
ସେୟାର ମାର୍କେଟରେ ବ୍ଲାକ୍ ମଣ୍ଡେ। ୫ ମିନିଟ୍ରେ ସ୍ୱାହା ହୋଇଗଲା ୧୯ଲକ୍ଷ କୋଟି ଟଙ୍କା। ସେୟାର ମାର୍କେଟ କ୍ରାସ୍ ଆଜି ଭାରତୀୟ ବଜାରକୁ ହଲଚଲ କରିଦେଇଛି। ଟ୍ରମ୍ପ ତାରିଫ୍ ରୁ ଉପୁଜିଥିବା ଏଭଳି ସମସ୍ୟାକୁ ମୁକାବିଲା ଲାଗି ଏବେ ଅଣ୍ଟା ଭିଡ଼ିଛନ୍ତି ସରକାର। ବୁଧବାର ଉଦ୍ୟୋଗ ମନ୍ତ୍ରଣାଳୟ ବିଶେଷଜ୍ଞଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛି। ଏହି ମୁଦ୍ଦା ଉପରେ ପିଏମଓ, ଉଦ୍ୟୋଗ, ବୈଦେଶିକ ଓ ଅର୍ଥ ମନ୍ତ୍ରଣାଳୟ ଲଗାତାର ଚର୍ଚ୍ଚା ଜାରି ରଖିଛନ୍ତି। ଏହା ପରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ। ଖୁବ ଶୀଘ୍ର ଏକ୍ସପର୍ଟ ପ୍ରମୋସନ ସ୍କିମ୍ ଲାଗୁ ହୋଇପାରେ। ବଜେଟରେ ବି ସରକାର ଏ ବାବଦରେ ଘୋଷଣା କରିଥିଲେ। ତାରିଫ ଓ୍ୱାରରୁ ଗଲା ୧୦ ମାସ ଭିତରେ ସବୁଠୁ ବଡ଼ସ୍ତରର ମାଡ଼ ବଜାରକୁ ହୋଇଛି। ସେନସେକ୍ସ- ନିଫଟି ୫ ପ୍ରତିଶତ ଲେଖାଏଁ ଖସିଛି। ନିଫଟି ୫୦୦ ଇଣ୍ଡେକ୍ସର କେବଳ ୨ଟି ସେୟାର ସବୁଜ ଥିଲା। ମିଡକ୍ୟାପ୍ ଓ ସ୍ମଲ୍କ୍ୟାପକୁ ଭାରି କ୍ଷତି ସହିବାକୁ ପଡ଼ିଛି। ଗୋଟିଏ ଝଟକାରେ ନିବେଶକଙ୍କ ୧୯ଲକ୍ଷ କୋଟି ଟଙ୍କା ଉଡ଼ିଯାଇଛି। ସୋମବାର ସେୟାର ବଜାର ଖୋଲୁ ଖୋଲୁ ବିଏସଇ ସେନସେକ୍ସ ୨୯୦୦ ଅଙ୍କକୁ ଖସିଆସିଥିଲା। ଆଉ ନିଫଟି ୯୨୦ ଅଙ୍କକୁ ଖସିଯାଇଥିଲା। ପ୍ରି-ଓପନ୍ ସମୟରେ ବିଏସଇ ୪ହଜାର ଅଙ୍କ ଓ ନିଫଟି ୧୧ଶହ ଅଙ୍କକୁ ଖସିସାରିଥିଲା। ନିଫଟି ୫୦ର ସମସ୍ତ ସେୟାର ରେଡ୍ ସିଗନାଲ ଥିଲା। ଓପନିଂରେ ଭାରତୀ ଏୟାରଟେଲକୁ ଛାଡ଼ିଦେଲେ ସବୁ ଷ୍ଟକ୍ ରେଡ୍ ଥିଲା। କିଛି ସମୟ ପରେ ଏହା ବି ରେଡ୍ ସିଗନାଲକୁ ଚାଲିଯାଇଥିଲା। ସବୁଠୁ ବଡ଼ କ୍ଷତି ସହିଛି ଟାଟା ଷ୍ଟକସ୍। ଟାଟା ଷ୍ଚିଲ୍, ଟ୍ରେଣ୍ଟ, ଟାଟା ମୋଟର୍ସ ନିଫଟିର ସବୁଠୁ ଟପ୍ ଲୁଜର୍ସ ଥିଲା। ଟାଟା ହରାଇଛି ଦେଢ଼ ଲକ୍ଷ କୋଟି ଟଙ୍କା। ୫୨ ସପ୍ତାହ ଭିତରେ ସବୁଠୁ ନିମ୍ନଗାମୀ ସ୍ତରକୁ ଚାଲିଗଲା ଟାଟା। ଜାପାନର ନିକ୍କି ୨୨୫ ବି ଗଲା ଦେଢ଼ ବର୍ଷ ଭିତରେ ସବୁଠୁ ତଳକୁ ଚାଲିଗଲା। ପାକିସ୍ତାନର କରାଚି ଷ୍ଟକ୍ ମାର୍କେଟ ବି ଟଳମଳ ହୋଇଯାଇଛି। ୟୁରୋପରେ ବଜାର ଖୋଲୁ ଖୋଲୁ ସେୟାର ବଜାରରେ ଗଲା ୧୬ ମାସ ଭିତରେ ସବୁଠୁ ନିମ୍ନସ୍ତରକୁ ଚାଲିଯାଇଥିଲା ମାର୍କେଟ। ଜର୍ମାନୀରେ ୧୦ ପ୍ରତିଶତ ଓ ଲଣ୍ଡନରେ ୬ ପ୍ରତିଶତ ତଳକୁ ଖସିଯାଇଥିଲା ସେୟାର ବଜାର। ମୋଟ୍ ୪ହଜାର୮୪ ସେୟାରରୁ ୩ହଜାର୫୮୭ ସେୟାର ନିମ୍ନଗାମୀ ହୋଇ ଟ୍ରେଡ୍ କରିଥିଲା ବେଳେ ମାତ୍ର ୩୪୬ଟିରେ ସେୟାର ସାମାନ୍ୟ ଉଚ୍ଚରେ ଥିଲା। ୪୫ଟି ସେୟାର ୫୨ ସପ୍ତାହର ଉପରେ ଥିଲା ବେଳେ ୭୫୨ ସେୟାର ୫୨ ସପ୍ତାହର ତଳେ ଥିଲା। କହିବାକୁ ଗଲେ, ୧୩୧ ସେୟାର ଅପର ସର୍କିଟରେ ଥିଲା ଓ ୫୬୧ ସେୟାର ଲୋୟର ସର୍କିଟରେ ରହିଥିଲା। ଟାଟା ମୋଟର୍ସ, ଭାରତ ଫୋର୍ଜ, ଟାଟା ଟେକ୍ନୋଲୋଜି, ଏନଏମଡିସି ଓ ଲାର୍ସନ ଟୁବ୍ରୋର ସେୟାର ଅତି ତଳକୁ ଖସିଯାଇଥିଲା। ଭାରତ ସମେତ ପ୍ରାୟ ୧୮୦ରୁ ଅଧିକ ଦେଶରେ ରେସିପ୍ରୋକାଲ ଟାରିଫ୍ ଲଗାଇଛନ୍ତି ଟ୍ରମ୍ପ। ଆଉ ଟ୍ରମ୍ପଙ୍କ ଟାରିଫ୍ ବୃଦ୍ଧି ନେଇ ଚୀନର ଜବାବଦେହୀ ପଦକ୍ଷେପକୁ ନେଇ ବିଶ୍ୱବଜାରରେ ଭୂକମ୍ପ ଆସିଛି। ଚୀନ୍ ବି ଆମେରିକାର ସାମଗ୍ରୀ ଉପରେ ୩୪ ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା କରିସାରିଛି। ଯାହା ଏପ୍ରିଲ ୧୦ରୁ ଲାଗୁ ହେବ। ସେୟାର ବଜାରରେ ଭୂକମ୍ପକୁ ନେଇ ରାଜନୀତି ବି ତେଜ୍ ହୋଇଛି। ବିରୋଧୀ କହିଛନ୍ତି, ମହଙ୍ଗାମାଡ଼ ଓ ଭ୍ରଷ୍ଟାଚାରରୁ ଭାରତକୁ ମୁକ୍ତ ତ କରିପାରୁନି ବିଜେପି ସରକାର। ଏବେ ନିବେଶକଙ୍କୁ ବି ବୁଡ଼ାଇଦେଲେ ସରକାର। ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ସାମ୍ୱିଧାନିକ ପଦରେ ରହି ଅସାମ୍ୱିଧାନିକ କାମ ଲାଗି ଉସୁକାଉଥିବା ସରକାରଙ୍କ ପ୍ରତି ଲୋକେ ସଚେତନ ରୁହନ୍ତୁ। ପରିଶ୍ରମରୁ ଅର୍ଥ ଉପାର୍ଜନର ବାଟ ଖୋଜନ୍ତୁ। ଏମିତି ସଟକର୍ଟ ମଧ୍ୟବିତ୍ତ ଓ ଯୁବବର୍ଗଙ୍କୁ ଲୋଭଗ୍ରସ୍ତ କରି ବୁଡ଼ାଇବ। କଂଗ୍ରେସ କହିଛି, ଲୋକଙ୍କୁ ଷ୍ଟକ୍ କିଣିବାକୁ ବାରମ୍ୱାର ଟିପ୍ସ ଦେଉଥିବା ମୋଦି ଓ ଶାହା ମୁଖଦର୍ଶକ ସାଜିଛନ୍ତି। ଚୀନ, କାନାଡ଼ା, ଜାପାନ, ଅଷ୍ଟ୍ରେଲିଆ ପ୍ରମୁଖ ଦେଶ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କଲେଣି। କିନ୍ତୁ ମୋଦି ଓ ଗୋଏଲ କାହିଁକି ଚୁପ୍ ବୋଲି ପଚାରଛି କଂଗ୍ରେସ। ଗଲା ଦୁଇ ଦିନ ହେଲା ଆମେରିକା ଓ ଏସିଆ ବଜାରରେ ସେୟାର ନିମ୍ନଗାମୀ ହୋଇଛି। କରୋନା ପରେ ଏହା ସବୁଠୁ ବଡ କ୍ଷତି ବୋଲି କୁହାଯାଉଛି। ଆମେରିକୀୟ ନିବେଶକଙ୍କ ୫ ଟ୍ରିଲିୟନ ଡଲାର ଅର୍ଥାତ୍ ୪୨୦ଲକ୍ଷ କୋଟି ଟଙ୍କା ବୁଡ଼ିଯାଇଛି। ଟାରିଫ୍ କାରଣରୁ ଭାରତର ଅର୍ଥନୈତିକ ବ୍ୟବସ୍ଥା ଉପରେ ଏହାର ପରୋକ୍ଷ ପ୍ରଭାବ ପଡୁଛି।ସେୟାର ବଜାରରେ ଭୂକମ୍ପ ବେଳେ ସୁନାର ଦର ବଢ଼ିଛି। ସେୟାର ବଜାର ସହ କ୍ରିପଟୋ କରେନ୍ସି ମାର୍କେଟ ବି ଗୁରୁତର ପ୍ରଭାବିତ ହୋଇଥିଲା। କ୍ରିପଟୋକରେନ୍ସି ବିଟ୍ କଏନ ନଭେମ୍ୱର ୭ ପରେ ପ୍ରଥମ ଥର ପାଇଁ ୭୫ହଜାର ଡଲାର ତଳକୁ ଖସିଯାଇଛି। ଓଲା ଇଲେକଟ୍ରିକର ସେୟାର ବି ତଳକୁ ଖସିଗଲା। ସେନସେକ୍ସର ଅଧା ସେୟାର ୫ ପ୍ରତିଶତ ତଳକୁ ଚାଲିଯାଇଛି। ଏଥିରେ ରିଲାଏନ୍ସ, ଟାଟା ମୋଟର୍ସ ଓ ଟିସିଏସ ଅଛି। ରିଲାଏନ୍ସ ନିବେଶକ ହରାଇଛନ୍ତି ୨.୨୬ଲକ୍ଷ କୋଟି। ଅଧିକ ନିମ୍ନଗାମୀ ହୋଇଥବା ପ୍ରମୁଖ ସେୟାର ଗୁଡ଼ିକ ହେଲା- ଇନଫୋସିସ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଆଦାନୀ ପୋର୍ଟସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟେକ୍ ମହିନ୍ଦ୍ରା, ଏଚସିଏଲ ଟେକ୍, କୋଟାକ ମହିନ୍ଦ୍ରା, ସନ ଫାର୍ମା, ବଜାଜ ଫାଇନାନ୍ସ, ଆକ୍ସିସ ବ୍ୟାଙ୍କ ପ୍ରମୁଖ।

Naxatra News is now on Whatsapp
Join and get latest news update delivered to you via whatsapp
Join Now