୫୧ଲକ୍ଷ ଟଙ୍କାର ବୀମାରାଶି ହଡ଼ପ ପାଇଁ ଦିବ୍ୟାଙ୍ଗକୁ ମର୍ଡର- ୯ ମାସ ପରେ ପୁଲିସ କଲା ଖୁଲାସା

ଜଣେ ଦିବ୍ୟାଙ୍ଗ ବ୍ୟକ୍ତିର ବୀମା ରାଶି ହଡ଼ପ କରିବାକୁ ମର୍ଡର। ୟୁପି ସମ୍ଭଲ ଜିଲ୍ଲାରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଥିରେ ବ୍ୟାଙ୍କର ପଲିସି ଆଡଭାଇଜର ପଙ୍କଜ ରାଘବ, ହରିଓମ୍ ସିଂ, ବିନୋଦ ଓ ପ୍ରତାପଙ୍କୁ ଗିରଫ କରିଛି ପୁଲିସ। ଦିବ୍ୟାଙ୍ଗ ଦରିୟାବ୍ ୫୧ ଲକ୍ଷ ଟଙ୍କାର ୫ଟି ବୀମା କରିଥିଲେ। ଆଉ ଦରିୟାବଙ୍କୁ ହତ୍ୟା କରି ବୀମା ରାଶି ହଡ଼ପ କରିବାକୁ ଯୋଜନା କରିଥିଲେ ଦୁର୍ବୃତ୍ତ। ଆଗ ତାଙ୍କୁ ମଦ ପିଆଇଲେ। ପରେ ଗାଡ଼ି ମଡ଼ାଇଥିଲେ। ଜେଲରୁ ବାହାରିଥିବା ଏକ ଅଭ୍ୟାସଗତ ଅପରାଧୀ ଦ୍ୱାରା ଗାଡ଼ି ମଡାଇଥିଲେ। ଏଥିରେ ବି ମୃତ୍ୟୁ ନ ହେବାରୁ ତାଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ। ଦରିୟାବ୍ ମରିଗଲେ, ତାଙ୍କ ବୀମା ରାଶି କେମିତି ହଡ଼ପ କରିବେ, ସେ ଚିନ୍ତାରେ ଥିଲେ ସଭିଏଁ। ଅଭିଯୁକ୍ତମାନେ ଦରିୟାବଙ୍କର ମୃତ୍ୟୁକୁ ଦୁର୍ଘଟଣାଜନିତ ବୋଲି ଦର୍ଶାଇବାକୁ ବି ସକ୍ଷମ ହେଲେ। ପୁଲିସ ବି ଦୁର୍ଘଟଣା ଭାବି ଫାଇଲ୍ ବନ୍ଦ କରିଦେଇଥିଲା। କିନ୍ତୁ ଯେତେବେଳେ ୫ ପଲିସିକୁ ଏକା ସାଙ୍ଗରେ କ୍ଲେମ୍ କରିବାକୁ ବୀମା କମ୍ପାନୀରେ ପହଞ୍ଚିଥିଲେ। ସେତେବେଳେ ହିଁ ସନ୍ଦେହରୁ ତଦନ୍ତ ଓ ତଦନ୍ତ ପରେ ପୁରା ପ୍ରକରଣ ଧରାପଡ଼ିଥିଲା। ଦୁର୍ଘଟଣା ନୁହେଁ, ବରଂ ସୁଚିନ୍ତିତ ହତ୍ୟା ଥିଲା। ୯ ମାସ ପରେ ପୁଲିସ ଏହି ରହସ୍ୟ ଉପରୁ ପରଦା ଉଠାଇବାକୁ ସକ୍ଷମ ହୋଇଛି। ଏହି ଗ୍ୟାଙ୍ଗ ବିକଳାଙ୍ଗ ଓ ଅସହାୟ ବ୍ୟକ୍ତିଙ୍କ ବୀମା କରି ପରେ ହତ୍ୟା କରି ବୀମା ରାଶି ହଡ଼ପ କରିଆସୁଥିଲେ। ଜାଲି ବୀମା କରି ଲୋକଙ୍କ ଟଙ୍କା ହଡ଼ପ କରୁଥିବା ଗ୍ୟାଙ୍ଗ ସହ ଏମାନେ ଜଡ଼ିତ ଅଛନ୍ତି। ଅଗଷ୍ଟ ୧, ୨୦୨୪ରେ ରାସ୍ତାକଡ଼ରେ ଦରିୟାବ ଜାଟବଙ୍କ ଶବ ମିଳିଥିଲାଷ। ରାତି ୧୦ଟାରେ କୌଣସି ଅଜ୍ଞାତ ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ଶବ ବ୍ୟବଛେଦ ରିପୋର୍ଟରେ ମୁଣ୍ଡରେ ଆଘାତ ଲାଗି ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ପୁରା ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ଯେହେତୁ ଗାଡ଼ି ମଡ଼ାଇ ଦିଆଯାଇଥିଲା। ଚନ୍ଦ୍ରୌସି ପୁଲିସ ବି ଏହାର ଫାଇଲ ବନ୍ଦ କରିଦେଇଥିଲା। ତେବେ ଜାଲି ବୀମାଧାରୀଙ୍କ ସନ୍ଦର୍ଭରେ ପୁଲିସ ଖୋଳତାଡ଼ ଜାରି ରଖିଥିଲା ଏ ସମୟରେ। ଅତିରିକ୍ତ ଏସପି ଅନୁକୃତି ଶର୍ମା କହିଛନ୍ତି, ବୀମା କମ୍ପାନୀକୁ ବି ସୂଚିତ କରାଯାଇଥିଲା ଯେ, କୌଣସି ସନ୍ଦେହ ହେଲେ ଖବର ଦେବାକୁ। ମୃତ୍ୟୁର କିଛି ମାସ ଆଗରୁ ଦରିୟାବ୍ ୫ଟି ବୀମା କରିଥିଲେ। ଟାଟାର ୨୦ଲକ୍ଷ, ବଜାଜର ୫ଲକ୍ଷ, ରିଲାଏନ୍ସର ୧୦ଲକ୍ଷ, ଆଇସିଆଇସିଆଇର ୧୦.୬୮ଲକ୍ଷ ଓ କୃଷକ ବୀମାରେ ୫ଲକ୍ଷ ଟଙ୍କାର ବୀମା କରିଥିଲେ। ଏ ସବୁ ପଲିସି ଅକ୍ଟୋବର-୨୦୨୩ରୁ ଆରମ୍ଭ ହୋଇଥିଲା। ୫ଟି ଯାକ ପଲିସିରେ ନୋମିନି ଥିଲେ ମୃତକଙ୍କ ଭାଇ ରାଜେନ୍ଦ୍ର। ଗ୍ୟାରେଣ୍ଟର ହରିଓମ୍ ଓ ପଙ୍କଜ ରାଘବ ଥିଲେ। ପୁଲିସ ଏଥିରେ ସନ୍ଦେହ କରିଥିଲା। ଦୁର୍ଘଟଣା ରାତିରେ ହରିଓମର ମୋବାଇଲ ଲୋକେସନ ବାହାର କରିବାରୁ ଜଣାପଡ଼ିଲା ଯେ, ଘଟଣାସ୍ଥଳ ପାଖରେ ଥିଲା ସେ। ଆଉ ହରିଓମକୁ ଜେରା ପରେ ସବୁ କଥା ଧରାପଡ଼ିଯାଇଥିଲା। ହରିଓମ୍‌ ବି ଦରିୟାବ ଗାଁରେ। ହରିଓମ ପୁଅର ବିବାହ ଥିଲା। ଟଙ୍କା ଦରକାର ହେବାରୁ ବ୍ୟାଙ୍କକୁ ଋଣ ପାଇଁ ଯାଇଥିଲା। ବ୍ୟାଙ୍କରେ ପଲିସି ଆଡଭାଇଜର ପଙ୍କଜ ରାଘବ ସହ ଦେଖା ହୋଇଥିଲା। ହରିଓମ୍ ର ସିଭିଲ ସ୍କୋର ଖରାପ ହେତୁ ଋଣ ମିଳିପାରିବନି ବୋଲି ରାଘବକୁ କହି ତାକୁ ସ୍କିମ୍ ବତାଇଥିଲା। ଯଦି ଏମିତି କେଉଁ ଲୋକର ବୀମା ସେ କରେ, ଯିଏ ଆଉ କିଛି ଦିନ ପରେ ମରିବାକୁ ଥିବ। ଏ କଥା ଶୁଣି ଦିବ୍ୟାଙ୍ଗ ଦରିୟାବଙ୍କ କଥା ମୁଣ୍ଡକୁ ଜୁଟିଥିଲା। ମର୍ଡର ମାମଲାରେ ୧୩ ବର୍ଷ ଧରି ବନ୍ଦୀ ପରେ ୨ ବର୍ଷ ତଳେ ଜେଲରୁ ବାହାରିଥିବା ଅପରାଧୀ ପ୍ରତାପକୁ ଯୋଗାଯୋଗ କରି ଦରିୟାବକୁ ମାରିବାକୁ ପ୍ଲାନ୍ ହୋଇଥିଲା। ବ୍ୟାଙ୍କର ପଲିସି ଆଡଭାଇଜର ପଙ୍କଜ କାହାକୁ କିଛି ନ କହି ଦରିୟାବଙ୍କ ୧୫.୬୮ ଲକ୍ଷ ଟଙ୍କାର ଦୁଇଟି ବୀମାରୁ ନଗଦ ବି ଉଠାଇସାରିଥିଲା। ପୁଲିସକୁ ବି ସନ୍ଦେହ ହୋଇଥିଲା ଯେ, ଦରିୟାବ୍ କୌଣସି କାମ କରିବାକୁ ଅସମର୍ଥ ଥିଲା ବେଳେ ପ୍ରତି ମାସରେ ବୀମା କିସ୍ତି ଭରୁଥିଲେ କେମିତି। ପୁଣି ୫ଟି ବୀମାର। ଦରିୟାବଙ୍କ ଭାଇ ରାଜେନ୍ଦ୍ର ନୋମିନି ଥିଲେ ବି ଅପରାଧୀଙ୍କ ଏଭଳି କୌଣସି ପ୍ଲାନ୍ ବାବଦରେ ବିଲକୁଲ ଅନ୍ଧାରରେ ଥିଲେ। କାରଣ ରାଜେନ୍ଦ୍ରଙ୍କ ଡକ୍ୟୁମେଣ୍ଟ ନେଇ ଆକ୍ସିସ ବ୍ୟାଙ୍କରେ ଖାତା ଖୋଲିଦେଇଥିଲେ ଦୁର୍ବୃତ୍ତ। ପାସବୁକ, ଚେକବୁକ୍ ଓ ଏଟିଏମ କାର୍ଡ ନିଜ ପାଖରେ ରଖିଥିଲେ। ରାଜେନ୍ଦ୍ରଙ୍କ ଆକାଉଣ୍ଟକୁ କ୍ଲେମ ଅର୍ଥ ଆସିବା ପରେ ଏହାକୁ ଉଠାଇଦେଉଥିଲେ। ରାଜେନ୍ଦ୍ର ଏ ବାବଦରେ ବିଲକୁଲ ଟେର୍ ପାଇନଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *