Angul

ଜଳାଶୟକୁ ପୋତି ମଡେଲ ହାଟ ଓ ମାର୍କେଟ କମ୍ପ୍ଲେସ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ପାଳଲହଡା : ଶତାଧିକ ବର୍ଷ ପୂର୍ବରୁ ଥିବା ପୋଖରୀକୁ ପୋତିବା ପାଇଁ ସରକାରଙ୍କ ପ୍ରୟାସ, ସେଇଠି ଆଧୁନିକ ହାଟ ଓ ମାର୍କେଟ କମ୍ପ୍ଲେସ ନିର୍ମାଣ କାର୍ଯ୍ୟକୁ ଆଗାମୀ ଦିନକୁ ଦୂର ଦୃଷ୍ଟିରେ ରଖି  ସରକାରୀ ସ୍ଥାନକୁ ନିଜ କବ୍ଜାକୁ ନେବା ପାଇଁ ସରକାର ନୂତନ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି l ଯାହାକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି l

ସୂଚନା ଅନୁସାରେ ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ ନିଜିଗଡ଼ ପଞ୍ଚାୟତ ଅନ୍ତର୍ଗତ କାଇଁଶୀରିପାଲି ଗ୍ରାମଠାରେ ଥିବା ପୋଖରୀକୁ ପୋତି ଆଧୁନିକ ହାଟ ଓ ମାର୍କେଟ କମ୍ପ୍ଲେସ ନିର୍ମାଣ କାର୍ଯ୍ୟ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆରମ୍ଭ କରିଥିଲେ ଯାହାକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଛନ୍ତି । ତେବେ ସବୁଠୂ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେହି ସ୍ଥାନରେ କେଉଁ  କାଳରୁ ଏକ ପୋଖରୀ ବା ଜଳାଶୟ ରହି ଆସିଛି  । ଗାଁର ସମସ୍ତ ପରିବାର ଆଦିବାସୀ ସମ୍ପ୍ରଦାୟର ଏବଂ ଗରିବ ଶ୍ରେଣୀର ହୋଇଥିବାରୁ ସମସ୍ତେ ଗାଧୁଆ ଓ ଶୌଚ ପାଇଁ ଉକ୍ତ ପୋଖରୀ ଉପରେ ନିର୍ଭର କରି ଆଉଛନ୍ତି, କେବଳ ମଣିଷ ନୁହନ୍ତି ଗାଇ ଗୋରୁ, ପଶୁ ପକ୍ଷୀ ଏହି ପୋଖରୀ ପାଣିକୁ ବ୍ୟବହାର କରିଥାନ୍ତି । ଗତ ତିନି ଚାରି ଦିନ ତଳେ ତାରିଖ ନଥାଇ ଏକ ନୋଟିସ ପାଳଲହଡା ତହସିଲ ପକ୍ଷରୁ ଗାଁ ଛକରେ ଥିବା ଏକ ଦୋକାନ ଘରେ ଲଗାଯାଇଥିଲା, ଯଉଁଥିରେ ଉଲେଖଥିଲା, ନୋଟିସ ଅନୁସାରେ ମଡେଲ ହାଟ ଓ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଡେପୁଟି ରେଜିଷ୍ଟ୍ରାର ଅଫ ସି.ଏସ-କମ୍ ଡେପୁଟି ଡାଇରେକ୍ଟର ଅଫ ମାର୍କେଟ, ଅନୁଗୋଳ ଜାଗା ଯୋଗାଇଦେବାକୁ ଆବେଦନ କରିଥିବାରୁ ଏକ କୁବୁଲିୟତ ମଞ୍ଜୁରୀ ପ୍ରସ୍ତାବ ଅତ୍ର ଅଦାଲତରେ ବିଚାରଧୀନ ଅଛି, ଏହି ପ୍ରସ୍ତାବରେ କାହାର ଆପତ୍ତି ଅଭିଯୋଗ ଥିଲେ 30 ଦିନ ଭିତରେ ପାଲଲହଡା ତହସିଲଦାରଙ୍କ ନିକଟରେ ନିୟମ ମୁତାବକ ଅଭିଯୋଗ କରିପାରିବେ ବୋଲି ଦର୍ଶଯାଇଥିଲା ।

ସେହିପରି ଅନ୍ୟପଟେ ନୋଟିସ ଲାଗିବାର ତିନି ଚାରି ଦିନ ପୂର୍ବରୁ ସେଠାରେ ସୁରକ୍ଷା ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଯଉଁଥି ପାଇଁ ଗ୍ରାମବାସୀ ମଧ୍ୟ ବିରୋଧ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା l

ଗାଁ ଲୋକେ ଲିଖିତ ଭାବରେ ସୋମବାର ଦିନ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ । ମାତ୍ର ବୁଧବାର ପୁଣି ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ସେହି ଗାଁ ର ଶତାଧିକ ମହିଳା ଓ ପୁରୁଷ ନିର୍ମାଣ କାମକୁ ବିରୋଧ କରିବା ସହ ବନ୍ଦ କରିଥିଲେ । ଅନ୍ୟପଟେ ଏ ବାବଦରେ ପାଳଲହଡା ତହସିଲଦାର ଶ୍ରୀଯୁକ୍ତ ଲମ୍ବୋଦର ମାରାଣ୍ଡି କହିଛନ୍ତି ସରକାରୀ ରେକର୍ଡରେ ଏହି ଜାଗା ଉପରେ କୌଣସି ଜଳାଶୟ କିମ୍ବା ପୋଖରୀ ନାହିଁ, ଏହା ଏକ ପତିତ କିସମର ଜମି ଏବଂ ସରକାରୀ ଜମିକୁ ଆବଦ୍ଧ ପାଇଁ ପାଚେରୀ ନିର୍ମାଣ ଚାଲିଛି । ମାର୍କେଟ କମ୍ପ୍ଲେକ୍ସ ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ତିନି ଏକର ଜାଗା ପାଇଁ ପ୍ରସ୍ତାବ ରହିଛି ଏବଂ ଏହା ବିଚରାଧୀନ ରହିଛି । ଗ୍ରାମବାସୀଙ୍କର ଯଦି କିଛି ଅଭିଯୋଗ ଅଛି ସେମାନେ ଲିଖିତ ଭାବରେ ଦିଅନ୍ତୁ କିନ୍ତୁ ସରକାରୀ କାମକୁ ଗ୍ରାମବାସୀ ବିରୋଧ କଲେ ତାଙ୍କ ବିରୋଧରେ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସରକାରଙ୍କ ବିକାଶ କାର୍ଯ୍ୟ ଚାଲୁ ରହିବ ବୋଲି ରୋକ ଠୋକ ଜଣାଇଛନ୍ତି ପାଳଲହଡା ତହସିଲଦାର l

Related Articles

Leave a Reply

Your email address will not be published.

Back to top button