ଆଉ ଇଣ୍ଡିଗୋରେ କଦାପି ଯିବୁନି। ଅନ୍ତତଃ ଆମ ଲଗେଜ୍ ଦେଇଦିଅ। ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଜଣେ ମହିଳା ଯାତ୍ରୀ କାନ୍ଦି କାନ୍ଦି ଏଭଳି କହିଛନ୍ତି। ଟଙ୍କା ରିଫଣ୍ଡ ନେବୁନି। ହେଲେ ଲଗେଜ୍ ଦେଉନି ଇଣ୍ଡିଗୋ। ତା ପାଖକୁ ଯାଅ। ଆ ପାଖକୁ ଯାଅ କହି ହଇରାଣ କରୁଛି ବୋଲି କହିଛନ୍ତି ମୁମ୍ୱାଇର ଜଣେ ମହିଳା ଯାତ୍ରୀ। ଇଣ୍ଡିଗୋର ଏଭଳି ନୀତିକୁ ଧିକ୍କାର କହି ରୋଷ ଝାଡ଼ିଛନ୍ତି ଯାତ୍ରୀ। ସେପଟେ ଇଣ୍ଡିଗୋ ଉଡ଼ାଣ ରଦ୍ଦରୁ ଡେଷ୍ଟିନେସନ ବୋର୍ଡିଂ ବି ବାତିଲ୍ ହୋଇଛି। ଏଥିରେ ୨୧ଲକ୍ଷ ଟଙ୍କା କ୍ଷତି ସହିଛନ୍ତି ଗୋଟିଏ ଗ୍ରୁପ। ଦିଲ୍ଲୀରୁ ଗୋଆ ଯିବାକୁ ଥିବା ଫ୍ଲାଇଟରେ ୪୮ ଅତିଥିଙ୍କ ଲାଗି ବୁକିଂ ହୋଇଥିଲା। ବାରମ୍ୱାର ବିଳମ୍ୱ ଓ ଶେଷରେ ଫ୍ଲାଇଟ୍ ବାତିଲ ଲାଗି ବିବାହର ପ୍ରସ୍ତୁତି ବି ଥମିଗଲା। ପିକ୍ ସିଜିନ୍ ହେତୁ ଗୋଆର ହୋଟେଲ ବୁକିଂ ନନ-ରିଫଣ୍ଡ ହୋଇଥାଏ। ସେଥିଲାଗି ଟଙ୍କା ବେକାରରେ ଚାଲିଗଲା। କେବଳ ପରିବାରକୁ ୨୪ ମାସ ପାଇଁ ବୈଧ କ୍ରେଡିଟ୍ ନୋଟ ମିଳିଲା। ଏବେ ବିବାହ ଆସନ୍ତା ମାସ ଏନସିଆରରେ ହେବ ବୋଲି ସ୍ଥିର ହେଲା। ଅତିଥିଙ୍କ ଲାଗି ଫାଇଭ-ଷ୍ଟାର ହୋଟେଲରେ ୪ ରାତିର ବୁକିଂ ଥିଲା। ପ୍ରତି ରାତିର ଭଡ଼ା ଥିଲା ୩୫ହଜାର। ଇଭେଣ୍ଟ ମ୍ୟାନେଜମେଣ୍ଟ ପାଇଁ ୧୫ରୁ ୨୦ ଲକ୍ଷ ଟଙ୍କା ଦେଇସାରିଥିଲେ। ମୋଟ୍ ୨୧ଲକ୍ଷ କ୍ଷତି ହେଲା। ଏହାକୁ ନେଇ ଇଣ୍ଡିଗୋ ଉପରେ ପରିବାର ଆରୋପ ଲଦିଛନ୍ତି ଯେ, ଯାତ୍ରୀଙ୍କୁ ଆଗୁଆ ବାତିଲ ନେଇ କୌଣସି ସୂଚନା ଦିଆଯାଇନଥିଲା। ସବୁବେଳେ ଭରସାର ଏୟାରଲାଇନ୍ସ କୁହାଯାଉଥିବା ଇଣ୍ଡିଗୋର ଏଭଳି ଅପରେସନାଲ ତୃଟି ଲାଗି କୌଣସି ସନ୍ତୋଷଜନକ ଉତ୍ତର ମିଳୁନି। ନା ଇଣ୍ଡିଗୋ ଦେଉଛି ନା ସରକାର ବୋଲି କ୍ଷୋଭ ଝାଡ଼ିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଦିଗବିଜୟ ସିଂ। ଘରୋଇକରଣ ବଢ଼ୁଥିଲା ବେଳେ ସ୍ୱଛତା ବଜାୟ ରଖିବାକୁ କୁହାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି, ରବିବାର ସୁଦ୍ଧା ରିଫଣ୍ଡ କ୍ଲିଅର କର। ଇଣ୍ଡିଗୋକୁ ଅଲଟିମେଟମ୍ ଦେଇଛନ୍ତି ସରକାର। ଫ୍ଲାଇଟ୍ ବାତିଲ କାରଣରୁ ଏୟାରପୋର୍ଟରେ ଫସିଥିବା ଯାତ୍ରୀଙ୍କ ଅବସ୍ଥା ଦୟନୀୟ ହେବାରେ ଲାଗିଛି। ଏଫଡିଟିଏଲ ପଲିସିକୁ ସ୍ଥଗିତ କରିଦେଇଛି ଡିଜିସିଏ।ସ୍ୱାଭାବିକ ହୋଇପାରୁନି ଇଣ୍ଡିଗୋ ଏୟାରଲାଇନ୍ସର ସେବା। ଆଜି ବି ୩୫୦ରୁ ଅଧିକ ବିମାନ ବାତିଲ୍ ହୋଇଛି। ଲଗାତାର ଚତୁର୍ଥ ଦିନରେ ହଜାରେରୁ ଅଧିକ ଫ୍ଲାଇଟ ବାତିଲ ଲାଗି ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେଣି। ଆଜି ଯାଏଁ ପ୍ରାୟ ୩ଲକ୍ଷ ଯାତ୍ରା ହଟ୍ଟହଟ୍ଟା ହେଲେଣି। ଦେଶର ସବୁଠୁ ବଡ଼ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋର ଅପରେସନରେ ପଞ୍ଚମ ଦିନରେ ବି କୌଣସି ସୁଧାର ଦେଖିବାକୁ ମିଳିଲାନି। ଦିଲ୍ଲୀ, ମୁମ୍ୱାଇ, ବେଙ୍ଗାଲୁରୁ ଓ ଚେନ୍ନାଇ ଏୟାରପୋର୍ଟରେ ରାତି ତମାମ ପାସେଞ୍ଜର ହଇରାଣ ହୋଇଛନ୍ତି। ଗଲା ୪ ଦିନ ହେଲା ଦୈନିକ ହାରାହାରି ୫ଶହ ଫ୍ଲାଇଟ୍ ବିଳମ୍ୱରେ ଉଡ଼ାଣ ବା ବାତିଲ୍ ହେଉଛି। ସେପଟେ ପରିସ୍ଥିତି ଅସମ୍ଭାଳ ଦେଖି ଆଗକୁ ଆସିଛନ୍ତି ଇଣ୍ଡିଗୋ ସିଇଓ। ଭିଡ଼ିଓ ବାର୍ତ୍ତାରେ କ୍ଷମାପ୍ରାର୍ଥନା କରିବା ସହ ଫ୍ଲାଇଟ୍ ଅପରେସନ ସ୍ୱାଭାବିକ ହେବାକୁ ଡିସେମ୍ୱର ୧୫ ଯାଏ ମହଲତ ମାଗିଛନ୍ତି ଇଣ୍ଡିଗୋ ସିଇଓ।ସେପଟେ ଇଣ୍ଡିଗୋର ମନୋପଲିକୁ ବି ସ୍ୱୀକାର କରିଛନ୍ତି ସରକାର। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କହିଛନ୍ତି, ଏଫଡିଟିଏଲ ରୁଲ୍ସ ନଭେମ୍ୱର ପହିଲାରୁ ଲାଗୁ ହୋଇଛି। ଅନ୍ୟ ଏୟାରଲାଇନ୍ସ ଏହାକୁ ମାନି କାମ କରିବାରୁ ଅପରେସନରେ କୌଣସି ସମସ୍ୟା ଉପୁଜିନି। କିନ୍ତୁ ଇଣ୍ଡିଗୋ ମାନିନଥିଲା। ଏଥିରୁ ସ୍ପଷ୍ଟ ଏହା ଇଣ୍ଡିଗୋର ଇଛାକୃତ ତୃଟି। ଇଣ୍ଡିଗୋ ଏୟାରଲାଇନ୍ସର ଅବହେଳାକୁ ତଦନ୍ତ କରାଯିବ ଓ ଆକ୍ସନ ବି ହେବ। ତଦନ୍ତ ପରେ ମୋଟାଅଙ୍କର ଫାଇନ୍ ଲାଗିବ। ଇଣ୍ଡିଗୋକୁ ଫେବୃଆରୀ ୧୦, ୨୦୨୬ ଯାଏ ଅସ୍ଥାୟୀ ରିହାତି ଦେଇଛି ଡିଜିସିଏ।ସାପ୍ତାହିକ ବିଶ୍ରାମ ବଦଳରେ କୌଣସି ଛୁଟି ନଦେବାକୁ ହୋଇଥିବା ନିଷ୍ପତ୍ତିକୁ ବି ଗୁରୁବାରଠୁ ପ୍ରତ୍ୟାହାର କରିନିଆଯାଇଛି। ନାଇଟ୍ ଲ୍ୟାଣ୍ଡିଂରୁ ବି ଇଣ୍ଡିଗୋକୁ ରିହାତି ଦିଆଯାଇଛି। ପାଇଲଟ ଆସୋସିଏସନକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ସରକାର।ନଭେମ୍ୱର ପହିଲାରୁ ପାଇଲଟ ଓ କ୍ରୁ ମେମ୍ୱରଙ୍କ କାମ ସମ୍ୱନ୍ଧୀୟ ନିୟମକୁ ପରିବର୍ତ୍ତନ କରିଥିଲା ଡିଜିସିଏ। ଏହାକୁ ଫ୍ଲାଇଟ ଡ୍ୟୁଟି ଟାଇମ ଲିମିଟେସନ (ଏଫଡିଟିଏଲ) କୁହାଯାଏ। ଏହାକୁ ଦୁଇଟି ପର୍ଯ୍ୟାୟରେ ଲାଗୁ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ଜୁଲାଇ ପହିଲାରୁ ଲାଗୁ ହୋଇସାରିଛି। ଏଫଡିଟିଏଲର ନିୟମ ଅନୁସାରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପାଇଲଟ ଓ କ୍ରୁ-ମେମ୍ୱରଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ଦେବାକୁ ଜୋର ଦିଆଯାଇଛି। ଏହି କାରଣରୁ ଇଣ୍ଡିଗୋ ପାଖରେ ପାଇଲଟ ଓ କ୍ରୁ-ମେମ୍ୱର କମ୍ ହୋଇଯାଇଛି। ସେପଟେ ସୁପ୍ରିମକୋର୍ଟ ପହଞ୍ଚିଛି ଫ୍ଲାଇଟ୍ ବାତିଲ୍ ମାମଲା। ଏଥିରେ ତୁରନ୍ତ ଆଇନଗତ ହସ୍ତକ୍ଷେପ ଦାବି କରି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ସୁପ୍ରିମକୋର୍ଟରେ। ବଡ଼ ଧରଣର ଫ୍ଲାଇଟ୍ ବାତିଲ ଓ ଅହେତୁକ ବିଳମ୍ୱ ମାନବୀୟ ସଙ୍କଟ ସୃଷ୍ଟି ସହ ଯାତ୍ରୀଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିଛି।ଇଣ୍ଡିଗୋ ସଙ୍କଟ ସମୟରେ ଏହାର ବିକଳ୍ପ କଅଣ।ସ୍ପାଇସ ଜେଟ୍ ଯାତ୍ରୀଙ୍କୁ ସହଯୋଗ କରିବାକୁ ଅତିରିକ୍ତ ଶହେ ଫ୍ଲାଇଟ୍ ଚଳାଇବ ବୋଲି ଘୋଷଣା କରିଛି।୨ରୁ୩ ଦିନ ଭିତରେ ଏହି ସେବା ଉପଲବ୍ଧ ହେବ ବୋଲି କହିଛନ୍ତି ସ୍ପାଇସ୍ ଜେଟ୍ ଅଧ୍ୟକ୍ଷ ଅଜୟ ସିଂ। ରେଲଓ୍ୱେ ବି ୩୭ଟି ପ୍ରିମିୟମ ଟ୍ରେନରେ ୧୧୬ଟି ଏକ୍ସଟ୍ରା କୋଚ୍ ଯୋଡ଼ିଛି।ଏ ସୁବିଧା ସେ ସବୁ ସହର ଓ ରୁଟ୍ ପାଇଁ ହୋଇଛି, ଯେଉଁଠି ଇଣ୍ଡିଗୋ ଯାତ୍ରୀଙ୍କ ଅଧିକ ଯାତାୟତ ଥାଏ। ଏହା ଜରିଆରେ ଦୈନିକ ୩୫ହଜାର ଯାତ୍ରୀଙ୍କୁ ଫାଏଦା ମିଳିବ। ସଙ୍କଟକୁ ମୁକାବିଲା ପାଇଁ କେନ୍ଦ୍ର ସରକାର କଣ୍ଟ୍ରୋଲ ରୁମ୍ ଖୋଲିଛନ୍ତି। କଣ୍ଟ୍ରୋଲ ରୁମ ନମ୍ୱର ୦୧୧-୨୪୬୧୦୮୪୩, ୦୧୧-୨୪୬୯୩୯୬୩, ୦୯୬୫୦୩୯୧୮୫୯। ଉଡ଼ାଣ ରଦ୍ଦ ହେଲେ ଅଟୋ ରିଫଣ୍ଡ୍ ପାଇଁ ଇଣ୍ଡିଗୋକୁ ନିର୍ଦେଶ ଦେଇଛନ୍ତି ସରକାର। ଦିବ୍ୟାଙ୍ଗ, ବୟସ୍କଙ୍କୁ ବିଶେଷ ସହଯୋଗ, ଅହେତୁକ ବିଳମ୍ୱ ହେଲେ ହୋଟେଲ ଓ ରିଅଲ ଟାଇମ ଅପଡେଟ୍ ଦେବାକୁ ନିର୍ଦେଶ ଦିଆଯାଇଛି। ନିୟମାନୁସାରେ, ଫ୍ଲାଇଟ୍ ବାତିଲ୍ ବା ୬ ଘଣ୍ଟାରୁ ଅଧିକ ବିଳମ୍ୱ ହେଲେ, ପୁରା ଭଡ଼ା ଫେରସ୍ତ କରାଯିବ। ନଚେତ୍ ବିକଳ୍ପ ଫ୍ଲାଇଟ୍ ବ୍ୟବସ୍ଥା କରିବାକୁ ପଡ଼ିବ। ରାତି ୮ଟାରୁ ଭୋର ୩ଟା ପର୍ଯ୍ୟନ୍ତ, ଉଡ଼ାଣ ଯଦି ୬ ଘଣ୍ଟାରୁ ଅଧିକ ବିଳମ୍ୱ ହେବ, ତାହେଲେ ହୋଟେଲ ସହ ଏୟାରପୋର୍ଟ ଟ୍ରାନ୍ସପୋର୍ଟ ଖର୍ଚ୍ଚ ଏୟାରଲାଇନ୍ସ ଦେବ। ଘରୁ ବାହାରିବା ଆଗରୁ ବୁକିଂ ଓ ଫ୍ଲାଇଟ୍ ଷ୍ଟାଟସ ଦେଖିବାକୁ ପରାମର୍ଶ ଦେଇଛି ଇଣ୍ଡିଗୋ।

Naxatra News is now on Whatsapp
Join and get latest news update delivered to you via whatsapp
Join Now