ମୁଁ ପଳାତକ ନୁହେଁ- ଚର୍ଚ୍ଚାରେ ମାଲ୍ୟାଙ୍କ ପୋଡ଼କାଷ୍ଟ

ସେ ପଳାତକ ନୁହଁନ୍ତି। ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ କହି ସେ ଭାରତ ଛାଡ଼ିଥିଲେ। ତାଙ୍କୁ ଚୋର କହିବା ଭୁଲ୍। ୬ହଜାର୨ଶହ କୋଟି ଟଙ୍କା ବଦଳରେ ବ୍ୟାଙ୍କ ତାଙ୍କଠୁ ୧୪ହଜାର କୋଟି ଅସୁଲି କରିଛି। ଏକ ପୋଡ଼କାଷ୍ଟରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବିଜୟ ମାଲ୍ୟା। ମାର୍ଚ୍ଚ ୨, ୨୦୧୬ରେ ସେ ଜେନେଭାରେ ହେବାକୁ ଥିବା ଏଫଆଇଏ ମିଟିଂ ପାଇଁ ଲଣ୍ଡନ ଯାଉଥିଲେ। କିନ୍ତୁ ପାସପୋର୍ଟ ରଦ୍ଦରୁ ସେ ଲଣ୍ଡନରେ ହିଁ ଅଟକିଗଲେ। ସେଥିଲାଗି ନା ସେ ପଳାତକ ନା ଭାରତରୁ ଖସିଯିବାକୁ ତାଙ୍କର କୌଣସି ଯୋଜନା ଥିଲା। ଦୀର୍ଘ ୯ ବର୍ଷ ଧରି ମିିଡିଆରୁ ଦୂରେଇ ରହିଥିବା ମାଲ୍ୟା ଏବେ ୟୁଟ୍ୟୁବର ରାଜ ଶମାନୀଙ୍କ ପୋଡ଼କାଷ୍ଟରେ ନିଜ ନୀରବତା ଭଙ୍ଗ କରିଛନ୍ତି। ପ୍ରାୟ ୪ ଘଣ୍ଟାର କଥାବାର୍ତ୍ତାରେ ସେ ନିଜର ଜୀବନ, ବ୍ୟବସାୟ, କିଙ୍ଗଫିସର ଏୟାରଲାଇନ୍ସର ପତ୍ତନ, କର୍ମଚାରୀଙ୍କ ବକେୟା ପାଉଣା ଓ ଆଇନଗତ ଲଢ଼େଇ ଉପରେ ଖୋଲିକି କହିଛନ୍ତି। ବାପା ବିଟ୍ଟଲ ମାଲ୍ୟାଙ୍କ ୟୁବି ଗୃପରେ ସେ ୪ଶହ ଟଙ୍କାରେ ଟ୍ରେନି ଭାବେ ଯୋଗ ଦେଇଥିଲେ। ଆଉ ୧୮ ବର୍ଷ ବୟସରେ ଏକ ଛୋଟ କମ୍ପାନୀର ସିଇଓ କରିଦିଆଯାଇଥିଲା। ୧୯୮୩ରେ ୨୭ ବର୍ଷ ହୋଇଥିଲା ବେଳେ ତାଙ୍କ ବାପାଙ୍କ ନିଧନ ପରେ ସେ ୟୁବି ଗୃପ ସମ୍ଭାଳିଥିଲେ। କିଙ୍ଗଫିସରକୁ ଯୁବ ଗୋଷ୍ଠୀଙ୍କ ଷ୍ଟାଇଲିସ୍ ବ୍ରାଣ୍ଡ କରିଥିଲେ। ଯାହାର ଆଜିକା ଦିନରେ ୫୨ ପ୍ରତିଶତ ମାର୍କେଟ ସେୟାର ଅଛି। ମ୍ୟାକଡୋନାଲ୍ଡକୁ ନମ୍ୱର ଓ୍ୱାନ ହ୍ୱିସକି ବ୍ରାଣ୍ଡ କରିଥିଲେ। ୨୦୦୫ରେ ପୁଅ ସିଦ୍ଧାର୍ଥର ୧୮ତମ ଜନ୍ମଦିନରେ ସେ କିଙ୍ଗଫିସର ଏୟାରଲାଇନ୍ସ ଆରମ୍ଭ କରିଥିଲେ। ୨୦୦୮ ଯାଏ ଏହା ସବୁଠୁ ବଡ଼ ଏୟାରଲାଇନ୍ସ ହୋଇଥିଲା। କିନ୍ତୁ ତା ପରେ ଆର୍ଥିକ ସଙ୍କଟ, ତେଲ ଦର ବୃଦ୍ଧି, ବିପୁଳ ଟିକସ ଓ ବିଦେଶୀ ନିବେଶ ଆସିବା ହ୍ରାସ ପାଇବାରୁ ଏହା ବୁଡ଼ିଗଲା। ୟୁବି ଗୃପ୍ ୩ହଜାର କୋଟି ଟଙ୍କା ନିବେଶ କରିଥିବା ସତ୍ତ୍ୱେ ୨୦୧୨ରେ ଏୟାରଲାଇନ୍ସ ବନ୍ଦ ହୋଇଗଲା। କର୍ମଚାରୀଙ୍କ ବକେୟା ଦରମା ଦେଇପାରିନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। କର୍ଣ୍ଣାଟକ ହାଇକୋର୍ଟରେ ୨୬୦ କୋଟି ଟଙ୍କା ରିଲିଜ୍ କରିବାକୁ ସେ ପିଟିସନ ବି ପକାଇଥିଲେ। କିନ୍ତୁ ବ୍ୟାଙ୍କ ଆପତ୍ତି ଜାହିର କଲା। ସମ୍ପତ୍ତି ଫ୍ରିଜ୍ କାରଣରୁ ଫଣ୍ଡ ଆଣିବା ସମ୍ଭବ ହେଲାନି। ସେ ୧୭ ବ୍ୟାଙ୍କରୁ ୬ହଜାର୨୦୩ କୋଟି ଟଙ୍କା ଋଣ ଆଣିଥିଲେ। ସମ୍ପତ୍ତି ସିଜ୍ କରି ବ୍ୟାଙ୍କଗୁଡ଼ିକ ୧୪ହଜାର ୧୩୧ କୋଟି ଆଦାୟ କଲେ। ଯାହା କରଜର ଅଢ଼େଇ ଗୁଣା ଥିଲା। ୨୦୧୨ରୁ ୨୦୧୫ ଭିତରେ ସେ ୪ଥର ସେଟଲମେଣ୍ଟ ଅଫର ଦେଇଥିଲେ। ଯେଉଁଥିରେ ୫ହଜାର କୋଟି ଟଙ୍କାର ଅଫର ବି ଥିଲା। କିନ୍ତୁ ବ୍ୟାଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଲା ବୋଲି କହିଛନ୍ତି ମାଲ୍ୟା। ସିିବିଆଇ ବ୍ୟାଙ୍କ ଭାଲୁଏସନ ଓ ପ୍ରାଇଭେଟ ଜେଟ୍ ର ଦୁରୁପଯୋଗର ଆରୋପ ଲଗାଇଥିଲା। ଇଡି ବି ୩ହଜାର୫୪୭ କୋଟିର ମନି ଲଣ୍ଡରିଂର ଅଭିଯୋଗ ଲଦିିଥିଲା। ଏଥିରେ ଏୟାରଲାଇନ୍ସର ୫୦ ପ୍ରତିଶତ ବିଦେଶୀ ନିବେଶ ଥିବା ସତ୍ତ୍ୱେ ଏହାକୁ ମନିଲଣ୍ଡରିଂର ଆଖ୍ୟା ଦିଆଗଲା। ଆଇଡିବିଆଇକୁ ବି ସେ ୯ଶହ କୋଟିର ଋଣ ସୁଝିଦେଇଥିଲେ। ସେ ଭାରତରେ ବିଜନେସ କଲାବେଳେ ୨୯ ରାଜ୍ୟର ଅଲଗା ଅଲଗା ନୀତି ସହ ଜୁଝୁଥିଲେ। ନିର୍ବାଚନରେ ମଦ ଓ ଟଙ୍କା ମାଗୁଥିଲେ। ଲାଞ୍ଚ ନ ଦେବାରୁ ଅନେକଙ୍କ ରୋଷର ଶୀକାର ହେବାକୁ ପଡୁଥିଲା। ନିଜର ୬୦ତମ ଜନ୍ମଦିନରେ ସେ କରିଥିବା ପାର୍ଟିକୁ ନେଇ ବିବାଦ ଉଠିଥିଲା। କିନ୍ତୁ ସେ ଏ ଖର୍ଚ୍ଚ ନିଜେ ଉଠାଇଥିଲେ। ସେ ଲଣ୍ଡନରେ ନିଜର ୬ଟି କୁକୁର ସହ ସମୟ ବିତାଉଛନ୍ତି। ତାଙ୍କ ରୋଜଗାର କହିଲେ ବିଦେଶୀ ମଦ କମ୍ପାନୀରୁ ଯାହା ମିଳେ। ସେ ଆଇନଗତ ଲଢ଼େଇ ଲଢ଼ୁଛନ୍ତି। ଯଦି ନିରପେକ୍ଷ ନ୍ୟାୟ ମିଳିବାର ଭରସା ମିଳିବ, ତାହେଲେ ସେ ଭାରତ ଫେରିବାକୁ ଚିନ୍ତା କରିବେ ବୋଲି କହିଛନ୍ତି ମାଲ୍ୟା। ଆଉ ଯଦି ଭାଗ୍ୟରେ ଜେଲ ଭୋଗିବାକୁ ଥିବ, ସେ ଏହାକୁ ସାମ୍ନା କରିବେ। ସେ ସାବରିମାଳ ଓ ତିରୁପତି ମନ୍ଦିରକୁ ସୁନା ଦାନ କରିଛନ୍ତି। ସେ ଭଗବାନଙ୍କୁ ଭରସା କରନ୍ତି। ଯଦି କଠିନ ସମୟରେ ଭଗବାନଙ୍କ ଏହା ଇଛା ଥିବ, ତେବେ ସେ ଏହାକୁ ସ୍ୱୀକାର କରୁଛନ୍ତି ବୋଲି କହିଛନ୍ତି ମାଲ୍ୟା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *