ଭାଉଚର ନାଁରେ ଠକୁଛି କି ଇଣ୍ଡିଗୋ?

ଠକି ଦେଲା କି ଇଣ୍ଡିଗୋ। ଯାହା କଥା ଦେଇଥିଲା ତାକୁ ଅନୁପାଳନ କରୁନି କାହିଁକି ଇଣ୍ଡିଗୋ। ଯାତ୍ରୀଙ୍କୁ ୧୦ହଜାର ଟଙ୍କାର ଭାଉଚର ଦେବାକୁ କହିଥିଲା। ହେଲେ ଏବେ ଦେଉଛି ମାତ୍ର ୪ହଜାର ଟଙ୍କାର। ଡିସେମ୍ୱର ୧୧ରେ ଇଣ୍ଡିଗୋ ଘୋଷଣା କରିଥିଲା ଯେ, ୩ରୁ ୫ ଡିସେମ୍ୱର ଯାଏ ପ୍ରଭାବିତ ଯାତ୍ରୀଙ୍କୁ ଇଣ୍ଡିଗୋ ପକ୍ଷରୁ ୧୦ହଜାର ଟଙ୍କାର ଟ୍ରାଭେଲ ଭାଉଚର ଦିଆଯିବ। ଏହି ଭାଉଚର ଆସନ୍ତା ୧୨ ମାସ ଯାଏ କୌଣସି ଇଣ୍ଡିଗୋ ଯାତ୍ରାରେ ବ୍ୟବହାର କରାଯାଇପାରିବ। ଇଣ୍ଡିଗୋ ଦ୍ୱାରା ଘୋଷିତ ନିର୍ଦ୍ଧାରିତ କ୍ଷତିପୂରଣ ସେ ଯାତ୍ରୀଙ୍କୁ ଦିଆଯାଉଛି। ଯେଉଁମାନେ ୩ରୁ ୫ ଡିସେମ୍ୱର ଭିତରେ ବ୍ୟାପକ ପରିମାଣରେ ଉଡ଼ାଣ ରଦ୍ଦ ବା ଅହେତୁକ ବିଳମ୍ୱରୁ ଉଡ଼ାଣ ଭରିବାରୁ ପ୍ରଭାବିତ ହୋଇଥିଲେ। ଏହି ଭାଉଚର ସରକାରୀ ଗାଇଡଲାଇନ ଆଧାରରେ ମିଳିବାକୁ ଥିବା କ୍ଷତିପୂରଣ ବାଦ୍ ଅତିରିକ୍ତ ଅଟେ। ସରକାରୀ ନିୟମ ଅନୁସାରେ, ଉଡ଼ାଣର ନିର୍ଦ୍ଧାରିତ ସମୟର ୨୪ ଘଣ୍ଟା ଭିତରେ ଫ୍ଲାଇଟ୍‌ ରଦ୍ଦ ହେଲେ ଉଡ଼ାଣ ଅବଧି ବା ବ୍ଲକ ଟାଇମ୍ ଆଧାରରେ ୫ହଜାରରୁ ନେଇ ୧୦ହଜାର ଟଙ୍କା ଯାଏ କ୍ଷତିପୂରଣ ମିଳିବ। କିନ୍ତୁ ଏବେ ଭାଉଚର ଦେବା ବେଳକୁ ଏ କାହାଣୀ ଯେମିତି ଓଲଟା ହୋଇଯାଇଛି। ଯାତ୍ରୀ ଇ-ମେଲ୍ ଓ ସୋସିଆଲ ମିଡିଆ ଜରିଆରେ ଉଚିତ୍ କ୍ଷତିପୂରଣ ଦାବି କରୁଛନ୍ତି। କିନ୍ତୁ ଇଣ୍ଡିଗୋ କୌଣସି ଠୋସ୍ କାରଣ ନ ଦର୍ଶାଇ ଭାଉଚର୍ ଓ କ୍ଷତିପୂରଣ ଧନରାଶିରେ ହ୍ରାସ କରୁଛି। ଏହି ରାଶି କାହିଁକି କମାଇଲା ଓ କେଉଁ ନିୟମ ଆଧାରରେ। ଏହାକୁ ନେଇ ଇଣ୍ଡିଗୋ କୌଣସି ସ୍ପଷ୍ଟତା ରଖୁନି। ଡିସେମ୍ୱର ପ୍ରଥମ ସପ୍ତାହରେ ଦେଶତମାମ ଇଣ୍ଡିଗୋର ବଡ଼ ସଂଖ୍ୟାରେ ଉଡ଼ାଣ ରଦ୍ଦ ହୋଇଥିଲା ନଚେତ୍ ନିର୍ଦ୍ଧାରିତ ସମୟର ୧୦ରୁ ୧୪ ଘଣ୍ଟା ବିଳମ୍ୱରେ ଉଡ଼ାଣ ଭରିଥିଲା। ଏହାକୁ ନେଇ ଦେଶ ତମାମ ଇଣ୍ଡିଗୋ ଯାତ୍ରୀ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *