କ୍ୟାସ୍ କାଣ୍ଡ- ଜଷ୍ଟିସ ବର୍ମାଙ୍କୁ ସୁପ୍ରିମ୍ ଝଟକା

ଜଷ୍ଟିସ ଯଶୋବନ୍ତ ବର୍ମାଙ୍କୁ ସୁପ୍ରିମ୍ ଝଟକା। ସୁପ୍ରିମକୋର୍ଟରୁ ଜଷ୍ଟିସ ବର୍ମାଙ୍କୁ ମିଳିଲାନି କୌଣସି ଆଶ୍ୱସ୍ତି। ତଦନ୍ତ ପ୍ରକ୍ରିୟାର ବୈଧତାକୁ ଚ୍ୟାଲେଞ୍ଜ କରି କରିଥିବା ଆବେଦନକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ। ଜଷ୍ଟିସ ବର୍ମାଙ୍କ ଘର ପରିସରରୁ ବିପୁଳ ପୋଡ଼ା ଟଙ୍କା ମିଳିଥିଲା। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି, ତଦନ୍ତ କମିଟି ପୁରା ପ୍ରକ୍ରିୟାକୁ ପାଳନ କରିଛନ୍ତି। ଜଷ୍ଟିସ ବର୍ମାଙ୍କ ଆଚରଣ ପ୍ରଶ୍ନବାଚୀ ସୃଷ୍ଟି କରିବା ଭଳି ଥିଲା। ଜଷ୍ଟିସ ଦୀପଙ୍କର ଦତ୍ତା ଓ ଏଜି ମସିହାଙ୍କ ଖଣ୍ଡପୀଠ ଏ ରାୟ ଦେଇଛନ୍ତି। ଏହା ସହ ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ଏତଲା ରୁଜୁ ଦାବିରେ ଆଗତ ପିଟିସନକୁ ବି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ତତ୍କାଳୀନ ସିଜେଆଇ  ତଦନ୍ତ କମିଟିର ରିପୋର୍ଟ ଆଧାରରେ ଜଷ୍ଟିସ ବର୍ମାଙ୍କୁ ହଟାଇବାକୁ କରିଥିବା ସୁପାରିଶକୁ ଚ୍ୟାଲେଞ୍ଜ କରିଥିଲେ ଜଷ୍ଟିସ ବର୍ମା। ତିନି ବିଚାରପତିଙ୍କ ଦ୍ୱାରା ଗଠିତ ଆଭ୍ୟନ୍ତରୀଣ ତଦନ୍ତ କମିଟିର ରିପୋର୍ଟକୁ ଅମାନ୍ୟ କରିବାକୁ ଦାବି କରିଥିଲେ। ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ଆବେଦନକାରୀଙ୍କ ମୌଳିକ ଅଧିକାରର ଉଲ୍ଲଂଘନ ହୋଇନି। ସିଜେଆଇ ଓ ଯାଞ୍ଚ ସମିତି ପୁରା ସାବଧାନର ସହ ସବୁ ନିୟମର ଅନୁପାଳନ କରିଛନ୍ତି। କେବଳ ଫଟୋ ଓ ଭିଡ଼ିଓ ଅପଲୋଡ଼ ହୋଇନଥିଲା। ଏହା ଆବଶ୍ୟକ ବି ନଥିଲା। ଯେହେତୁ ସେତେବେଳେ ଏହି ମୁଦ୍ଦାକୁ ନେଇ କେହି ଚ୍ୟାଲେଞ୍ଜ୍ କରିନଥିଲେ, ସେଥିଲାଗି ଏହାର କୌଣସି ପ୍ରଭାବ ପଡ଼ିନଥିଲା। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବାରେ କୌଣସି ଅସାମ୍ୱିଧାନିକତା ନ ଥିଲା। ତତ୍କାଳୀନ ସିଜେଆଇ ଜଷ୍ଟିସ ସଞ୍ଜୀବ ଖାନ୍ନା ଗଲା ମେ ୮ ତାରିଖରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଜଷ୍ଟିସ ବର୍ମାଙ୍କୁ ହଟାଇବାକୁ ସୁପାରିଶ କରିଥିଲେ। ଜଷ୍ଟିସ ବର୍ମା କହିଥିଲେ, ତାଙ୍କ ପକ୍ଷ ନ ଶୁଣି ତାଙ୍କୁ ଦୋଷୀ ସଜାଇଦିଆଗଲା। ଯାଞ୍ଚ କମିଟି ସମ୍ପୂର୍ଣ୍ଣ ଓ ନିରପେକ୍ଷ ଶୁଣାଣୀ ଲାଗି ସୁଯୋଗ ଦେଇନଥିଲେ। ଆଉ ପ୍ରତିକୂଳ ନିଷ୍କର୍ସରେ ପହଞ୍ଚିଯାଇଥିଲେ। ମାର୍ଚ୍ଚ ୧୪ରେ ହୋଲି ରାତିରେ ଜଷ୍ଟିସ ବର୍ମାଙ୍କ ନୂଆଦିଲ୍ଲୀ ସ୍ଥିତ ଘରୁ ବିପୁଳ ପରିମାଣର ପୋଡ଼ା ଟଙ୍କା ମିଳିଥିଲା। ନିଆଁ ନିୟନ୍ତ୍ରଣ ଲାଗି ଯାଇଥିବା ଅଗ୍ନିଶମ ବିଭାଗ ପୋଡ଼ା ଟଙ୍କା ଦେଖିଥିଲା। ଆଉ ଏହାକୁ ଜବତ ପରେ ଚାରିଆଡ଼େ ହଇଚଇ ଖେଳିଯାଇଥିଲା। ଜଷ୍ଟିସ ବର୍ମାଙ୍କ କ୍ୟାସ୍ କାଣ୍ଡକୁ ନେଇ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିଦିଆଯାଇଥିଲା। ସେପଟେ ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବାକୁ ସଂସଦର ଉଭୟ ଗୃହରେ ସାଂସଦ ପ୍ରସ୍ତାବ ଆଣିବାକୁ ଚିଠି ଲେଖିସାରିଲେଣି। ଜୁଲାଇ ୩୦ରେ ଜଷ୍ଟିସ ବର୍ମାଙ୍କ ଆବେଦନ ଉପରେ ଶୁଣାଣୀ ସାରି ରାୟକୁ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ। ସିଜେଆଇଙ୍କ ଅଫିସ କେବଳ ଡାକଘର ନୁହେଁ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ବି ସିଜେଆଇଙ୍କ ଦାୟିତ୍ୱ ଅଟେ ବୋଲି କହିଥିଲେ ଖଣ୍ଡପୀଠ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *