିବାର କହିିଥିଲା। କିନ୍ତୁ ପୁଲିସ ଦ୍ୱାରା ଦାଏର ଚାର୍ଜସିଟରେ ସ୍ପଷ୍ଟ ରୂପେ କୁହାଯାଇଥିଲା ଯେ, ଦୁର୍ଘଟଣା ରବିଶଙ୍କ ଅବହେଳା ଓ ଦ୍ରୁତ ଗାଡ଼ି ଚାଳନାରୁ ଘଟିଥିଲା। ଏହି ସୂଚନାକୁ ଆଧାର କରି ବୀମା କମ୍ପାନୀ ରବିଶଙ୍କ ପରିବାରର ଦାବିକୁ ବିରୋଧ କରିଥିଲା। ମୋଟର ଆକ୍ସିଡେଣ୍ଟ କ୍ଲେମ ଟ୍ରିବ୍ୟୁନାଲ ବି ପରିବାର ପକ୍ଷରୁ କ୍ଷତିପୂରଣ ଦାବିକୁ ଆରମ୍ଭରୁ ଖାରଜ କରିଦେଇଥିଲେ। ଏହା ପରେ ପରିବାର କର୍ଣ୍ଣାଟକ ହାଇକୋର୍ଟରେ ଅପିଲ କରିଥିଲେ। କିନ୍ତୁ ନଭେମ୍ୱର ୨୩, ୨୦୨୪ରେ ହାଇକୋର୍ଟ ଅପିଲକୁ ଖାରଜ କରିଦେଇଥିଲେ। ହାଇକୋର୍ଟ ନିଜ ରାୟରେ କହିଥିଲେ, ଦୁର୍ଘଟଣା ମୃତକଙ୍କ ଭୁଲରୁ ହୋଇଥିବାରୁ ବୀମା କମ୍ପାନୀରୁ କ୍ଷତିପୂରଣ ଦାବି କରାଯାଇପାରିବନି। ସୁପ୍ରିମକୋର୍ଟ ବି ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ଯଦି ମୃତ୍ୟୁ ସମ୍ପୂର୍ଣ୍ଣ ଭାବେ ଡ୍ରାଇଭରର ନିଜସ୍ୱ ଭୁଲରୁ ହୋଇଥିବ ଆଉ ଏଥିରେ କୌଣସି ବାହ୍ୟ କାରଣ ସାମିଲ୍ ନୁହେଁ। ସେଥିଲାଗି ବୀମା କମ୍ପାନୀ କ୍ଷତିପୂରଣ ଦେବାକୁ ବାଧ୍ୟ ନୁହେଁ। ସରଳ ଭାଷାରେ କହିଲେ, ଡ୍ରାଇଭର ଓଭରସ୍ପିଡରେ କାର୍ ଚଳାଉଥିଲେ। ସେଥିଲାଗି ଦୁର୍ଘଟଣା ଲାଗି ସେ ନିଜେ ଦାୟୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *