୨୫ଲକ୍ଷର ଜିଏସଟି ନୋଟିସ- ୟୁପିଆଇ ବିରୁଦ୍ଧରେ ହରତାଳ

କର୍ଣ୍ଣାଟକରେ ଜଣେ ପରିବା ବେପାରୀଙ୍କୁ ୨୯ ଲକ୍ଷ ଟଙ୍କାର ଜିଏସଟି ନୋଟିସକୁ ନେଇ ହଙ୍ଗାମା ହୋଇଛି। କଳା ବ୍ୟାଜ୍ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ। ଆଜି ଚା, କଫି ଓ କ୍ଷୀର ବିକ୍ରି ବନ୍ଦ କରି ପ୍ରତୀକାତ୍ମକ ଆନ୍ଦୋଳନ କରିଛନ୍ତି। ୟୁପିଆଇରେ ନେଣଦେଣରୁ ଜିଏସଟିର ଏଭଳି ନୋଟିସ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବେପାରୀ ସଂଘ। ରାଜଧାନୀ ବେଙ୍ଗାଲୁରୁ ସମେତ ପୁରା ରାଜ୍ୟରେ ବ୍ୟାପକସ୍ତରରେ ୟୁପିଆଇରେ ପେମେଣ୍ଟ ନେବା ବନ୍ଦ କରିଦେଇଛନ୍ତି ବ୍ୟବସାୟୀ। ସମସ୍ତ ଦୋକାନ ଆଗରେ ନୋ ୟୁପିଆଇ- ଅନଲି କ୍ୟାସ୍ ଲେଖି ପୋଷ୍ଟର ମାରିଦିଆଯାଇଛି। ପରିବା ବେପାରୀ ସ୍ପଷ୍ଟ କରିଥିଲେ, ତାଙ୍କ ବ୍ୟବସାୟ ସମ୍ପୂର୍ଣ୍ଣ ଜିଏସଟି ମୁକ୍ତ ଅଟେ। ତା ସତ୍ତ୍ୱେ ତାଙ୍କୁ ଏଭଳି ନୋଟିସ ଦେଇ ପ୍ରତାଡ଼ିତ କରାଯାଉଥିବା ଅଭିଯୋଗ ହୋଇଛି। ଜିଏସଟି ଅଧିକାରୀଙ୍କ କହିବା ଥିଲା, ୟୁପିଆଇ ଟ୍ରାନ୍ସଆକ୍ସନ ଡାଟା ଆଧାରରେ ସନ୍ଦେହ ହୋଇଥିଲା କି, ପରିବା ବିକାଳୀଙ୍କ ବାର୍ଷିକ ଆୟ ୨୦ଲକ୍ଷ ଟଙ୍କାରୁ ଅଧିକ। ଯାହାକୁ ଟିକସ ଛାଡ଼ ସୀମାରୁ ଅଧିକ। ଯାଞ୍ଚରୁ ଜଣାପଡ଼ିଥିଲା, ସଂପୃକ୍ତ ବେପାରୀ କୋଟିଏ ଟଙ୍କାରୁ ଅଧିକ ନେଣଦେଣ ୟୁପିଆଇରେ କରିଛନ୍ତି। କର୍ଣ୍ଣାଟକର ହାବେରିରେ ଗଲା ୪ ବର୍ଷ ହେଲା ପରିବା ଦୋକାନ କରିଛନ୍ତି ଶଙ୍କରଗୌଡ଼ା ହଦିମନି। ଯିଏ ପଞ୍ଜୀକୃତ ଜିଏସଟି ଟିକସଦାତା ନୁହଁନ୍ତି। ଜିଏସଟି ଡାଟା ଅନୁସାରେ ଗଲା ୪ ବର୍ଷ ଭିତରେ ଡିଜିଟାଲ ନେଣଦେଣ ୧କୋଟି ୬୩ଲକ୍ଷ ଟଙ୍କା ହୋଇଛି। ଆଉ ଏହି ଆଧାରରେ ତାଙ୍କୁ ୨୯ଲକ୍ଷ ଟଙ୍କା ଜିଏସଟି ଭରିବାକୁ ନୋଟିସ ଦିଆଯାଇଛି। ଏହାକୁ ନେଇ ରାଜ୍ୟ-କେନ୍ଦ୍ର ସରକାରଙ୍କ ଭିତରେ ତୁତୁମେମେ ଆରମ୍ଭ ହୋଇଛି। ଏହି ମୁଦ୍ଦାକୁ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ କହିଛନ୍ତି, ଏହା ହାସ୍ୟାସ୍ପଦ। କର୍ଣ୍ଣାଟକର କଂଗ୍ରେସ ସରକାର ଛୋଟ ବେପାରୀଙ୍କୁ ନୋଟିସ୍ ଦେଇ କେମିତି ହଇରାଣ କରୁଛନ୍ତି। ଏହା ସତ୍ତ୍ୱେ ଏଥିରେ ରାଜ୍ୟ ସରକାର ଓ ଜିଏସଟି ନୋଟିସ ସହ କୌଣସି ସମ୍ପର୍କ ନାହିଁ ବୋଲି କହୁଛନ୍ତି। ଏଥିରେ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ନାହିଁ। ଜିଏସଟି ଦୁଇ ଭାଗରେ ଅଛି। କେନ୍ଦ୍ର ସରକାର ଅଧୀନରେ ସିଜିଏସଟି ଓ ରାଜ୍ୟ ସରକାର ଅଧୀନରେ ଏସଜିଏସଟି ଥାଏ। ଛୋଟ ବେପାରୀଙ୍କୁ ନୋଟିସ ରାଜ୍ୟ ସରକାରଙ୍କ ବାଣିଜ୍ୟିକ କର ବିଭାଗ ଦେଇଥାଏ। କର୍ଣ୍ଣାଟକ ସରକାର ଫଳ, କ୍ଷୀର, ପରିବା ବିକାଳୀଙ୍କ ସମେତ ଜରୁରୀ ସାମଗ୍ରୀ ବିକୁଥିବା ଛୋଟ ବେପାରୀଙ୍କୁ ନୋଟିସ ଦେଇ ହଇରାଣ କରୁଛନ୍ତି। ରାଜ୍ୟ ସରକାର ସଫେଇ ଦେଇଛନ୍ତି ଯେ, ଏହି ନୋଟିସ କେବଳ ତଥ୍ୟ ମାଗିବା ଉଦ୍ଦିଷ୍ଟରେ ହୋଇଛି। ଏହା କୌଣସି ଚୂଡ଼ାନ୍ତ ଟିକସ ଡିମାଣ୍ଡ ନୁହେଁ। ଜିଏସଟି ନିୟମକୁ ଲାଗୁ କରାଯାଉଛି। କାହାକୁ ହଇରାଣ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ।ଆଜିଠୁ ରାଜ୍ୟବ୍ୟାପୀ ହରତାଳ ଆରମ୍ଭ କରିଛନ୍ତି ବେପାରୀ ସଂଘ। ୨୫ ତାରିଖ ଯାଏ ଏହା ଚାଲିବ। ସ୍ୱଛତାର ସହ ଟିକସ ଦେବାକୁ ଚାହାନ୍ତି ବ୍ୟବସାୟୀ। କିନ୍ତୁ ୟୁପିଆଇ ଟ୍ରାନ୍ସଆକ୍ସନ ଆଳରେ ନୋଟିସ ଦେଇ ଭୟର ମାହୋଲ ସୃଷ୍ଟି କରୁଛି ଜିଏସଟି। ତୁରନ୍ତ ଏଭଳି ନୋଟିସ ପ୍ରତ୍ୟାହାର କରିବାକୁ ଦାବି କରିଛି ସଂଘ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *