୧୦ ମିନିଟରେ ଡେଲିଭରି। ଏହା ସମ୍ଭବ ନୁହେଁ। ତରବରରେ ଡେଲିଭରି ଚକ୍କରରେ ଅନେକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହାକୁ ବ୍ୟାନ୍ କରାଯାଉ। କମ୍ ଦରମା, ମନଇଛା କର୍ମଚାରୀଙ୍କ ଆଇଡିକୁ ବ୍ଲକ୍, ଦୁର୍ଘଟଣାଜନିତ ବୀମା, ରେଟ୍ କାର୍ଡ ଭଳି ଅସଙ୍ଗତି ଦୂର କରିବା ଦାବିକୁ ନେଇ ଆଜି ଦେଶତମାମ ଗିଗ୍ ଓ୍ୱାର୍କର୍ସ ହଡ଼ତାଳକୁ ଓହ୍ଲାଇଛନ୍ତି। ଫୁଡ୍ ଡେଲିଭରି, କ୍ୱିକ୍ କମର୍ସ ଓ ଇ-କମର୍ସ ଭଳି ସେବା ଆଜି ଅନେକ ସହରରେ ପ୍ରଭାବିତ ହୋଇଛି। ଜମାଟୋ, ସ୍ୱିଗି, ବ୍ଲିଂକିଟ, ଜେପଟୋ, ଆମାଜନ ଓ ଫ୍ଲିପକାର୍ଟ ଭଳି ଅନେକ ସଂସ୍ଥାର ଡେଲିଭରି ପାର୍ଟନର ଏହି ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି। ଶେଷ ମୂହୂର୍ତ୍ତରେ ଡେଲିଭରି ପାଇଁ ଅର୍ଡର କରୁଥିବା ଗ୍ରାହକ ଏହି ଆନ୍ଦୋଳନରୁ ବିଶେଷ ପ୍ରଭାବିତ ହୋଇଛନ୍ତି। ଏହି ଷ୍ଟ୍ରାଇକ୍ ତେଲେଙ୍ଗାନା ଗିଗ ଓ ପ୍ଲାଟଫର୍ମ ଓ୍ୱାର୍କର୍ସ ୟୁନିଅନ, ଇଣ୍ଡିଆନ ଫେଡେରେସନ ଅଫ ଆପ୍ ବେସଡ ଟ୍ରାନ୍ସପୋର୍ଟ ଓ୍ୱାର୍କର୍ସ ଡାକରା ଦେଇଥିଲେ। ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ-ଏନସିଆର, ପଶ୍ଚିମବଙ୍ଗ ଓ ତାମିଲନାଡ଼ୁରେ ଏହି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କର୍ମକ୍ଷେତ୍ରରେ ୫ଟି ମୁଖ୍ୟ ଦାବିକୁ ନେଇ ଏମାନେ ଆନ୍ଦୋଳନକୁ ଯାଇଛନ୍ତି। ଆନ୍ଦୋଳନକାରୀଙ୍କ କହିବା କଥା, ଆପ୍ ଭିତ୍ତିକ କମର୍ସ ସିଷ୍ଟମର ସେମାନେ ମେରୁଦଣ୍ଡ ଅଟନ୍ତି। କିନ୍ତୁ ସେମାନଙ୍କୁ ଦୀର୍ଘ ସମୟ ଧରି ଖଟାଯାଉଛି। ଉଚିତ୍ ପାଉଣା ବି ଦିଆଯାଉନି। ଚାକିରୀରେ ନିରାପତ୍ତା ନାହିଁ। କାମରେ ନା ସମ୍ମାନ ନା ମର୍ଯାଦା ମିଳୁଛି। ଡେଲିଭରି ଟିକେ ବିଳମ୍ୱ ହେଲେ ସେମାନଙ୍କ ପ୍ରତି ଅଶୋଭନୀୟ ଆଚରଣ ସାଙ୍ଗକୁ ଟଙ୍କା ନ ଦେଇ ଅନେକ ଗ୍ରାହକ ହଇରାଣ ହରକତ କରୁଛନ୍ତି। କହିବାକୁ ଗଲେ ସେମାନଙ୍କ ପାଇଁ କୌଣସି ସାମାଜିକ ନିରାପତ୍ତାର ବ୍ୟବସ୍ଥା ନାହିଁ। ଡିସେମ୍ୱର ୨୫ କ୍ରିସମାସ ଦିନ ବି ଅନୁରୂପ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଗୁରୁଗ୍ରାମରେ ଡେଲିଭରି ସେବା ପ୍ରଭାବିତ ହୋଇଥିଲା। ନୂଆ ବର୍ଷ ପୂର୍ବ ଦିନ ଏଭଳି ଆନ୍ଦୋଳନ ଅନଲାଇନ ଡେଲିଭରି ସେବାକୁ ପ୍ରଭାବିତ କରିଛି। ଡେଲିଭରି ଏଜେଣ୍ଟଙ୍କ ସହ କଥା ହୋଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ସେମାନେ କେଉଁ ପରିସ୍ଥିତିରେ କାମ କରୁଛନ୍ତି, ତାକୁ ବୁଝିଛନ୍ତି। ତୁରନ୍ତ କେନ୍ଦ୍ର ସରକାର ଏ ଦିଗରେ ଦୃଷ୍ଟି ଦେବା କଥା ବୋଲି କହିଛନ୍ତି ରାହୁଲ। ପ୍ରମୁଖ ସହରରେ ଥିବା ଅନେକ ରେଷ୍ଟୁରାଣ୍ଟ ବ୍ୟସ୍ତ ହୋଇପଡ଼ିଛନ୍ତି। ଯଦି ଷ୍ଟ୍ରାଇକ୍ ବ୍ୟାପକ ହେବ, ତାହେଲେ ଡେଲିଭରି ଅର୍ଡରକୁ କେମିତି ମୁକାବିଲା କରାଯିବ। ଏହା ଦ୍ୱାରା ହୋଟେଲ ଗୁଡ଼ିକ ଅଧିକ କ୍ଷତି ସହିବାର ଆଶଙ୍କା ରହିଛି। କଷ୍ଟମରଙ୍କ ପ୍ଲାନକୁ ଏହା ବିଗାଡ଼ିପାରେ। ବର୍ଷର ଶେଷ ଦିନକୁ ସବୁଠୁ ବ୍ୟସ୍ତବହୁଳ ସେଲସ ଡେ କୁହାଯାଏ। କଷ୍ଟମରଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିପାରେ। ଅର୍ଡର କ୍ୟାନସଲ କରିବାକୁ ପଡ଼ିପାରେ। କାରଣ ଡେଲିଭରି ଏକଜ୍ୟୁକୁଟିଭ ଆପ୍ କୁ ଲଗ ଅଫ୍ କରି ରହିଯିବାର ଆଶଙ୍କା ରହିଛି। ଫୁଡ୍, ଗ୍ରୋସୋରୀ ଓ ଲାଷ୍ଟ ମିନିଟ୍ ସପିଂ ୟୁଜର୍ସଙ୍କୁ ଅଧିକ ପ୍ରଭାବ ପଡ଼ିବ। ଟିଜିପିଡବ୍ଲୁୟୁର ଆକଳନ, ୧ଲକ୍ଷରୁ ଦେଢ଼ ଲକ୍ଷ ରାଇଡର୍ସ ଏହି ଆନ୍ଦୋଳନରେ ସାମିଲ୍ ହେବେ। ପିକ୍ ଆୱାରରେ ଡେଲିଭରି ପ୍ରକ୍ରିୟା ପ୍ରଭାବିତ ହୋଇଛି। ଡେଲିଭରି ପ୍ଲାଟଫର୍ମଗୁଡ଼ିକ ନୂଆବର୍ଷ ପାଇଁ ପ୍ରମୋସନାଲ ଅଫର୍ସ ଦେଉଛନ୍ତି। ପ୍ରଡକ୍ଟକୁ ଷ୍ଟକ୍ ଅପ୍ କରିବାକୁ କହୁଛନ୍ତି। କାରଣ ଡେଲିଭରିର କୌଣସି ଗ୍ୟାରେଣ୍ଟି ନାହିଁ। ସେଥିଲାଗି କଷ୍ଟମର୍ସଙ୍କୁ ପରାମର୍ଶ ଦିଆଯାଇଛି, କୌଣସି ଆବଶ୍ୟକୀୟ ସାମଗ୍ରୀ ସିଧା ଷ୍ଟୋରରୁ କିଣନ୍ତୁ। ଶେଷ ମୂହୂର୍ତ୍ତରେ ଅନଲାଇନ ଅର୍ଡର କରି ହଇରାଣ ହେବାରୁ ମୁକ୍ତି ପାଆନ୍ତୁ। ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ମଧ୍ୟରାତ୍ରିରେ ଏମର୍ଜେନ୍ସି ସାମଗ୍ରୀ ପାଇଁ କ୍ୱିକ୍ କମର୍ସ ପ୍ଲାଟଫର୍ମ ଉପରେ ନିର୍ଭରଶୀଳ ହୁଅନ୍ତୁନି ବୋଲି କୁହାଯାଇଛି। ଇଣ୍ଡିଆନ ଫେଡେରେସନ ଅଫ ଆପ୍ ବେସଡ ଟ୍ରାନ୍ସପୋର୍ଟ ଓ୍ୱାର୍କର୍ସ( ଆଇଏଫଏଟି)ର ଦେଶରେ ୭ଲକ୍ଷ ମେମ୍ୱର ଅଛନ୍ତି। କେବଳ ବେଙ୍ଗାଲୁରୁରେ ୩୫ହଜାର ମେମ୍ୱର ଅଛନ୍ତି। ତେବେ ମେମ୍ୱରଙ୍କୁ ଆନ୍ଦୋଳନରେ ସାମିଲ୍ ହେବାକୁ କୌଣସି ବାଧ୍ୟବାଧକତା ନାହିଁ। ଅନେକ ଏହି ଆନ୍ଦୋଳନରେ ସାମିଲ୍ ହେବାକୁ ଚାହୁଁଛନ୍ତି। କିନ୍ତୁ କାଳେ ସେମାନଙ୍କ କମ୍ପାନୀ ସେମାନଙ୍କୁ କଳାତାଲିକାଭୁକ୍ତ କରିଦେବ, ସେ ଭୟ ବି ଘାରିଛି ବୋଲି କହିଛନ୍ତି ଆଇଏଫଟିର ରାଷ୍ଟ୍ରୀୟ ସଭାପତି ପ୍ରଶାନ୍ତ ସାଓ୍ୱରଦେକର।
Naxatra News is now on Whatsapp
Join and get latest news update delivered to you via whatsapp
Join Now