୯ଲକ୍ଷ ଲିଟର ପାଣିର ବୋଝ ସହିପାରିଲାନି ୨୧ କୋଟିର ପାଣି ଟାଙ୍କି। ୯ଲକ୍ଷ ଲିଟର ପାଣି ପଶିଛି ତ ଟାଙ୍କି ଭୁଷୁଡ଼ିପଡ଼ିଲା। ସୁରାଟରେ ୨୧ କୋଟିରେ ନିର୍ମିତ ପାଣି ଟାଙ୍କି ମାଠିଆ ଭଳି ଭାଙ୍ଗିଗଲା। ଉଦଘାଟନ ପୂର୍ବରୁ ଟ୍ରାଏଲରେ ହିଁ ଭୁଷୁଡ଼ିଗଲା। ଏହି ଟାଙ୍କିରୁ ୧୩ ଗାଁକୁ ପାନୀୟ ଜଳ ଯୋଗାଣ ଲାଗି ଟାର୍ଗେଟ ରଖି ଏହାକୁ ନିର୍ମାଣ ହୋଇଥିଲା। ଏଥିରେ ବ୍ୟାପକ ଭ୍ରଷ୍ଟାଚାର ହୋଇଥିବା ଜଳଜଳ କରି ଦିଶୁଛି। ଏହାର ସୁରାଟ୍ ନିଟ୍ ଟେକନିକାଲ ତଦନ୍ତ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। ହର ଘର୍ ଜଳ ମିଶନରେ ଏହି ଟାଙ୍କି ନିର୍ମାଣ ହୋଇଥିଲା। ବ୍ରାଣ୍ଡ୍ ନୂଆ ପାଣି ଟାଙ୍କି ଭୁଷୁଡ଼ିବାରୁ ଏହାକୁ ନେଇ ତେଜିଛି ରାଜନୀତି। ଏହି ଟାଙ୍କିର ଜଳଧାରଣ କ୍ଷମତା ୧୧ଲକ୍ଷ ଲିଟର ଥିଲା। ଟେଷ୍ଟିଂ ବେଳେ ଟାଙ୍କି ଭୁଷୁଡ଼ିବାକୁ ନେଇ କଂଗ୍ରେସ କହିଛି, ଏହା ମୋଦି ଓ ବିଜେପି ଭ୍ରଷ୍ଟାଚାରର ଏକ ଝଲକ। ଏମିତି ହେଉଛି ମୋଦିଙ୍କ ବିକାଶର ମଡେଲ। ଟାଙ୍କି ନିର୍ମାଣରେ ବ୍ୟାପକ ଭ୍ରଷ୍ଟାଚାର ଓ ନିମ୍ନମାନର ସାମଗ୍ରୀ ଲାଗିଥିବା ଅଭିଯୋଗ ହୋଇଛି। ତଦନ୍ତ ରିପୋର୍ଟ ଆସିଲେ, ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ହେବ ବୋଲି କହିଛନ୍ତି ସରକାର। କିଛି ଦିନ ତଳେ ଏହାର ଏକ ପାଲଟା ମାମଲା ଅହମଦାବାଦରୁ ଆସିଥିଲା। ୭୦ ବର୍ଷ ପୂର୍ବରୁ ନିର୍ମିତ ଏକ ପାଣି ଟାଙ୍କିକୁ ଭାଙ୍ଗିବାକୁ ଜେସିବିର ସାହାଯ୍ୟ ନିଆଯାଇଥିଲା। ଆଉ ଜେସିବି ଟାଙ୍କି ଉପରେ ରହି ଭାଙ୍ଗୁଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now