ଶ୍ରୀଜଗନ୍ନାଥ ଏୟାରପୋର୍ଟ- ହଟୁଛି ପ୍ରତିବନ୍ଧକ, ମିଳୁଛି କ୍ଲିଅରାନ୍ସ

ସେପ୍ଟେମ୍ୱର ୨୨, ୨୦୨୩। ବେସାମରିକ ବିମାନ ମନ୍ତ୍ରଣାଳୟ ଦେଇଥିଲା ଗ୍ରିନଫିଲ୍ଡ ବିମାନବନ୍ଦର ପାଇଁ ସାଇଡ୍ କ୍ଲିଅରାନ୍ସ। ମେ ୬, ୨୦୨୫। କେନ୍ଦ୍ରରୁ ମିଳିଥିଲା ନୀତିଗତ ଅନୁମୋଦନ। ସମୁଦାୟ ୧୧୬୪ ଏକର ପରିମିତ ଅଞ୍ଚଳରେ ଅନ୍ତର୍ଜାତୀୟ ବିମାନବନ୍ଦର ଗଢ଼ିବ। ଏଥିରୁ ୬୮ ଏକର ଜମିକୁ ରାଜସ୍ୱ ଜଙ୍ଗଲ ଜମି ଭାବେ ବର୍ଗୀକୃତ କରାଯାଇଛି। ଜୁନ୍ ୨୬, ୨୦୨୫। ପରିବେଶ ମଞ୍ଜୁରୀ ଲାଗି ସୁପାରିଶ ସରିଛି। ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ଲାଗି ସବୁ ପ୍ରକାର ପଦକ୍ଷେପକୁ ସରଳ ଓ ସୁଗମ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର ବୋଲି ବାହୁଡ଼ା ପୂର୍ବଦିନ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁରୀ ଭଳି ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀକୁ ଦେଶବିଦେଶ ସହ ସିଧାସଳଖ ଯୋଡ଼ିବାକୁ ଏହି ବିମାନସେବା ନିହାତି ଜରୁରୀ। ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ କରିଛନ୍ତି। ବିଜେଡି କହିଛି, ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ହେଲେ ପୁରା ବିଶ୍ୱର ଲୋକେ ପୁରୀରେ ପହଞ୍ଚିବେ। ଜଗନ୍ନାଥ ପରମ୍ପରା ଆହୁରି ରୁଦ୍ଧିମନ୍ତ ହେବ। ଓଡ଼ିଶାର ମାନଚିତ୍ର ବିଶ୍ୱରେ ପ୍ରକାଶିତ ହେବ। ବିମାନବନ୍ଦର ଲାଗି ଯାହା ପ୍ରତିବନ୍ଧକ ଆସୁଛି, ତାକୁ ଦୂର କରିବା ଜରୁରୀ। କେନ୍ଦ୍ର ଏଥିରେ ବ୍ୟାଘାତ ସୃଷ୍ଟି ନ କରୁ। ଅନେକ ଅନ୍ତର୍ଜାତୀୟ ବିମାନବନ୍ଦର ସମୁଦ୍ର କୂଳରେ ଅଛି ତ ଆଉ କିଛି ସମୁଦ୍ର ଭିତରେ ହୋଇଛି। ବିମାନବନ୍ଦର ନିର୍ମାଣରୁ ଜୈବ ବିବିଧତା, ଅଲିଭ ରିଡଲେ ଓ ସମୁଦ୍ର ଜୀବଜନ୍ତୁଙ୍କ ଯେଭଳି କ୍ଷତି ନହେବ, ସେ ଦିଗରେ ସମସ୍ତେ ଯତ୍ନବାନ ହେବା। ଆଇନ ମନ୍ତ୍ରୀ କହିଛନ୍ତି, ପୁରୀରେ ନିଶ୍ଚିତ ଏୟାରପୋର୍ଟ ହେବ। ଯାହା ଯାହା ବାଧକ ଆସୁଛି, କେନ୍ଦ୍ର ସରକାରଙ୍କ ସହ ବସି ସରକାର ଆଲୋଚନା କରୁଛନ୍ତି। ସବୁ ପ୍ରତିବନ୍ଧକ ହଟିବ ଓ କ୍ଲିଅରାନ୍ସ ମିଳିବ। ବିଳମ୍ୱ ହୋଇପାରେ। କିନ୍ତୁ ନିଶ୍ଚିତ ହେବ। ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପ୍ରତିଶୃତିବଦ୍ଧ ସରକାର। ଆଉ ଏଥିଲାଗି ଆସୁଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇ କେମିତି ସମସ୍ତ କ୍ଲିଅରାନ୍ସ ମିଳିବ, ସେ ନେଇ ତତ୍ପର। ବିମାନବନ୍ଦର ନିର୍ମାଣ ପାଇଁ ୫ହଜାର୬୩୧ କୋଟି ଟଙ୍କା ଖର୍ଚ୍ଚ ହେବ। ବାର୍ଷିକ ୪.୬ ମିଲିଅନ ଯାତ୍ରୀଙ୍କୁ ନେବାର ଏହାର କ୍ଷମତା ରହିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *