ଓଡ଼ିଶା

କାଗଜ କଲମରେ ଚାଲିଛି ମୁକ୍ତା ଯୋଜନା

ମାଲକାନଗିରି: ମାଲକାନଗିରି ପୌର ପରିଷଦ ଅଧିନରେ ରହିଥିବା ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପୌର ପରିଷଦକୁ ଘେରାଉ କରିଥିଲେ।ଏହି ପୌର ପରିଷଦ ଅଧିନରେ ମୁକ୍ତା ଯୋଜନାରେ ହେଉଥିବା କାମଗୁଡିକରେ ଦୁର୍ନୀତିର ଗନ୍ଧ ବାରି ହେଉଥିବା ଖବର ନକ୍ଷତ୍ର ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା। ଏହି ଖବର ଆଧାରରେ ପୌର କାର୍ଯ୍ୟାଳୟରେ ଧସେଇ ପଶି ସବିଶେଷ ତଥ୍ୟ ମାଗିଥିଲେ ମହିଳା । ଏହା ପରେ ପୌର ନିର୍ବାହୀ ଅଧିକାରୀ ମହିଳା ମାନଙ୍କୁ ବୁଝା ସୁଝା କରିଥିଲେ।

ମୁକ୍ତା ଯୋଜନାରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ କାମ ଯୋଗାଇ ଦିଆଯାଇଥିବା କାଗଜ କଲମରେ ରହିଛି।କିନ୍ତୁ କୌଣସି ଗୋଟିଏ ବି ସ୍ବୟଂ ସହାୟକ ଗୋଷ୍ଠୀ ଏହି କାମ ସଂପର୍କରେ ଜାଣିନଥିବା ଅଭିଯୋଗ କରିଥିଲେ। ମୁକ୍ତା ଯୋଜନାରେ କେଉଁ କେଉଁ କାମ କରାଯାଉଛି ତାହା ମଧ୍ୟ ଜାଣିନଥିବା ନେଇ ଅଭିଯୋଗ କରାଯାଇଛି। ଆଉ ଯେଉଁ ସ୍ବୟଂ ସହାୟକ ଗୋଷ୍ଠୀ ଏହି କାମ କରିଛନ୍ତି ସେମାନଙ୍କ ଠାରୁ ଜବରଦସ୍ତ ପୌର ପରିଷଦର ଅଧିକାରୀମାନେ ୨୦ ହଜାରରୁ ୪୦ ହଜାର ଟଂକା କାଟି ଦେଉଛନ୍ତି। ଏହା କେଉଁ ବାବଦକୁ କାଟୁଛନ୍ତି ତାହା କିଛି କହୁନାହାନ୍ତି।

ପୁଣି ମୁକ୍ତା ଯୋଜନାରେ ପଇସା ଆସିନଥିବା କହୁଛନ୍ତି।ତେଣୁ ବହୁ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପୌର ପରିଷଦ ଘେରାଉ କରିବା ସହ ଆରଟିଆଇ ଦାଖଲ କରି ମୁକ୍ତା ଯୋଜନାର ସମସ୍ତ ବିଷୟରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ଦାବି କରିଥିଲେ। ମୁକ୍ତା ଯୋଜନାରେ ଦଲାଲଙ୍କ ସହଭାଗୀତାରେ ଅତି ନିମ୍ନମାନର କାମ କରା ଯାଇଥିବା ନକ୍ଷତ୍ର ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା।  ବିଭନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ନାମ ନେଇ ଦଲାଲମାନେ ଏହି କାମ କରିଥିଲେ।

ଲୋକଙ୍କୁ ମହାମାରୀ କରୋନା ସମୟରେ ନିଯୁକ୍ତି ଯୋଗାଇ ଆତ୍ମ ନିର୍ଭରଶୀଳ କରାଇବା ଉଦେଶ୍ୟରେ ଏହି ଯୋଜନା କରାଯାଇଥିଲା। ରାଜ୍ୟ ସରକାର ଯେଉଁ ଉଦେଶ୍ୟ ପାଇଁ ଏହି ଯୋଜନା ପ୍ରଣୟନ କରିଥିଲେ ତାର ଖୁଲମଖୁଲା ବେଖାତିର କରି ଟଂକା ପାଇଁ କାମକୁ ବିକ୍ରି କରାଯାଇଥିବା ଅଭିଯୋଗ କରାଯାଇଥିଲା। ତେବେ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପୌର ନିର୍ବାହୀ ଅଧିକାରୀ ସବୁ ପ୍ରକାର ତଥ୍ୟ ପ୍ରଦାନ କରିବେ ଏବଂ ସେ ନୂତନ ଭାବରେ ଆସିଛନ୍ତି । ଯାହା ବ୍ୟତିକ୍ରମ ହାଇଛି ତଦନ୍ତ ପରେ ସବୁ ସ୍ପଷ୍ଟ  ହେଇଯିବ ବୋଲି କହିଛନ୍ତି।

ଏହାର ଭିଜିଲାନସ ତଦନ୍ତ କରାଯାଇ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁଦାବି କରାଯାଇଛି।

ସନ୍ତୋଷ ନାଗଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button