ଘରୁ ନଗଦ ଠାବ- ଜଷ୍ଟିସ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି ବିଜ୍ଞପ୍ତି

ଘରୁ ବିପୁଳ ନଗଦ ରାଶି ମିଳିବା ପରଠୁ ବିବାଦରେ ଓ ଚର୍ଚ୍ଚାରେ ଅଛନ୍ତି ଜଷ୍ଟିସ୍ ଯଶବନ୍ତ ବର୍ମା। ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି କେନ୍ଦ୍ର। ବିଜ୍ଞପ୍ତିରେ କୁହାଯାଇଛି, ବର୍ମାଙ୍କ ସରକାରୀ ବଙ୍ଗଳାରେ ବିପୁଳ ନଗଦ ରାଶି ଠାବ ଆରୋପରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତରିତ କରାଗଲା। ଦିଲ୍ଲୀ ହାଇକୋର୍ଟର ଆଉ ଜଣେ ବିଚାରପତି ଜଷ୍ଟିସ୍ ସିଡି ସିଂଙ୍କୁ ବି ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିଦିଆଯାଇଛି। ସର୍ବୋଚ୍ଚ ଅଦାଲତ କଲେଜିୟମର ପୂର୍ବର ସୁପାରିଶ ଭିତ୍ତିରେ ଆଇନ ମନ୍ତ୍ରଣାଳୟ ଜଷ୍ଟିସ ବର୍ମାଙ୍କର ବଦଳିକୁ ପୁଷ୍ଟି କରିଛି। ହୋଲିରେ ଜଷ୍ଟିସ ବର୍ମାଙ୍କ ଘରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ସମୟରେ ଘରେ ବିପୁଳ ଟଙ୍କା ଥିବା ଦେଖିବାକୁ ପାଇଥିଲା। ଏ ଖବର ପ୍ରଘଟ ପରେ ଜଷ୍ଚିସ ବର୍ମା ବିବାଦ ଘେରକୁ ପଳାଇଆସିଥିଲେ। ଆଜି ଦ୍ୱିପ୍ରହରରେ ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ଏତଲା ରୁଜୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ। ଶୁଣାଣୀ ବେଳେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅଭୟ ଓକା ଓ ଜଷ୍ଟିସ ଉଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ କହିଥିଲେ ଯେ, ଆଭ୍ୟନ୍ତରୀଣ ତଦନ୍ତକୁ ସମ୍ପୂର୍ଣ୍ଣ କରିବାକୁ ଦିଆଯାଉ। ଯଦି ଆଭ୍ୟନ୍ତରୀଣ ଯାଞ୍ଚ କମିଟିରେ ଜଷ୍ଟିସ ବର୍ମା ଦୋଷୀ ପ୍ରମାଣିତ ହେବେ। ତାହେଲେ ପ୍ରଧାନ ବିଚାରପତି ଏତଲା ରୁଜୁ କରିବାକୁ ନିର୍ଦେଶ ଦେଇପାରିବେ। ନଚେତ ପଦରୁ ହଟାଇବାକୁ ସରକାରଙ୍କୁ ସୁପାରିଶ କରିବାର ବିକଳ୍ପ ବାଟ ଅଛି। ସେଥିଲାଗି ଏବେ ଏହି ମାମଲାରେ ହସ୍ତକ୍ଷେପ କରିବାର କୌଣସି ଆଧାର ନାହିଁ। ସିଜେଆଇ ମାର୍ଚ୍ଚ ୨୨ରେ ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ଆଭ୍ୟନ୍ତରୀଣ କମିଟି ଯାଞ୍ଚ କରିବାକୁ ୩ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ଚଳିତ ସପ୍ତାହରେ ଜଷ୍ଟିସ ବର୍ମାଙ୍କୁ ଭେଟିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *