ଛାଡ଼ପତ୍ର ପାଇଁ ଲୋନ୍। ଭାରତରେ ୪୨ ପ୍ରତିଶତ ପୁରୁଷ ଭରଣପୋଷଣ ଦେବାକୁ ବ୍ୟାଙ୍କରୁ କରଜ ନେଇଛନ୍ତି। ୬୭ ପ୍ରତିଶତ ପୁରୁଷ ଟଙ୍କାକୁ ନେଇ ବହୁ ଯୁକ୍ତି କଲାପରେ ଶେଷରେ ମୁଣ୍ଡ ନୁଆଁଇଛନ୍ତି। ୪୬ ପ୍ରତିଶତ ମହିଳା ସବେତନ କାମ ଛାଡ଼ିଦେଇଛନ୍ତି। ଏହି ସର୍ଭେ ଓ୍ୱାନ ଫାଇନାନ୍ସ ଆଡଭାଇଜୋରି କମ୍ପାନୀ ପକ୍ଷରୁ ଟିୟର ଓ୍ୱାନ ଓ ଟିୟର ଟୁ ସହରରେ ୧୨୫୮ ଛାଡପତ୍ର ଦମ୍ପତ୍ତି ବା ଛାଡ଼ପତ୍ର ପାଇଁ ଆବେଦନ କରିସାରିଥିବା ବ୍ୟକ୍ତିଙ୍କ ଉପରେ ହୋଇଥିଲା। ସର୍ଭେରୁ ଜଣାପଡ଼ିଛି, ୨୯ ପ୍ରତିଶତ ପୁରୁଷ ଭରଣପୋଷଣ ଭତ୍ତା ଦେବା ପରେ ନିଜର ଆର୍ଥିକ ସ୍ଥିତିକୁ ଦୁର୍ଗତି ଭିତରକୁ ଠେଲି ହୋଇଯାଇଛନ୍ତି। ସର୍ଭେ ଅନୁସାରେ, ପୁୁରୁଷଙ୍କ ବାର୍ଷିକ ଆୟର ୩୮ ପ୍ରତିଶତ ଭରଣପୋଷଣରେ ଚାଲିଯାଉଛି। ଛାଡ଼ପତ୍ର ସହ ଜଡ଼ିତ ଖର୍ଚ୍ଚରେ ୧୯ ପ୍ରତିଶତ ମହିଳା ୫ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି। ୬୭ ପ୍ରତିଶତ ଲୋକ ମାନିଛନ୍ତି ଯେ, ବିବାହ ବେଳେ ଅନେକ ସମୟରେ ଟଙ୍କାକୁ ନେଇ କଳି ହେଉଥିଲା। ୪୩ ପ୍ରତିଶତ କହିଛନ୍ତି, ଟଙ୍କାକୁ ନେଇ ବିବାଦ ବା ଅସମାନତା ହିଁ ତାଙ୍କ ଛାଡ଼ପତ୍ରର ମୁଖ୍ୟ କାରଣ ସାଜିଛି। ବିବାହ ବେଳେ ୫୬ ପ୍ରତିଶତ ମହିଳା ନିଜ ସ୍ୱାମୀଙ୍କଠୁ କମ୍ ଆୟ କରୁଥିଲେ। କେବଳ ୨ ପ୍ରତିଶତ ମହିଳା ହିଁ ସ୍ୱାମୀଙ୍କଠୁ ଅଧିକ ରୋଜଗାର କରୁଛନ୍ତି। ଛାଡ଼ପତ୍ର ପଛରେ ବିତ୍ତୀୟ ଅସଙ୍ଗତିକୁ ଦାୟୀ କରାଯାଉଛି। ଏହା ଉତ୍ତେଜନା ଓ ଅସ୍ଥିରତାକୁ ଜନ୍ମ ଦିଏ। ସେଥିଲାଗି ଭାବନାତ୍ମକ ପ୍ରସ୍ତୁତି ଯେତିକି ଜରୁରୀ, ବିତ୍ତୀୟ ପରିଚାଳନାକୁ ନେଇ ସେତିକି ବୁଝାମଣା ରହିବା ଜରୁରୀ। ବିବାହ ପୂର୍ବରୁ ଓ ପରେ ଟଙ୍କାକୁ ନେଇ ଖୋଲାଖୋଲି କଥା ହେବା ଜରୁରୀ। କରଜ, ଭବିଷ୍ୟତକୁ ନେଇ ଜମା, ଦୁହିଁଙ୍କ ପିତାମାତାଙ୍କ ଦାୟିତ୍ୱ, ଆୟର ଅନିଶ୍ଚିତତା ଓ ଜୀବନଶୈଳୀକୁ ନେଇ ପୂର୍ବରୁ ପ୍ରସ୍ତୁତି ହେବା କଥା। ଏଥିରେ ସମ୍ପର୍କରେ ପାରଦର୍ଶିତା ରୁହେ ଓ ଭବିଷ୍ୟତରେ କୌଣସି ବିବାଦ ହେବାର ସମ୍ଭାବନା କମ୍ ଥାଏ।
Naxatra News is now on Whatsapp
Join and get latest news update delivered to you via whatsapp
Join Now