ଏକାସାଙ୍ଗରେ ୫ଟି ଚାକିରୀ। ଏ କଥା ଶୁଣିଲେ ଯେତିକି ଅସମ୍ଭବ ଲାଗିବ, ସେତିକି ବି ତାଜୁବ୍। କିନ୍ତୁ ଏଭଳି ଘଟଣା ଘଟିଛି। ଜଣେ ଭାରତୀୟ ଟେକ୍ ଏକ୍ସପର୍ଟ ସୋହମ ପାରେଖ ଏକା ସାଙ୍ଗରେ ଅନେକ ଷ୍ଟାର୍ଟଅପରେ କାମ କରୁଥିବାର ସଙ୍ଗୀନ ଆରୋପ ଲାଗିଛି। ଅନେକ କମ୍ପାନୀକୁ ଧୋକା ଦେଇଛନ୍ତି ସୋହମ। ଆମେରିକାରେ ରହି ଅନେକ ଷ୍ଟାର୍ଟଅପ ସହ କାମ କରି ଦୈନିକ ଅଢ଼େଇ ଲକ୍ଷ ରୋଜଗାର କରୁଛନ୍ତି ସୋହମ। ବାର୍ଷିକ ତାଙ୍କର ରୋଜଗାର ପ୍ରାୟ ୭ କୋଟି ଟଙ୍କା। ଆମେରିକାର ଅନେକ ଷ୍ଟାର୍ଟଅପ କମ୍ପାନୀ ସୋହମଙ୍କୁ ଫ୍ରଡ୍ ବୋଲି କହିଛନ୍ତି। ଜର୍ଜିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ମାଷ୍ଟରଡିଗ୍ରୀ କରିଥିବା ସୋହମଙ୍କ କାମ କରିବାର ତରିକା ବି ନିଆରା। ସୋହମ କୁଆଡ଼େ ମୁନଲାଇଟିଂ କରନ୍ତି। ଜଣେ ଏଆଇ ନିବେଶକ ଡିଡି ଦାସ ସୋସିଆଲ ମିଡିଆରେ ସୋହମ ପାରେଖକୁ ଆଇସବର୍ଗର ଟିପ୍ ବୋଲି ଅଭିହିତ କରିଛନ୍ତି। ଏମିିତି ହଜାର ହଜାର ସୋହମ ଅଛନ୍ତି, ଯେଉଁମାନଙ୍କ କାରସାଦି ସାମ୍ନାକୁ ଆସୁନି। ଓଭରଏମ୍ପ୍ଲଏଡ୍ ଏମାନଙ୍କୁ କୁହାଯାଏ। ଏମିତିକା ଧୃତ୍ତ ରିମୋଟ୍ ଜବ୍ସକୁ ମ୍ୟାନେଜ୍ କରିବାକୁ ଅନେକ ପ୍ରୟାସ କରନ୍ତି। ଏଥିରେ ଏମାନେ ମାଉସ ଜଗଲରର ବ୍ୟବହାର କରନ୍ତି। ମାଉସ ଜଗଲର ଏକ ଛୋଟ ଡିଭାଇସ ଅଟେ ଯିଏ କମ୍ପ୍ୟୁଟରର କର୍ସରକୁ ଧୀରେ ଧୀରେ ହଲାଉଥାଏ। ଏଥିରେ କମ୍ପ୍ୟୁଟର ନିଷ୍କ୍ରିୟ ହୁଏନା। ଲାଗୁଥାଏ ଯେମିତି ୟୁଜର ଡେସ୍କରେ ଆକ୍ଟିଭ ଅଛି। କିନ୍ତୁ ବାସ୍ତବରେ ସେ ସେଠାରେ ନଥାଏ। ଏଭଳି କର୍ମଚାରୀ ଏଆଇ ଟୁଲ୍ସର ବ୍ୟବହାର କରି ଧୋକା ଦେଇଥାଆନ୍ତି। ଏମାନେ କ୍ୟାମେରା ବନ୍ଦ ରଖିଥାଆନ୍ତି ଆଉ ପ୍ରଥମ ସପ୍ତାହରେ ହିଁ ଛୁଟି ନେଇଯାଆନ୍ତି। ନିଜ କ୍ୟାଲେଣ୍ଡରକୁ ଫୋକସ ଟାଇମ ଆଧାରରେ ବ୍ଲକ୍ କରିଦିଅନ୍ତି। ନିଜର ଲିଙ୍କଡିନ୍ ପ୍ରୋଫାଇଲକୁ ଅସ୍ପଷ୍ଟ ରଖନ୍ତି ଓ କାମକୁ ଆଉଟସୋର୍ସ କରିଦିଅନ୍ତି। ଏମାନେ ଦ୍ରୁତ ଗତିରେ କାମ କରନ୍ତି। କିନ୍ତୁ ଧୀରେ ଧୀରେ ଡେଲିଭରି କରନ୍ତି। ଏମିତିକା କର୍ମଚାରୀ ମିଟିଂରେ ତାଙ୍କ ପକ୍ଷରୁ କୌଣସି ଜବାବ ଦିଅନ୍ତିନି। ଦାସ ଏକ ରେଡିଟ୍ ଡିସକସନର ସ୍କ୍ରିନସଟ୍ ସେୟାର କରିଛନ୍ତି। ଏଥିରେ ଜଣେ କର୍ମଚାରୀ କେମିତି ୫ଟି ଚାକିରୀ କରି ବାର୍ଷିକ ୬.୮୫ କୋଟି ରୋଜଗାର କରନ୍ତି ଦେଖାଇଛନ୍ତି। ରେଡିଟ୍ କମ୍ୟୁନିଟିରେ ୫ ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି। ସୋହପ ପାରେଖଙ୍କ ସଫଳତା ପଛରେ ମିଛ, ଧୋକା ଓ ଚୋରି ରହିଛି। ଦାସ ଦାବି କରିଛନ୍ତି ଯେ, ସୋହମ ରିମୋଟ୍ କାମ କରନ୍ତି। ଅଫିସ ଯିବା ଓ ଅନାବଶ୍ଯକ ମିଟିଂରୁ ବର୍ତ୍ତିଯାଆନ୍ତି। ନିଜକୁ କନସଲଟାଣ୍ଟ କହି କାମ କରନ୍ତି ଓ ଦୈନିକ କଲ୍ସରୁ ଦୂରେଇ ରୁହନ୍ତି। ସେ ନିଜ ସମୟକୁ ଭଲ ଭାବେ ମ୍ୟାନେଜ୍ କରନ୍ତି। ସେ ୟୁଏସ ଟାଇମଜୋନ କାମ କରନ୍ତି ଓ ରେଜଲ୍ଟ ଦେବାକୁ ପୁରା ଦିନ ଆଲର୍ଟରେ ରୁହନ୍ତି। ସୋହମଙ୍କ ସଫଳତା ପଛରେ ଦକ୍ଷତା, ଫୋକସ ଓ ସ୍ମାର୍ଟଓ୍ୱାର୍କର ହ୍ୟାବିଟ୍ସରୁ ଆସିଛି ବୋଲି ଅନେକ କୁହନ୍ତି। ଗଲା ୩ ବର୍ଷ ହେଲା ରିମୋଟ ଜବ୍ସର ମ୍ୟାନେଜ୍ କରିଥାଆନ୍ତି। ବିଡ଼ମ୍ୱନାର କଥା, ବେରୋଜଗାରର ସମସ୍ୟା ସତ୍ତ୍ୱେ ସୋହମକୁ ଅନେକ ମଉକା ମିଳିଚାଲିଥିଲା। ସୋହମ ଉପରେ ଆରୋପ ଲାଗିଛି ଯେ, ସେ ଅନେକ କମ୍ପାନୀ ଲାଗି କାମ କରନ୍ତି। କିଛି କମ୍ପାନୀର ନିୟମ ବିରୋଧୀ। ଏଭଳି କାମକୁ ମୁନଲାଇଟିଂ କୁହାଯାଏ। ମୁନଲାଇଟିଂର ମତଲବ ହେଉଛି, ନିଜ ମୁଖ୍ୟ ଚାକିରୀ ବ୍ୟତୀତ ଚୁପଚାପ୍ ଭାବେ ଅନ୍ୟ ଚାକିରୀ ବି କରନ୍ତି। ସୋହମଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ଅନେକ ଷ୍ଟାର୍ଟଅପରୁ ଟଙ୍କା ନେଇଛନ୍ତି। ସେ ସମସ୍ତ କମ୍ପାନୀ ଲାଗି ପୁରା ଭାବେ କାମ କରୁନଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now