କେରଳରେ ଫସିଥିବା ଏଫ-୩୫ ଫାଇଟର ଜେଟ୍ ଆଉ ମରାମତି ହୋଇପାରିବନି। ଏବେ ପାର୍ଟ ପାର୍ଟ କରି ବ୍ରିଟେନକୁ ଯିବ। ପ୍ରିନ୍ସ ଅଫ ଓ୍ୱେଲ୍ସ କ୍ୟାରିଅର ଷ୍ଟ୍ରାଇକ ଗୃପର ଏଫ-୩୫ବି କେରଳର ତଟରୁ ପ୍ରାୟ ଶହେ କିଲୋମିଟର ଦୂରରେ ଅପରେସନ କରୁଥିଲା। କିନ୍ତୁ ଖରାପ ପାଗ ଓ କମ୍ ତେଲ ଥିବା କାରଣରୁ ଫାଇଟର ଜେଟକୁ ଥିରୁବନନ୍ତପୁରମ ଏୟାରପୋର୍ଟରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା। ଜୁନ୍ ୧୪ରେ ଏହା ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା। ୧୯ ଦିନ ପରେ ବି ଏହି ବିମାନରେ ଥିବା ତୃଟି ସଜଡ଼ା ହୋଇପାରିଲାନି। ବିମାନ ପୁଣି ଉଡ଼ାଣ ଭରିବାକୁ ସକ୍ଷମ ହେବା ଲାଗି ଯେତେ ପ୍ରୟାସ ହୋଇଥିଲା, ତାହା ଫେଲ୍ ମାରିଯାଇଛି। ୟୁକେରୁ ବି କୌଣସି ଇଞ୍ଜିନିୟରିଂ ଟିମ୍ ଭାରତ ପହଞ୍ଚିଲେନି। ମରାମତି ପାଇଁ ତିନି ଜଣିଆ ଇଞ୍ଜିନିୟର ଗୃପ ଥିରୁବନନ୍ତପୁରମରେ ପହଞ୍ଚିବାର ଥିଲା। ବିମାନକୁ ଡିସମେଣ୍ଟାଲ କରିବା, ମିଲିଟ୍ରି ଟ୍ରାନ୍ସପୋର୍ଟ ଦୃଷ୍ଟିରୁ ବିଚାର କରାଯାଉଛି। ବ୍ରିଟେନ ଏହି ଫାଇଟର ଜେଟକୁ ସି-୧୭ ଗ୍ଲୋବମାଷ୍ଟର ବିମାନରେ ନେଇଯିବାକୁ ବିଚାର କରୁଛି। ବିମାନର ବିଭିନ୍ନ ପାର୍ଟସ ଖୋଲି ଏହାକୁ ଗ୍ଲୋବମାଷ୍ଟର ମାଧ୍ୟମରେ ସୁରକ୍ଷିତ ଫେରାଇନିଆଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଟେକଅଫ ପୂର୍ବରୁ ଯାଞ୍ଚ ବେଳେ ହାଇଡ୍ରୋଲିକ ଫେଲ୍ୟୋରର କଥା ଧରାପଡ଼ିଥିଲା। ଏହି ସମସ୍ୟା ଅତି ଗମ୍ଭୀର। କାରଣ ଜେଟକୁ ସୁରକ୍ଷିତ ଭାବେ ଉଡ଼ାଣ ଭରିବା ଓ ଅବତରଣର କ୍ଷମତାକୁ ଏହା ପ୍ରଭାବିତ କରେ। ରୟାଲ ନେଭି ଟିମର ୩ଜଣ ଟେକ୍ନିସିଆନ ଏହାକୁ ଠିକ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ସଫଳ ହେଲେନି। ଆଗ ଏହାକୁ ହ୍ୟାଙ୍ଗରରେ ନେବାକୁ ପଛଘୁଞ୍ଚା ଦେଇଥିଲା ବ୍ରିଟେନ୍। ଏଫ-୩୫ ଦୁନିଆର ସବୁଠୁ ମହଙ୍ଗା ଓ ଆଡଭାନ୍ସ ଫାଇଟର ଜେଟ ଅଟେ। ରାଡାରରୁ ରକ୍ଷା ପାଇବାକୁ ଏହି ବିମାନକୁ ମୁଖ୍ୟତଃ ଆମେରିକା କମ୍ପାନୀ ଲକହିଡ୍ ମାର୍ଟିନ ତିଆରି କରେ। ଯୁଦ୍ଧରେ ଶତୃକୁ ଚକମା ଦେବାରେ ସିଦ୍ଧହସ୍ତ ଏହି ବିମାନ। ଗୋଟିଏ ବିମାନର ଦର ୧୧୦ ମିଲିୟନ ଡଲାର ଅର୍ଥାତ ପ୍ରାୟ ୯୫୦ କୋଟି ଟଙ୍କା।

Naxatra News is now on Whatsapp
Join and get latest news update delivered to you via whatsapp
Join Now