ଭାରତର ୬ ରାଜ୍ୟ ମହିଳାଙ୍କ ଲାଗି ଅସୁରକ୍ଷିତ। ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ମେଘାଳୟ ଭଳି ରାଜ୍ୟକୁ ମହିଳାଙ୍କୁ ଏକୁଟିଆ ଯିବାକୁ ବାରଣ କରି ଆଡଭାଇଜୋରି ଜାରି କରିଛି ଆମେରିକା। ଏହା ସହ ଭାରତରେ କାମ କରୁଥିବା ଆମେରିକୀୟ ସରକାରୀ କର୍ମଚାରୀ ମହାରାଷ୍ଟ୍ର, ତେଲେଙ୍ଗାନା ଓ ମଧ୍ୟପ୍ରଦେଶ ଯାତ୍ରା କଲେ ଆଗୁଆ ଅନୁମତି ନେବାକୁ କୁହାଯାଇଛି। ଜୁନ୍ ୧୬ରେ ଆମେରିକୀୟ ବିଦେଶ ମନ୍ତ୍ରାଳୟ ଜାରି କରିଥିବା ଆଡଭାଇଜୋରିରେ ଏହା ଚେତାଇ ଦିଆଯାଇଛି। ଭାରତରେ ବଳାତ୍କାରର ମାମଲା ବଢ଼ିଚାଲିଛି। ଯୌନ ଉତ୍ପୀଡ଼ନ ସମେତ ପର୍ଯ୍ୟଟନସ୍ଥଳୀରେ ହିଂସା ବଢ଼ୁଛି। ଆତଙ୍କବାଦୀ ବି ବିନା ଚେତାବନୀରେ ଅଚାନକ ଆକ୍ରମଣ କରୁଛନ୍ତି। ବଜାର, ପରିବହନ କେନ୍ଦ୍ର, ସପିଂ ମଲ୍, ସରକାରୀ ବିଲଡିଂକୁ ଟାର୍ଗେଟ କରାଯାଉଛି। ମଣିପୁର ରାଜ୍ୟର ହିଂସାର ନଜିର୍ ବି ଦେଇଛି ଆମେରିକା। ସେପଟେ ଦଳମତ ନିର୍ବିଶେଷରେ ଟ୍ରମ୍ପ ସରକାରଙ୍କ ଓଡ଼ିଶାକୁ ଏଭଳି ଟାର୍ଗେଟ ନେଇ ସମସ୍ତେ ନିନ୍ଦା କରିବା ସହ କଡ଼ା ସମାଲୋଚନା କରିଛନ୍ତି। ଟ୍ରମ୍ପଙ୍କ ମନ୍ତବ୍ୟ ଅତ୍ୟନ୍ତ ଲଜ୍ଜାକର କଥା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ। କିନ୍ତୁ ତା ସହ ବି ଯୋଡ଼ିଛନ୍ତି, ଡବଲ ଇଞ୍ଜିନ ସରକାରରେ ମହିଳା କେତେ ଅସୁରକ୍ଷିତ, ତାହା ବିଶ୍ୱରେ ଓଡ଼ିଶାକୁ ନିନ୍ଦିତ କଲାଣି। ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଟ୍ରମ୍ପ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ହୋଇଥିଲେ ହେଁ ତାଙ୍କ କଥାକୁ ଅନେକ ସମୟରେ ଲୋକେ ଗୁରୁତ୍ୱ ଦିଅନ୍ତିନି। କାରଣ ମତ ପରିବର୍ତ୍ତନରେ ମାହିର ଟ୍ରମ୍ପ। ନିଜେ ଇରାନରେ ଆକ୍ରମଣ କରି ଶାନ୍ତିଦୂତ ଭାବେ ଅନ୍ୟ ଦେଶ ଲାଗି ପ୍ରତିପାଦିତ କରିବାକୁ ଚାହୁଁଛନ୍ତି। ମହିଳା ଓ ଶିଶୁବିକାଶ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଓଡ଼ିଶାକୁ ବୁଲିବାକୁ ଆସୁଥିବା ଆମେରିକୀୟଙ୍କ ସଂଖ୍ୟା ଅତି ନଗଣ୍ୟ। ତାଙ୍କ ଦେଶର ସୁରକ୍ଷା ଲାଗି ସେ କେଉଁ କାରଣରୁ ଚିନ୍ତାପ୍ରକଟ କଲେ। କିନ୍ତୁ କୌଣସି ପ୍ରଦେଶର ନାଁ କହିବା ଉଚିତ୍ ହୋଇନି। ବୋଧେ ଭାରତର ଦ୍ରୁତ ବିକାଶକୁ ଆମେରିକା ଏକ ଥ୍ରେଟ୍ ବୋଲି ଭାବୁଛି। ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟରେ ଏଭଳି ସ୍ଥିତି ନାହିଁ, ଯେଉଁଠିକି ଆସିବାକୁ ଅନୁମତି ଦରକାର। ଓଡ଼ିଶା ପାଇଁ ମୋହନ ସରକାର ଓ ଦେଶ ମୋଦିଙ୍କ ହାତରେ ସୁରକ୍ଷିତ ଅଛି। ଓଡ଼ିଶା ମହିଳାଙ୍କ ଲାଗି ଅସୁରକ୍ଷିତ! ଟ୍ରମ୍ପଙ୍କ ଏଭଳି ଟାର୍ଗେଟକୁ ନେଇ ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ତେଜ୍ ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now