ପୁଅ ବେମାର କହି ବିଧାୟକଙ୍କଠୁ ଆର୍ଥିକ ସାହାଯ୍ୟ ନେଲେ। କିନ୍ତୁ ସେ ଟଙ୍କାରେ ଫୋନ୍ କିଣିଲେ। ହିମାଚଳପ୍ରଦେଶର ହମିରପୁର ଜିଲ୍ଲାରେ ବଡ଼ସରର ବିଧାୟକ ଇନ୍ଦ୍ର ଦତ୍ତ ଲଖନପାଲଙ୍କୁ ଜଣେ ମହିଳା କେମିତି ମିଛ କହି ଟଙ୍କା ଠକିନେଲା, ତାକୁ ନେଇ ସବୁଠି ଚର୍ଚ୍ଚା। ମହିଳା ଜଣକ ଫୋନରେ ଭାବବିହ୍ୱଳ ହୋଇ ବିଧାୟକଙ୍କୁ କହିଥିଲେ ଯେ, ତାଙ୍କ ପୁଅ ଗମ୍ଭୀର ବେମାରରେ ପଡ଼ିଛି। ଆଉ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଚିକିତ୍ସା ଲାଗି ତୁରନ୍ତ ୧୦ହଜାର ଟଙ୍କା ଦରକାର। କେବଳ ଏତକି ନୁହେଁ। ତାଙ୍କ ନିଜର କୌଣସି ଫୋନ୍ ନାହିଁ। ସେ ଆଉ କାହା ଫୋନରେ କଲ୍ କରି ନିଜର ଦୁଃଖ ଜଣାଉଛନ୍ତି ବୋଲି କହିଥିଲେ। ଆଉ ଏ କଥା ଶୁଣି ବିଧାୟକ ତୁରନ୍ତ ୧୦ହଜାର ଟଙ୍କା ପଠାଇଥିଲେ। କିନ୍ତୁ ପରେ ଜଣାପଡ଼ିଲା ଯେ, ନା ମହିଳାଙ୍କ ପୁଅ ରୋଗଗ୍ରସ୍ତ ଥିଲା ନା ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ଅସଲ କଥା ଥିଲା, ମହିଳା ନିଜ ପାଇଁ ମୋବାଇଲ କିଣିବାକୁ ଚାହୁଁଥିଲେ। ଆଉ ପୁରା ପ୍ରକରଣରୁ ଜଣାପଡିଥିଲା, ବଡ଼ସର ବଜାରର ଜଣେ ଦୋକାନୀ ଫୋନରେ କଲ କରି ପୁରା ନାଟକ ରଚିଥିଲେ। ତେବେ ମହିଳା ଜଣକ ଏଭଳି କାରସାଦି କରିଥିବା ମହିଳାଙ୍କ ସ୍ୱାମୀ ବି ସ୍ୱୀକାର କରିଛନ୍ତି। ବିଧାୟକ ଇନ୍ଦ୍ର ଦତ୍ତ ଲଖନପାଲ ଏଭଳି ଘଟଣା ଜାଣି ଅବଶୋଷ ଜାହିର କରିଛନ୍ତି। ଏଭଳି ଧୋକା ସମାଜରେ ବିଶ୍ୱାସକୁ ଦୁର୍ବଳ କରିଦେଉଛି। ବାସ୍ତବରେ ଯାହାକୁ ସାହାଯ୍ୟ ଦରକାର, ସେମାନେ ଏଭଳି ଘଟଣାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ସହାୟତା ନାଁରେ କୌଣସି ଧୋକା ନ କରିବାକୁ ଅପିଲ କରିଛନ୍ତି ବିଧାୟକ।
Naxatra News is now on Whatsapp
Join and get latest news update delivered to you via whatsapp
Join Now